କନକ ବ୍ୟୁରୋ : ଷଷ୍ଠ ଦିନରେ ବି ସମାନ ଅବସ୍ଥା । ଆରମ୍ଭ ହେଉ ହେଉ ଗୃହ ହେଲା ଅଚଳ । ମମିତା ପ୍ରସଙ୍ଗରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ସାଙ୍ଗକୁ ଗୃହରେ ଘଣ୍ଟ ବଜାଇଛନ୍ତି । ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବିରେ ନାରାବାଜି ସହ ହୋ-ହଲ୍ଲା କରିଛି ବିରୋଧୀ ବିଜେପି । ଅନ୍ୟପଟେ କଂଗ୍ରେସ ମଧ୍ୟ ପ୍ଲାକାର୍ଡ ଧରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି । ବିରୋଧୀଙ୍କ ଏଭଳି ବିରୋଧ ଭିତରେ ଆଜି ବିଧାନସଭା ପରିସରରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା । ବିରୋଧୀଙ୍କ ପ୍ରତିବାଦକୁ କାଉଣ୍ଟର କରିବାକୁ ଶାସକ ବିଜେଡି ମଧ୍ୟ ପ୍ରତିବାଦ ଫର୍ମୁଲାକୁ ଆପଣାଇଥିଲା । ବାରମ୍ବାର ଗୃହ ମୁଲତବୀ ହେଉଥିବା କାରଣରୁ ବିରୋଧୀଙ୍କୁ ମହାପ୍ରଭୁ ସଦବୁଦ୍ଧି ଦିଅନ୍ତୁ ବୋଲି ଦାବି କରି ଗୃହର ମଧ୍ୟଭାଗକୁ ଚାଲି ଆସିଥିଲେ ଶାସକ ଦଳର ସଦସ୍ୟ । ହାତରେ ପ୍ଲାକାର୍ଡ ଧରି ନାରାବାଜି କରିବା ସହ ବିରୋଧୀ ସଦସ୍ୟଙ୍କ ଉପରେ ଗଙ୍ଗାଜଳ ଫିଙ୍ଗିଥିଲେ ଶାସକ ଦଳର ସଦସ୍ୟ । ଆଉ ପ୍ରବଳ ହଟ୍ଟଗୋଳ କାରଣରୁ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ କରିଥିଲେ ବାଚସ୍ପତି ।

Advertisment

ଗୃହ ମୁଲତବୀ ପରେ ଗୃହ ବାହାରେ ମଧ୍ୟ ଉଭୟ ଶାସକ-ବିରୋଧୀଙ୍କ ପ୍ରତିବାଦ ଜାରି ରହିଛି । ଗାନ୍ଧୀ ମୂର୍ତ୍ତି ତଳେ ବସି ଶାସକ ବିଜେଡି ବିରୋଧୀ କରୁଥିବା ବେଳେ କଂଗ୍ରେସ ପ୍ଲାକାର୍ଡ ଧରି ପ୍ରତିବାଦ କରୁଛି । ଅନ୍ୟପଟେ ବିରୋଧୀ ବିଜେପି ମହାପ୍ରଭୁ ଜଗନ୍ନାଥଙ୍କ ଫଟୋ ରଖି ଘଣ୍ଟ ବଜାଇ ପ୍ରତିବାଦ କରୁଛି । ରାଜ୍ୟ ସରକାର କୁମ୍ଭକର୍ଣ୍ଣ ନିଦରୁ ଉଠନ୍ତୁ ବୋଲି ବିରୋଧୀ ବିଜେପି ଦାବି କରୁଛି । ଏପରିକି ଶାସକ ଦଳ ଜାଣିଶୁଣି ଗୃହ ଚଳାଇ ଦେଉନାହିଁ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି ।

ତେବେ ଶାସକ ବିଜେଡିର ଏଭଳି ଆଭିମୁଖ୍ୟ ଦେଖି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଶାସକ ଦଳର ଦାୟିତ୍ୱ କିଭଳି ବିଧାନସଭା ସୁରୁଖୁରୁରେ ଚାଲିବ, କିନ୍ତୁ ଗୃହ ଭିତରେ ସେମାନେ ବିରୋଧ କରୁଛନ୍ତି । ଏହା ଠାରୁ ଲଜ୍ଜାଜନକ କିଛି ନୁହେଁ । ଆମ ଠାରୁ ଶିଖି ଆମ ଉପରେ ଗଙ୍ଗାଜଳ ଛିଞ୍ଚୁଛନ୍ତି । ସେମାନେ ଜାଣିଶୁଣି ଗୃହକୁ ବନ୍ଦ କରୁଛନ୍ତି । ତେଣୁ ବିଧାନସଭା କିଭଳି ସୁରୁଖୁରୁରେ ଚାଲିବ ତାହା ଉପରେ ଧ୍ୟାନ ଦେବାକୁ ଶାସକ ଦଳକୁ କହିଛନ୍ତି ତାରା ବାହିନୀପତି ।