ବିଜେପି-ବିଜେଡି ଚାହୁଁନାହାନ୍ତି ଚାଷୀଙ୍କ ଧାନ ଉଠୁ, କେବଳ ଡ୍ରାମା କରୁଛନ୍ତି । ମଣ୍ଡି ସମସ୍ୟାକୁ ନେଇ ବର୍ଷିଲେ ତାରା ।

102

କନକ ବ୍ୟୁରୋ : ଚାଷୀ ଆତ୍ମହତ୍ୟା କରୁଛନ୍ତି, ନବୀନ ମୋଦି ହସୁଛନ୍ତି । ଯେଉଁ ପର୍ଯ୍ୟନ୍ତ ଚାଷୀଙ୍କ ଧାନ ଉଠିନି ସେପର୍ଯ୍ୟନ୍ତ କଂଗ୍ରେସ ଦଳ ବିଧାନସଭାରେ ବିରୋଧ କରିବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ବିଧାନସଭା ଆରମ୍ଭରୁ ଆଜି ଗୃହରେ ଅଚଳାବସ୍ଥା ଜାରି ରହିଥିବା ବେଳେ ଉଭୟ ବିଜେଡି ଓ ବିଜେପି ଉପରେ ବର୍ଷିଛନ୍ତି ତାରା । ଗରିବ ଲୋକଙ୍କ ଟିକସରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ଅଧିବେଶନ ହେଉଥିଲେ ମଧ୍ୟ ଗୃହ ଚାଲୁନାହିଁ । ଜାଣିଶୁଣି ଉଭୟ ବିଜେପି-ବିଜେଡି ଗୃହ ଚଲାଇ ଦେଉନାହାନ୍ତି । ତେଣୁ ବାଚସ୍ପତି ତୁରନ୍ତ ସର୍ବଦଳୀୟ ବୈଠକ ଡାକି  ଏ ବାବଦରେ ଆଲୋଚନା ସହ ଗୃହ କାର୍ଯ୍ୟକୁ ସ୍ୱାଭାବିକ କରିବାକୁ ପଦକ୍ଷେପ ନିଅନ୍ତୁ ବୋଲି କହିଛନ୍ତି ତାରା ।

ମଣ୍ଡିରୁ ଧାନ ଉଠିବା ନେଇ ମନ୍ତ୍ରୀ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହାକୁ କାର୍ଯ୍ୟକାରୀ କରୁନାହାନ୍ତି । ଚାଷୀଙ୍କ ଧାନ ଯେପରି ନ ଉଠୁ ତାହା ଉଭୟ ବିଜେପି-ବିଜେଡି ଚାହୁଁଛନ୍ତି, କେବଳ ଡ୍ରାମା କରୁଛନ୍ତି ବୋଲି କହିଛନ୍ତି ତାରା । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦାୟିତ୍ୱ ଚାଷୀଙ୍କ ଧାନ ଉଠାଇବା, କିନ୍ତୁ ଏଭଳି ନ କରି କେବଳ ପରସ୍ପର ଉପରେ ଦୋଷ ଲଦୁଛନ୍ତି । ମାନ୍ୟବର ମନ୍ତ୍ରୀ ବୈଠକ ଡାକି ଆଲୋଚନା କରିବା ସହ ଚାଷୀଙ୍କ ଧାନ ଉଠାନ୍ତୁ ନହେଲେ ଆମେ ଆନ୍ଦୋଳନ କରିବୁ । ଗୃହ ଚାଲିବା ଦରକାର ଓ ଚାଷୀଙ୍କ ଧାନ ଉଠିବା ଦରକାର ବୋଲି କହିଛନ୍ତି ତାରା । ତେବେ ଗୃହରେ ବିଜେପି ବିଧାୟକ ଆତ୍ମହତ୍ୟା ଉଦ୍ୟମ କରିବା ଦୁଭାଗ୍ୟଜନକ ବୋଲି କହିଛନ୍ତି ତାରା ।