ପିସିସି ଶୃଙ୍ଖଳା କମିଟି ନୋଟିସ ନେଇ ତାରାଙ୍କ ପ୍ରତିକ୍ରିୟା : କହିଲେ,ବିଧାନସଭାରେ ବ୍ୟସ୍ତ ଥିବାରୁ ଦେଇପାରିନି ଜବାବ

59

କନକ ବ୍ୟୁରୋ : ପିସିସି ଶୃଙ୍ଖଳା କମିଟିର ନୋଟିସର ଉତର ଦେବା ପାଇଁ ତାରା ପ୍ରସାଦ ବାହିନୀପତିଙ୍କ ପାଖରେ ସମୟ ନାହିଁ  । କଂଗ୍ରେସ ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକଙ୍କୁ ତାରା ପ୍ରସାଦ ବାହିନୀପତି କହିଛନ୍ତି, ଶୃଙ୍ଖଳା କମିଟି ନୋଟିସର ଉତର ଦେବା ପାଇଁ ତାଙ୍କ ପାଖରେ ସମୟ ନାହିଁ । ବିଧାନସଭା ଅଧିବେଶନରେ ବ୍ୟସ୍ତ ଥିବାରୁ ସେ ଉତର ଦେଇପାରିନାହାନ୍ତି ।

କଂଗ୍ରେସରୁ ତାଙ୍କୁ କେହି କାଢିପାରିବେ ନାହିଁ ବୋଲି କହିଛନ୍ତି ତାରା । ଏହାସହ ସେ ଏହା ବି କହିଛନ୍ତି, ତାଙ୍କ ଅଧିକାର କେହି ତାଙ୍କ ଠାରୁ ଛଡାଇ ନେଇ ପାରିବେ ନାହିଁ । ତେବେ ପଂଚାୟତ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ପିସିସି ସଭାପତି ଓ ପିସିସି ପ୍ରଭାରୀଙ୍କ ବିରୋଧରେ ମନ୍ତବ୍ୟ ଦେଇଥିଲେ କିଛି କଂଗ୍ରେସ ନେତା । ଏମିତିକି ପ୍ରଭାରୀ ଓ ସଭାପତିଙ୍କ ଇସ୍ତଫା ଦାବି କରିଥିଲେ । ଏହି ଘଟଣାରେ କଂଗ୍ରେସ ୩ ଟାଣୁଆ ନେତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା ପିସିସି ଶୃଙ୍ଖଳା କମିଟି । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି, ସୁନ୍ଦରଗଡ ତଳସେରା ବିଧାୟକ ପ୍ରଫୁଲ୍ଲ ମାଝୀ ଓ କଂଗ୍ରେସ ନେତା ଅନନ୍ତ ସେଠୀଙ୍କୁ ନୋଟିସ୍ କରିଛି ଶୃଙ୍ଖଳା କମିିଟି ।