କନକ ବ୍ୟୁରୋ : ତାରାଙ୍କ ନାଁରେ ପୁଲିସର ମାମଲା । ଗତକାଲି କଂଗ୍ରେସର ହରତାଳ ବେଳେ ହାଇକୋର୍ଟ ନିର୍ଦ୍ଦେଶ ମାନିନଥିବା ଅଭିଯୋଗରେ ତାରାପ୍ରସାଦ ବାହିନୀପତିଙ୍କ ନାଁରେ ମାମଲା ରୁଜୁ କରୁଛି ଜୟପୁର ପୁଲିସ । ଏହାସହ ଅନ୍ୟ ୨୦ଜଣଙ୍କ ନାଁରେ ବି ମାମଲା ହୋଇଛି । କୋର୍ଟଙ୍କ ନିର୍ଦ୍ଦେଶ ସତ୍ୱେ ଜୟପୁର ବିଧାୟକ ଗାଡି ମଟର ଅଟକାଇଥିଲେ । ତେଣୁ ପୁଲିସ ମାମଲା ରୁଜୁ କରଛି ବୋଲି କହିଛନ୍ତି ଜୟପୁର ଏସଡିପିଓ ।
ଶୁକ୍ରବାର ସକାଳ ୬ରୁ ମଧ୍ୟାହ୍ନ ୧୨ଟା ଯାଏ କଂଗ୍ରେସ ହରତାଳ କରିଥିଲା। କର୍ମୀମାନେ ବସ୍ଷ୍ଟାଣ୍ଡ, ରେଳଷ୍ଟେସନ, ରାଜପଥ ଓ ସହରର ବିଭିନ୍ନ ପ୍ରମୁଖ ସ୍ଥାନରେ ଛିଡ଼ାହୋଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜନସାଧାରଣଙ୍କୁ ବୁଝାଇଥିଲେ । ଭୁବନେଶ୍ବର, କଟକ ସମେତ ବିଭିନ୍ନ ସ୍ଥାନରେ ସାଧାରଣ ଲୋକଙ୍କୁ କଂଗ୍ରେସ କର୍ମୀ ଚକୋଲେଟ୍ ଦେଇ ମମିତାଙ୍କୁ ନ୍ୟାୟ ପାଇଁ ଚାଲିଥିବା ଆନ୍ଦୋଳନରେ ସାମିଲ ହେବାକୁ ଆହ୍ବାନ ଦେଇଥିଲେ । ବାଇକ୍ ଶୋଭାଯାତ୍ରା ସହର ପରିକ୍ରମା କରି ପ୍ରତ୍ୟେକ ଲୋକଙ୍କୁ ଏହି ଅନ୍ୟାୟ ବିରୋଧରେ ସ୍ବର ଉତ୍ତୋଳନ କରିବାକୁ ଆହ୍ବାନ ଦେଇଥିଲେ ।
ଜିଲ୍ଲାରେ ଜିଲ୍ଲାପାଳ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପିକେଟିଂ ହୋଇଥିବା ବେଳେ ରାଜଧାନୀରେ ରେଳଷ୍ଟେସନ, ମାଷ୍ଟରକ୍ୟାଣ୍ଟିନ୍ ଓ ବସ୍ଷ୍ଟାଣ୍ଡରେ ପିକେଟିଂ ହୋଇଥିଲା। ତେବେ ରେଳଯାତ୍ରା ପ୍ରଭାବିତ ହୋଇନଥିବା ରେଳବାଇ ପକ୍ଷରୁ କୁହାଯାଇଛି । ବିଭିନ୍ନ ସ୍ଥାନରେ ବ୍ୟାବସାୟିକ ପ୍ରତିଷ୍ଠାନ ବନ୍ଦ ଥିବାର ଦେଖାଯାଇଥିଲା । ରାଜ୍ୟରେ ବସ୍ସେବା ସ୍ବାଭାବିକ ଥିଲା। ମାଲ୍ ପରିବହନ ମଧ୍ୟ ଯଥାରୀତି ଚାଲିଥିଲା । ତେବେ ପୂର୍ବରୁ ବନ୍ଦ ଡାକରା ଦିଆଯାଇଥିବାରୁ ବସ୍ଗୁଡ଼ିକରେ ଯାତ୍ରୀଙ୍କ ସଂଖ୍ୟା କମ୍ ଥିଲା । ପେଟ୍ରୋଲ ଟାଙ୍କି, ସରକାରୀ ଓ ବେସରକାରୀ ପ୍ରତିଷ୍ଠାନଗୁଡ଼ିକ ଖୋଲା ଥିଲା ।
ହରତାଳ ପରେ କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବୀ ବିଶ୍ବାଳ ଓ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଅଭିଯୋଗ କରିଥିଲେ କି ବିଜେଡି ସରକାର ଅହଙ୍କାର ସୀମା ପାର କରିଛି । ଗୋଟିଏ ମମିତା ମେହେର ନୁହେଁ, ବରଂ ବେବିନା, କୁନ୍ଦୁଲି, ମାଧବୀଲତା ସରକାରର ଅସଲ ଚେହେରାକୁ ପଦାରେ ପକାଇଛି । ମୁଖ୍ୟମନ୍ତ୍ରୀ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ କଳାହାଣ୍ଡିରେ ଗୋଟିଏ ମଂଚରେ ପାଖରେ ବସାଇ ତାଙ୍କୁ ସୁରକ୍ଷା ଦେଉଥିବା ପ୍ରମାଣ କରିଛନ୍ତି । ଏପଟେ ଯେଉଁମାନେ ହାଇକୋର୍ଟରେ ବନ୍ଦ ବିରୋଧରେ ମକଦ୍ଦମା ଲଢ଼ୁଥିଲେ, ସେମାନେ ବିଜେଡି ଲିଗାଲ ସେଲର କର୍ମକର୍ତ୍ତା । କଂଗ୍ରେସ ହରତାଳକୁ ଭଣ୍ଡୁର କରିବା ପାଇଁ ବିଜେଡି ଉଦ୍ୟମ କରୁଥିଲା ତାହା ଏଥିରୁ ପ୍ରମାଣିତ ହୋଇଛି ।