ଗୁମର ଖୋଲିଲା ତାରା ଦତଙ୍କ ପୁସ୍ତକ ! ବଡ଼ ବଡ଼ିଆଙ୍କ ପୃଷ୍ଠପୋଷକତାରେ ହୋଇଛି ଶହ ଶହ ଏକର ଜମି ହରିଲୁଟ୍, ପ୍ରଶାସନିକ ତ୍ରୁଟି ଓ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ସଂପର୍କରେ ବହିରେ ରହିଛି ବିସ୍ତୃତ ବିବରଣୀ ।

428

କନକ ବ୍ୟୁରୋ : ଆସନ୍ତା ୧୮ ତାରିଖରେ ବିଧିବଦ୍ଧ ଭାବେ ଲୋକାର୍ପିତ ହେବାକୁ ଯାଉଛି, ପୂର୍ବତନ ପ୍ରଶାସନିକ ଅଧିକାରୀ ତାରା ଦତଙ୍କ ବହି, ହାଇଲ୍ୟାଣ୍ଡର୍ସ ପ୍ଲେନସ୍ପିକ । ତେବେ ବହି ବଜାରକୁ ଆସିବା ପୂର୍ବରୁ ଏହାକୁ ନେଇ ସରଗରମ ହୋଇଛି ଆଲୋଚନା । ପ୍ରଶାସନିକ ସ୍ତରରେ ଅନେକ ତ୍ରୁଟି ବିଚ୍ୟୁତି ଓ ବରିଷ୍ଠ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟକଳାପ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି ତାରା ଦତ । ସରକାରୀ ଦାଉ-ପେଂଚରେ କିପରି ଶହ ଶହ ମୂଲ୍ୟବାନ ଜମି ହରିଲୁଟ୍ କରାଯାଇଛି, ତାହା ବହିରେ ଦର୍ଶାଯାଇ ଛି । ବହିରେ ପ୍ରଶାସନିକ ବ୍ୟବସ୍ଥାର ଅନେକ ଅକୁହା କଥା ରହିଥିବାରୁ ଏହା ପ୍ରଶାସନିକ ମହଲରେ ଆଲୋଡନ ସୃଷ୍ଟି କରିଛି ।

କେମିତି ଚାଲେ ସରକାର ? ପ୍ରଶାସନିକ ବ୍ୟବସ୍ଥା ଭିତରେ କ’ଣ ଘଟିଥାଏ ? ପୁସ୍ତକ ମାଧ୍ୟମରେ ଗୁମର ଖୋଲିଲେ ତାରା ଦତ । ଏକଦା ଓଡିଶାର ପାୱାର କରିଡରର ସବୁଠୁ ଚର୍ଚ୍ଚିତ ଚେହେରା ଥିଲେ ପୂର୍ବତନ ଅତରିକ୍ତ ଶାସନ ସଚିବ ତାରା ଦତ । କଡ଼ା ଅଫିସର ଭାବେ ବେଶ ଖ୍ୟାତି ଥିଲା ତାଙ୍କର । ଚାକିରି କାଳରେ ଯେମିତି ଚର୍ଚ୍ଚିତ ଥିଲେ, ଅବସର ନେବା ପରେ ତାଙ୍କ ବହିକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ବହି ଲୋକାର୍ପିତ ହୋଇନି, ହେଲେ ଏହା ପୂର୍ବରୁ ପ୍ରଶାସନିକ ମହଲରେ ବହିକୁ ନେଇ ସୃଷ୍ଟି ହୋଇଛି ହଟଚମଟ ।

ଆସନ୍ତା ୧୮ ତାରିଖରେ ବିଧିବଦ୍ଧ ଭାବେ ଲୋକାର୍ପିତ ହେବ, ତାରା ଦତଙ୍କ ବହି ହାଇଲ୍ୟାଣ୍ଡର୍ସ ପ୍ଲେନସ୍ପିକ, ଆନ୍ ଆଡମିନିଷ୍ଟ୍ରେଟିଭ୍ ରେଡ୍ ଅର୍ଥାତ୍ ପ୍ରଶାସନ ସମ୍ବନ୍ଧୀୟ ପରାମର୍ଶ । ତେବେ ବହି ବଜାରକୁ ଆସିବା ପୂର୍ବରୁ ଏହାକୁ ନେଇ ସରଗରମ ହୋଇଛି ଆଲୋଚନା ।

ଏକ ଘରୋଇ କଂପାନୀରେ ଏହି ବହି ଉପଲବ୍ଧ ହେବା ପରେ ସାମ୍ନାକୁ ଆସିଛି ପ୍ରଶାସନିକ ମହଲର କିଛି ଗୁମର କଥା । ତାରା ଦତ ତାଙ୍କ ପୁସ୍ତକରେ ଉଲ୍ଲେଖ କରିଛନ୍ତି, ସରକାରୀସ୍ତରରେ ଏପରି କିଛି କାର୍ଯ୍ୟ ହେଉଛି, ତାହା ସରକାର ନିଜେ ବି ଜାଣି ପାରୁନାହାନ୍ତି । ବରିଷ୍ଠ ଅଧିକାରୀମାନଙ୍କ ପୃଷ୍ଠପୋଷକତାରେ କିପରି ଭୁବନେଶ୍ୱରରେ ଜମି ମାଫିଆଙ୍କ ଦୌରାତ୍ମ ବୃଦ୍ଧି ପାଇଛି, ତାହା ବର୍ଣ୍ଣନା କରିଛନ୍ତି ତାରା ଦତ ।
ତାରା ଦତଙ୍କ ଏହି ବହି, ପ୍ରଶାସନ ଓ ସରକାରୀ ସ୍ତରରେ ହେଉଥିବା ଅନେକ ତ୍ରୁଟି ସାମ୍ନାକୁ ଆଣିବ ବୋଲି ଆଶା କରାଯାଉଛି । କଣ ରହିଛି ଏହି ପୁସ୍ତକରେ, ପ୍ରଶାସନର କେଉଁ ଅକୁହା କଥା ସାମନାକୁ ଆସିବ, ଏ ନେଇ ବୁଦ୍ଧିଜୀବୀ ମହଲରେ ଉତ୍କଣ୍ଠା ପ୍ରକାଶ ପାଇଛି ।

ଭୁବନେଶ୍ୱରରେ ବସ୍ତି ବଢିବା ପଛରେ କ’ଣ ରହିଛି କାରଣ, ବର୍ଣ୍ଣନା କରିଛନ୍ତି ତାରା ଦତ । ପ୍ରଶାସନିକ ଦାଉପେଂଚରେ କିପରି ବିଡିଏ, ହାଉସିଂବୋର୍ଡ ଓ ସିଡିଏରେ ଜମି ଦୁର୍ନୀତି ହୋଇଛି, ଏହି ପୁସ୍ତକରେ ଗୋଟି ଗୋଟି କରି ଦର୍ଶାଯାଇଛି । ଭୁବନେଶ୍ୱର ଉପକଣ୍ଠରେ ଜମିର କିସମ ବଦଳାଇ କିପରି ଶହ ଶହ ଏକର ଜମି ହାତେଇଛନ୍ତି ଜମି ମାଫିଆ, ତାହା ମଧ୍ୟ ଉଲ୍ଲେଖ ରହିଛି । ଭୁବନେଶ୍ୱର ଓ ଜଟଣୀରେ କିଭଳି ଶିକ୍ଷାନୁଷ୍ଠାନ ଆଳରେ ଅଣଓଡ଼ିଆମାନେ ଜମି ଲୁଟି ନେଇଛନ୍ତି, ସେସବୁର ଟିକିନିଖି ବର୍ଣ୍ଣନା ରହିଛି ତାରାଦତଙ୍କ ପୁସ୍ତକରେ ।

୩୩ ବର୍ଷର ପ୍ରଶାସନିକ କାର୍ଯ୍ୟ ଭିତରେ କେତେଗୁଡିଏ ସଂସ୍କାର ମୂଳକ ପଦକ୍ଷେପ ନେଇଥିବା ଦର୍ଶାଇଛନ୍ତି ତାରା ଦତ । ଟାସ୍କ ଫୋର୍ସ ଗଠନ କରି ଇଚ୍ଛଧୀନ କୋଟାରେ କଟକ ଓ ଭୁବନେଶ୍ୱରରେ ହୋଇଥିବା ଜମି ଓ ଘର କେଳେଙ୍କାରୀର ଗୁମର ଖୋଲିଥିଲେ ସେ ।