ପଦ୍ମପୁରରେ ‘ରେଡ’ ରାଜନୀତି, ତାରା ମାରିଲେ ବାଣ । କହିଲେ ଆଇଟି ଓ ଜିଏସଟିକୁ ପଦ୍ମପୁରରେ ଅସ୍ତ୍ର ଭଳି ବ୍ୟବହାର କରୁଛନ୍ତି ବିଜେପି ଓ ବିଜେଡି ।

91

କନକ ବ୍ୟୁରୋ : ପଦ୍ମପୁରରେ ଆଇଟି ଓ ଜିଏସଟି ରେଡକୁ ନେଇ ସରଗରମ ରାଜ୍ୟ ରାଜନୀତି । ଆଉ ଏଭଳି ରେଡକୁ ନେଇ ଉଭୟ ବିଜେପି ଓ ବିଜେଡି ଉପରେ ବର୍ଷିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । ପଦ୍ମପୁରରେ ଆଇଟି ଓ ଜିଏସଟି ନୁହେଁ ବରଂ ପଲିଟିକାଲ ରେଡ ଚାଲିଛି । ଉପ-ନିର୍ବାଚନକୁ ଦୃଷ୍ଟିରେ ରଖି ଉଭୟ ଦଳ ନିଜ ନିଜ ଅସ୍ତ୍ର ବ୍ୟବହାର କରୁଛନ୍ତି । ବିଜେପି ଇଡି ଓ ସିବିଆଇକୁ ବ୍ୟବହାର କରୁଛି, ବିଜେଡି ଜିଏସଟି ଓ କ୍ରାଇମବ୍ରାଞ୍ଚକୁ ବ୍ୟବହାର କରୁଛି । ତେବେ ଏହାଦ୍ୱାରା ସାଧାରଣ ଲୋକଟିଏ ହନ୍ତସନ୍ତ ହେଉଛି । ବ୍ୟବସାୟୀ ଅଧିକ ମାତ୍ରାରେ ପ୍ରଭାବିତ ହେଉଛନ୍ତି ।

ଏହି ପଲିଟିକାଲ ରେଡ୍ ବାବଦରେ ଲୋକେ ଭଲ ଭାବେ ଜାଣି ସାରିଲେଣି । ଲୋକଙ୍କର ଚିନ୍ତାଧାରା ବଦଳିଗଲାଣି । ପଦ୍ମପୁରରେ ଏହାର ପ୍ରଭାବ ନିଶ୍ଚୟ ପଡିବ । ୨୦୨୪ରେ ଲୋକେ କଂଗ୍ରେସକୁ ହିଁ ଭୋଟ ଦେବେ ।

ଅନ୍ୟପଟେ ଏହି ରେଡକୁ ନେଇ ମତ ରଖିଛନ୍ତି ଉଭୟ ବିଜେପି ଓ ବିଜେଡି । ବିଜେପି ଦଳର ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ଆଇଟି ରେଡ୍ ପୂର୍ବ ନିର୍ଦ୍ଧାରିତ ହୋଇଥାଏ। କିନ୍ତୁ ଏହା ପରେ ଜିଏସଟି ରେଡ୍ ହେବାରୁ ସ୍ପଷ୍ଟ ଯେ ଶାସକ ବିଜେଡ଼ି ଆକ୍ରୋଶ ମୂଳକ ପଦକ୍ଷେପ ନେଇଛି, ଯାହାକୁ ବଣିକ ସଂଘ ବିରୋଧ କଲା । ସେହିଭଳି ବିଜେଡି ବିଧାୟକ ଶଶୀଭୂଷଣ ବେହେରା କହିଛନ୍ତି,ରାଜ୍ୟ ସରକାର ଚାହିଁଥିଲେ ଜିଏସଟି ରେଡ୍ କେବେଠୁ ଆରମ୍ଭ କରି ଥାଇ ପାରିଥାନ୍ତେ । କିନ୍ତୁ ନିର୍ବାଚନ ସମୟରେ ଆଇଟି ରେଡ୍ କରି ଏଭଳି ପରମ୍ପରାର ଉପକ୍ରମ ବିଜେପି ଆରମ୍ଭ କରିଛି ।