ବିଷ୍ଣୁ ସେଠୀଙ୍କ ଆକ୍ଷେପର ଉତ୍ତର ରଖିଲେ ତାରା । କହିଲେ ଏକାଠି ଅଛନ୍ତି ବିଜେଡ଼ି-ବିଜେପି, କଂଗ୍ରେସକୁ ଟାର୍ଗେଟ୍ ପାଇଁ ଚାଲିଛି ପ୍ରତିଯୋଗିତା ।

175

କନକ ବ୍ୟୁରୋ : ବିଧାନସଭାରେ ଗଙ୍ଗାଜଳ ଛିଞ୍ଚି ପବିତ୍ର କରିବା ପ୍ରସଙ୍ଗରେ କଂଗ୍ରେସକୁ ଆକ୍ଷେପ କରିଥିଲେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ । ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି, ରାଜ୍ୟରେ ବିଜେପି-ବିଜେଡି ଏକ । କେନ୍ଦ୍ରରେ ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଚାଷୀଙ୍କ ଉପରେ ଗାଡି ଚଢାଇବା ଘଟଣାରେ ଗିରଫ ହୋଇ ଜେଲରେ ଅଛନ୍ତି । ତାଙ୍କ ଇସ୍ତଫା ଦାବି ହେଉଛି, କିନ୍ତୁ କୌଣସି ପଦକ୍ଷେପ ନେଉନାହାନ୍ତି ମୋଦୀ ସରକାର । ତେଣୁ ବିଜେପି ଏଠି ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବହିସ୍କାର ଦାବି କରିବା ଅଧିକାର ହରାଇଛି ।

ପୂରୋହିତ ହୋଇ ବିଧାନସଭା ତଥା ବାଚସ୍ପତିଙ୍କୁ ପବିତ୍ର କରିବାକୁ ଉଦ୍ୟମ । ମମିତା ମେହେର ହତ୍ୟା ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବହିଷ୍କାର ହେବା ପରିବର୍ତ୍ତେ ଗୃହ କାର୍ଯ୍ୟରେ ସାମିଲ ହେବାକୁ ନେଇ କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ପ୍ରତିବାଦ । ଶନିବାର ପୂଜକ ବେଶରେ ବିଧାନସଭା ଗୃହକୁ ଆସି ତୁଳସୀ ଓ ଗଙ୍ଗାଜଳ ଛିଞ୍ଚିଥିଲେ ତାରା । ଯାହାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ, ତାରାଙ୍କ ଏହି ଅଭିନବ ପ୍ରତିବାଦ ପରେ ତାଙ୍କୁ କଟାକ୍ଷ କରିଥିଲେ ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀ । ଆଉ ଏବେ ଏହାର ଜବାବ ରଖିଛନ୍ତି ତାରା ।

ଏପଟେ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ କ୍ରମାଗତ ଭାବରେ ଚାରି ଦିନ ଧରି ଗୃହ କାର୍ଯ୍ୟ ଚାଲିନପାରିବା ପରେ ସୋମବାର ବିରୋଧୀ ଓ ସରକାରୀ ଦଳର ଆଭିମୁଖ୍ୟ କଣ ରହିବ ତାକୁ ନେଇ ପ୍ରଶ୍ନ ଉଠିଛି । ଉଭୟ ବିରୋଧୀ ଓ ସରକାର ନିଜ ଜିଦରେ ଅଟଳ ଥିବାରୁ ଗୃହକାର୍ଯ୍ୟ ସ୍ୱାଭାବିକ ହେବ ନା ହଟ୍ଟଗୋଳ ଜାରି ରହିବ ତାହା ଉପରେ ସମସ୍ତଙ୍କ ନଜର ।

ମମିତା ହତ୍ୟା ପ୍ରସଙ୍ଗରେ ସରକାରଙ୍କୁ ଘେରିବାର କୌଣସି ସୁଯୋଗ ହାତଛଡା କରିବାକୁ ଚାହୁଁନାହାନ୍ତି ବିରୋଧୀ । କିନ୍ତୁ ସୂଚନା ଅନୁସାରେ ଆସନ୍ତା ସୋମବାର ଠାରୁ ଶନିବାର ପର୍ଯ୍ୟନ୍ତ ବିଧାନସଭାରେ ଉପସ୍ଥିତ ରହିବାକୁ ସମସ୍ତ ବିଜେଡି ବିଧାୟକଙ୍କୁ ହ୍ୱିପ୍ ଜାରି କରାଯାଇଛି । ତେଣୁ ଅନୁମାନ କରାଯାଉଛି, କିଛି ଗୁରୁତ୍ୱପୂର୍ଣ୍ଣ ବିଲ୍ ଉପସ୍ଥାପନ କରାଯିବ ଏବଂ ବିଧାନସଭାକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ବନ୍ଦ କରାଯିବା ସପକ୍ଷରେ ଅଛନ୍ତି ସରକାର ।