ପୁଣି ନେତା ଅଫିସର ମୁହାଁମୁହିଁ । ପାପଡାହାଣ୍ଡି ବିଡିଓଙ୍କ ସହ ତାରା ବାହିନୀପତିଙ୍କ କଥା କଟାକଟି ।

337

କନକ ବ୍ୟୁରୋ: ପୁଣି ନେତା-ଅଫିସର ମୁହାଁମୁହିଁ । ଦେବଗଡ ତିଲେଇବଣି ବିଡିଓଙ୍କୁ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ମାଡ ମାରି ଜେଲ ଯାଇଛନ୍ତି ଆଉ ଏପଟେ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡିର ମହିଳା ବିଡିଓଙ୍କ ସହ ମୁହାଁମୁହିଁ ହୋଇଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ପାପଡା ହାଣ୍ଡି ଜୋନ୍-୨ ର କଂଗ୍ରେସ ଜିଲ୍ଲା ପରିଷଦ ସଦସ୍ୟା ଡକ୍ଟର ଲିପିକା ମାଝୀଙ୍କ ନେତୃତ୍ୱରେ ପାପଡାହାଣ୍ଡି ବ୍ଲକ ଆଗରେ ଗତକାଲିଠାରୁ ଆନ୍ଦୋଳନ କରୁଛି କଂଗ୍ରେସ । ୧୬ ଦଫା ଦାବି ନେଇ ଏହି ଆନ୍ଦୋଳନ ଚାଲିଥିବାବେଳେ ଆଜି ସେଠାରେ ପହଞ୍ଚିଥିଲେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ।

ଦଳୀୟ ନେତା ଓ କର୍ମୀଙ୍କ ମନୋବଳ ବଢାଇବା ପାଇଁ ଆନ୍ଦୋଳନ ସ୍ଥଳରେ ନିଜର ମନ୍ତବ୍ୟ ରଖିଥିଲେ । ବ୍ଲକ ଅଫିସ ସାମ୍ନାରେ କଂଗ୍ରେସର ଆନ୍ଦୋଳନ ଚାଲିଥିବାବେଳେ ବିଡିଓ ରଞ୍ଜିତା ମଲ୍ଲିକ ମଧ୍ୟାହ୍ନ ଭୋଜନ ପାଇଁ କାର୍ଯ୍ୟାଳୟରୁ ବାହାରକୁ ବାହାରିଥିଲେ । ହେଲେ ତାଙ୍କ ବାଟ ଓଗାଳିଥିଲେ ବିଧାୟକ ତାରା ପ୍ରସାଦ ବାହିନୀପତି । ବିଡିଓ ବିଭିନ୍ନ ପ୍ରକାର ଦୁର୍ନୀତିରେ ଲିପ୍ତ ଥିବା କହି ସିଧାସଳଖ ଚାର୍ଜ କରିଥିଲେ ବିଧାୟକ । ଜବାବରେ ବିଡିଓ ମଧ୍ୟ ବିଧାୟକଙ୍କୁ ଦୁର୍ନୀତିଗ୍ରସ୍ତ କହି ପାଲଟା ଆକ୍ଷେପ କରୁଥିବା ଭିଡିଓରୁ ଦେଖବାକୁ ମିଳିଛି ।

ତେବେ ଦୁହିଁଙ୍କ ଭିତରେ ବେସ କିଛି ସମୟ କଥା କଟାକଟି ହୋଇଥିଲା । ଏହି ସମୟରେ ବିଡିଓଙ୍କୁ ଘେରି ରହିଥିଲେ କଂଗ୍ରେସ କର୍ମୀ । ଫଳରେ ସେ ଆଉ ମଧ୍ୟାହ୍ନ ଭୋଜନ କରିବାକୁ ଯାଇପାରି ନଥିଲେ । ତେବେ ବିଡିଓ ଏବଂ ବିଧାୟକଙ୍କ ଭିତରେ ଉଚ୍ଚବାଚ ଚାଲିଥିବାବେଳେ ସେଠାରେ ପହଞ୍ଚିଥିଲେ ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ । ବୁଝାସୁଝା ପରେ ବିଡିଓ ସେଠାରୁ ଚାଲିଯାଇଥିଲେ ମଧ୍ୟ ପରେ ଧାରଣାସ୍ଥଳକୁ ଆସି ତାଙ୍କ ବ୍ୟବହାର ପାଇଁ କ୍ଷମା ମାଗିଥିବା ଜଣାପଡିଛି । ଏପଟେ ଆସନ୍ତା ଗୋଟଏ ମାସ ଭିତରେ ଦାବି ପୂରଣ ନହେଲେ ପୁଣିଥରେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି କହିଛନ୍ତି ବିଧାୟକ ତାରା ପ୍ରସାଦ ବାହିନୀପତି ।