କୋରାପୁଟ ପରବ ମଂଚରେ ଏକାଠି ହେଲେ ସାଂସଦ ସପ୍ତଗିରି ଉଲାକା ଓ ବିଧାୟକ ତାରା ବାହୀନିପତି, କୋଳାକୋଳି ହେବା ସହ ମଂଚରେ ନାଚିଲେ ଦୁଇ କଂଗ୍ରେସ ନେତା

118

କନକ ବ୍ୟୁରୋ : ଗୋଟିଏ ମଂଚରେ ଏକାଠି ହେଲେ ମାମୁଁ-ଭଣଜା । କୋଳାକୋଳି ହେଲେ, ପରସ୍ପରର ହାତ ମିଳାଇଲେ । ଆଉ ଖୁବ୍ ନାଚିଲେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବୋରିଗୁମ୍ମାରେ ଆୟୋଜିତ ପରବ ଉତ୍ସବରେ । ଉତ୍ସବରେ ସାମିଲ ହୋଇଥିଲେ ଜୟପୁର ବିଧାୟକ ତାରା ବାହିନୀପତି ଓ କୋରାପୁଟ ସଂସଦ ସପ୍ତଗିରି ଉଲାକା । ଯେତେବେଳେ ଦୁଇ ନେତା ଏକାଠି ଗୋଟିଏ ମଂଚରେ ଥିଲେ, ସେତେବେଳର ଦୃଶ୍ୟ ବେଶ୍ ରୋଚକ ଥିଲା । ଦୁହେଁ କେବଳ କୋଳାକୋଳି ହୋଇନଥିଲେ, ସପ୍ତଗିରି ଉଲାକା ତାରା ବାହିନୀପତିଙ୍କ ଗୋଡ ଛୁଇଁ ମୁଣ୍ଡିଆ ମାରିଥିଲେ । ସପ୍ତଗିରି କହିଛନ୍ତି, ତାରାଙ୍କ ସହିତ ତାଙ୍କର କୌଣସି ବିବାଦ ନାହିଁ ।

ଅନେକ ସମୟରେ ଉଭୟ ନେତା ପରସ୍ପରକୁ ସମାଲୋଚନା କରି ଚର୍ଚ୍ଚାରେ ରହିଥାନ୍ତି । କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ପଦରୁ ମୀନାକ୍ଷୀ ବାହିନୀପତି ହଟିବା ପରେ ଉଭୟ ସାଂସଦ ଓ ବିଧାୟକଙ୍କ ମଧ୍ୟରେ ବିବାଦ ଉପୁଜିଥିଲା । ଦୁହେଁ ବିଭିନ୍ନ ସମୟରେ ସରକାରୀ ସମୀକ୍ଷା ବୈଠକରେ ଉପସ୍ଥିତ ରହୁଥିଲେ ବି ପରସ୍ପର ସହ କଥା ହେଉନଥିଲେ । କିନ୍ତୁ ନିର୍ବାଚନ ପାଖେଇ ଆସୁଥିବା ବେଳେ ଜିଲ୍ଲାର ଦୁଇ କଂଗ୍ରେସ ନେତା ଏକାଠି ହେବା ଦଳୀୟ କର୍ମୀଙ୍କୁ ଆଶ୍ୱସ୍ତି ଆଣି ଦେଇଛି । ଏନେଇ ତାରା କହିଛନ୍ତି, ଆମ ମାମୁଁ-ଭଣଜା ଭିତରେ କେବେବି କିଛି ବିବାଦ ହୋଇନାହିଁ । କିନ୍ତୁ ଏହା ବିରୋଧୀଙ୍କୁ ନିଶ୍ଚିତ ବାଧିବ ବୋଲି କହିଛନ୍ତି ତାରା ।
ଯଦିଓ ପରବ ମଂଚ ସମସ୍ତଙ୍କ ମନରେ ଏକ ଉତ୍ସାହ ଆଣିଦେଇଛି, କିନ୍ତୁ ଦୁଇ ନେତାଙ୍କ କୋଳାକୋଳି ଅଧିକ ଚର୍ଚ୍ଚା ସାଉଂଟିଛି ।