ସାଧାରଣ ମୁଣ୍ଡବ୍ୟଥା ଭାବି ୧୪ ବର୍ଷ ଧରି ଯୁବକ ଖାଉଥିଲେ ଔଷଧ , ସେପଟେ ମସ୍ତିଷ୍କରେ ଘର କରି ସାରିଥିଲେ ପୋକ। ଡାକ୍ତର ବଂଚାଇଲେ ଜୀବନ

645

ବ୍ୟସ୍ତ ଜୀବନଶୈଳୀ ଓ ଖାଦ୍ୟରେ ଅନିୟମିତତା କାରଣରୁ ଅନେକ ସମୟରେ ମୁଣ୍ଡବିନ୍ଧାର ସମସ୍ୟା ଦେଖାଦେଇଥାଏ । କିଛି ଲୋକଙ୍କ ଠାରେ ଏହା ନିତିଦିନିଆ ଅସୁବିଧାର କାରଣ ପାଲଟିଥାଏ । ଏଥିରୁ ମୁକ୍ତି ପାଇବା ପାଇଁ ଲୋକେ ଔଷଧ ସେବନ କରିଥାଆନ୍ତି ଓ ଏହା ଧିରେ ଧିରେ ଅଭ୍ୟାସରେ ପରିଣତ ହୋଇଯାଏ । କିନ୍ତୁ ସୂଦୁର ଟେକ୍ସାନରୁ ଏବେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣ ମଧ୍ୟ ଶିହରି ଉଠିବେ । ଦୀର୍ଘ ୧୪ ବର୍ଷ ହେବ ମୁଣ୍ଡବିନ୍ଧାର ରୋଗରେ ପୀଡିତ ଅଛନ୍ତି ୪୦ବର୍ଷୀୟ ଗେରାଡୌ ମାକ୍ଟେଜୁମା ।

ସୂଚନାନୁସାରେ, ଗେରାଡୌଙ୍କ ଆରମ୍ଭରୁ ମୁଣ୍ଡରେ ପ୍ରବଳ ଯନ୍ତ୍ରଣା ଅନୁଭୂତ ହେଉଥିଲା । ଏଥିରୁ ମୁକ୍ତି ପାଇବା ପାଇଁ ସେ ବଜାରରେ ମିଳୁଥିବା ସାଧାରଣ ଟାବଲେଟର ବ୍ୟବହାର କରିଆସୁଥିଲେ । ଅସହ୍ୟ ଯନ୍ତ୍ରଣା ହେବାରୁ ଡାକ୍ତରଙ୍କ ପରାମର୍ଶ ନେଇଥିଲେ । ଯାଞ୍ଚରୁ ମୁଣ୍ଡବିନ୍ଧା ହେବାର କାରଣ ସମ୍ବନ୍ଧରେ ଜଣାପଡିଥିଲା । ଗେରାଡୌଙ୍କ ମୁଣ୍ଡରେ ପୋକ ପ୍ରବେଶ କରିସାରିଥିଲା । ପୋକସଂଖ୍ୟା ବୃଦ୍ଧି ହେବା ଫଳରେ ତାଙ୍କ ମୁଣ୍ଡରେ ଅସହ୍ୟ ଯନ୍ତ୍ରଣା ଅନୁଭୂତ ହେଉଥିଲା । ଏସେନ୍ସନ ସେଟନ ମେଡିକାଲ ସେଣ୍ଟରର ନ୍ୟୁରୋଲଜିସ୍ଟ ଜାର୍ଡନ ଅମାଡିୟୋ ତାଙ୍କ ଜୀବନ ବଞ୍ଚାଇଛନ୍ତି । ଏମଆରଆଇ ଜରିଆରେ ଜଣାପଡିଥିଲା ତାଙ୍କ ମସ୍ତିଷ୍କରେ ପୋକ ପ୍ରବେଶ କରି ବଂଶ ବୃଦ୍ଧି କରିବାରେ ଲାଗିଥିଲେ । ଯାହାକୁ ମେଡିକାଲ ସାଇନ୍ସ ଭାଷାରେ “ନ୍ୟୁରୋସିସ୍ଟିସର କୋସିସ୍” କୁହାଯାଏ ।

ଡାକ୍ତରଙ୍କ କହିବା ମୁତାବକ, ଗେରାଡୌ ଯଦି ଆଉ ଟିକେ ବିଳମ୍ବ କରିଥାନ୍ତେ ତାହାଲେ ତାଙ୍କ ଜୀବନ ବଞ୍ଚାଇବା ହୁଏତ କଷ୍ଟକର ହୋଇପଡିଥାନ୍ତା । ପ୍ରତିବର୍ଷ ପାଖାପାଖି ୧୦୦୦ ରୋଗୀ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି । କିଛି ସମୟ ପୂର୍ବରୁ ଭାରତରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଥିଲା । ୮ ବର୍ଷର ବିଦିଶା (ପରିବର୍ତ୍ତିତ ନାମ)ଙ୍କ କ୍ଷେତ୍ରରେ ଏହି ରୋଗ ଦେଖାଦେଇଥିଲା । ତାଙ୍କ ମାତା ପିତା ଚିନ୍ତାରେ ପଡିଯାଇଥିଲେ । ଝିଅ ବ୍ରେନ ଟେପୱାର୍ମ ଅଣ୍ଡାର ଶିକାର ହୋଇଥିଲା । ବିଦିଶାଙ୍କ ମସ୍ତିଷ୍କରେ ଦୀର୍ଘ ୬ ମାସ ହେବ ଯନ୍ତ୍ରଣା ଅନୁଭୂତ ହେଉଥିଲା । ଯାହା ଫଳରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ଅପରେଶନ ଦ୍ୱାରା ତାଙ୍କ ଜୀବନ ବଞ୍ଚଯାଇଥିଲା । ଫୋର୍ଟିସ ହସ୍ପିଟାଲର ନ୍ୟୁରୋଲୋଜି ଡାକ୍ତରଙ୍କ କହିବା ମୁତାବକ, ମାଂସ, ଫୁଲକୋବି ଓ କିଛି ଫଳ ଖାଇବା ଦ୍ୱାରା ଟେପୱର୍ମର ପୋକ ପେଟ ଦେଇ ମଣିଷ ଶରୀରକୁ ପ୍ରବେଶ କରିଥାଏ । ଯେଉଁଠି ଅଣ୍ଡା ଦେଇ ନିଜ ବଂଶ ବୃଦ୍ଧି କରିଥାଏ । ସମୟକ୍ରମେ ଏହି ରୋଗର ଚିକିତ୍ସା ନ କରାଇଲେ ଏହା ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ । ଏହି ରୋଗ ଦ୍ୱାରା କଙ୍କାଳର ମାଂସପେଶୀ, ଆଖି ଓ ମୁହଁ ପ୍ରଭାବିତ ହୋଇଥାଏ ।