ସୁମିତଙ୍କ ଘରେ ରହିବେ ତପସ୍ୱିନୀ । ପ୍ରତିମାସରେ ଭରଣପୋଷଣ ପାଇଁ ସୁମିତଙ୍କୁ ଦେବାକୁ ପଡିବ ୧୭ ହଜାର ଟଙ୍କା ।

234

କନକ ବ୍ୟୁରୋ : ସୁମିତ-ତପସ୍ୱିନୀ ବିବାଦରେ ଆଜି ବ୍ରହ୍ମପୁର ଜିଲ୍ଲା ଜଜ୍ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଏହା ଏକ ଘରୋଇ ହିଂସା । ତେଣୁ ତପସ୍ୱିନୀ ତାଙ୍କ ସ୍ୱାମୀଙ୍କ ଘରେ ରହିବେ । କୋର୍ଟଙ୍କ ନିର୍ଦ୍ଦେଶ ପରେ ତପସ୍ୱିନୀ ସୁମିତଙ୍କ ବ୍ରହ୍ମାନଗର ବାସଭବନରେ ରହିବେ ବୋଲି କହିଛନ୍ତି । ଏଥିସହ ଡାକ୍ତର ସୁମିତ ପ୍ରତିମାସ ତାଙ୍କୁ ୧୭ ହଜାର ଟଙ୍କା ଦେବେ । ଏହି ରାୟ ପରେ ଆଜି ସଂଧ୍ୟାରେ ତପସ୍ୱିନୀ ଓ ପ୍ରଶାସନିକ ଅଧିକାରୀ ତାଙ୍କ ଘର ଭିତରେ ପଶି କେଉଁଠି ରହିବେ ସେ ନେଇ ଆଲୋଚନା କରିଛନ୍ତି । ତାଙ୍କ ଶ୍ୱଶୁର କହିଛନ୍ତି ଦୁଇ ଦିନ ଭିତରେ ଗୋଟିଏ ରୁମ ସଫା ହୋଇଯିବ ଓ ତପସ୍ୱିନୀ ସେହି ରୁମରେ ରହିବେ ।

ସୁମିତଙ୍କ ଘରେ ରହିବେ ତପସ୍ୱିନୀ । ସୁମିତ ପ୍ରତିମାସରେ ଦେବେ ୧୭ହଜାର ଟଙ୍କା । ଗଞ୍ଜାମର ବହୁ ଚର୍ଚ୍ଚିତ ଦମ୍ପତି ଡାକ୍ତର ସୁମିତ ସାହୁ-ତପସ୍ୱିନୀଙ୍କ ବୈବାହିକ ବିବାଦ ମାମଲାରେ ବ୍ରହ୍ମପୁର ଜିଲ୍ଲା କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ସୁମିତଙ୍କ ସହ ତାଙ୍କ ବ୍ରହ୍ମାନଗରସ୍ଥିତ ଘରେ ତପସ୍ୱିନୀ ରହିବେ ବୋଲି କୋର୍ଟ ଆଦେଶ ଦେଇଛନ୍ତି । ଏଥିସହ ଭରଣପୋଷଣ ବାବଦକୁ ପ୍ରତିମାସରେ ତପସ୍ୱିନୀଙ୍କୁ ୧୭ ହଜାର ଟଙ୍କା ଦେବେ ସୁମିତ । ପ୍ରତିମାସ ୧୦ ତାରିଖ ସୁଦ୍ଧା ଟଙ୍କା ଦେବାକୁ କୋର୍ଟ କହିଛନ୍ତି । କୋର୍ଟଙ୍କ ରାୟ ଆସିବା ପରେ ଖୁସି ପ୍ରକାଶ କରିଛନ୍ତି ତପସ୍ୱିନୀ ।

ତପସ୍ୱିନୀ ପ୍ରାୟ ଦେଢ଼ ମାସ ହେଲା ଶ୍ୱଶୁର ଘର ଆଗରେ ଧାରଣାରେ ବସିଛନ୍ତି । ତଳ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ମଝିରେ ସାତ ଦିନ ସୁମିତଙ୍କ ସହ ରହିଥିଲେ । କିନ୍ତୁ ସୁମିତ ତାଙ୍କ ଗେଷ୍ଟହାଉସରେ ଛାଡି ଚାଲିଯିବା ପରେ ସେ ପୁଣି ଆସି ସେଠାରେ ଧାରଣାରେ ବସିଥିଲେ । ଆଉ ଶ୍ୱଶୁର ଘରେ ରହିବା ପାଇଁ ଦିଆଯାଉ ବୋଲି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ ତଳକୋର୍ଟ ତପସ୍ୱିନୀଙ୍କ ଆବେଦନକୁ ଖାରଜ କରିବା ପରେ ସେ ଜିଲ୍ଲାକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଜିଲ୍ଲା କୋର୍ଟଙ୍କ ରାୟ ଆସିବା ପରେ ଉପରକୋର୍ଟକୁ ଯିବେ ବୋଲି ସୂଚନା ଦେଇଛନ୍ତି ସୁମିତଙ୍କ ଓକିଲ । ଅସୁସ୍ଥ ଥିବା ଦର୍ଶାଇ କିଛି ଦିନ ହେବ ତାଙ୍କ ବନ୍ଧୁଙ୍କ ଘରେ ରହି ଆସୁଛନ୍ତି ସୁମିତ ।