କନକ ବ୍ୟୁରୋ : ଖୋର୍ଦ୍ଧା ତାପଙ୍ଗ ଖଣି ପୋଖରୀରେ ବୁଡ଼ି ଛାତ୍ର ନିଖୋଜ ହେବା ଘଟଣା । ଛାତ୍ରଙ୍କୁ ଖୋଜିବାକୁ ନିୟାଜିତ ହୋଇଛି ରୋବର୍ଟ । ୪ ଦିନ ପରେ ବି ଛାତ୍ରଙ୍କୁ ଉଦ୍ଧାର କରିବାରେ ରେସକ୍ୟୁ ଟିମ୍ ବିଫଳ ହୋଇଥିବାରୁ ଏବେ ରୋବର୍ଟ ଦ୍ବାରା ଛାତ୍ରଙ୍କୁ ଖୋଜିବା କାମ ଆରମ୍ଭ ହୋଇଛି । ୪ ଦିନ ତଳେ ତାପଙ୍ଗ ବଡ ସାଉଁଳି କଳିଙ୍ଗ ମୁଣ୍ଡିଆକୁ କିଛି ଛାତ୍ର ବୁଲିବାକୁ ଯାଇଥିବା ବେଳେ ଓଁମ ପ୍ରକାଶ ପାଣିରେ ବୁଡ଼ି ଯାଇଥିଲେ । ସେଲ୍ଫି ନେବା ସମୟରେ ଗୋଡ ଖସିଯିବାରୁ ପୋଖରୀରେ ବୁଡି ଯାଇଥିଲେ । ଉଦ୍ଧାର କାର୍ୟ୍ୟରେ ଅଗ୍ନିଶମ ବାହିନୀ, ଓଡ୍ରାଫ, ନାଭାଲ ଟିମ୍ ଓ ସ୍କୁବା ଡ୍ରାଇଭର ନିୟୋଜିତ ହୋଇଥିଲେ ମଧ୍ୟ ଓମ ପ୍ରକାଶଙ୍କୁ ଠାବ କରିବାରେ ବିଫଳ ହୋଇଛନ୍ତି । ୪୫ ଜଣିଆ ଟିମ୍ ପକ୍ଷରୁ ୪ ଦିନ ଅପରେସନ ଚାଲିଥିଲେ ବି ଛାତ୍ରଙ୍କ ପତ୍ତା ମିଳିନି । ଛାତ୍ରଙ୍କୁ ଖୋଜିବାରେ କ୍ୟାମେରା ମଧ୍ୟ ଫେଲ ମାରିଛି । ତେଣୁ ଏବେ ଉଦ୍ଧାର କାର୍ୟ୍ୟରେ ରୋବର୍ଟ ନିୟୋଜିତ କରାଯାଇଛି । ତାପଙ୍ଗର ଏହି ଖଣି ଅଂଚଳ ପାହାଡ଼ ଓ ନୀଳ ଜଳରାଶି ପାଇଁ ଲଦାଖର ଭ୍ରମ ସୃଷ୍ଟି କରୁଥିବାରୁ ଅନେକ ଲୋକ ଏଠାରେ ଭିଡ଼ ଜମାଉଛନ୍ତି । ତେବେ ପାଣିରେ ବୁଡ଼ି କିଛି ପର୍ୟ୍ୟଟକଙ୍କ ମୃତ୍ୟୁ ହେବା ପରେ ଏହାକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି । ତଥାପି କିଛି ପର୍ୟ୍ୟଟକ ଏଠାକୁ ବୁଲିବାକୁ ଆସୁଥିବା ବେଳେ ଦୁର୍ଘଟଣା ମଧ୍ୟ ଘଟୁଛି ।

Advertisment