ତମ୍ପଠୁ ନାଗ… ସାପ ବାହାରିଲେ ସମସ୍ତେ ଡାକନ୍ତି ତପନ ତପନ… ବାଡି ଖଣ୍ଡେ ଧରି ବିଷଧର ସାପକୁ କରନ୍ତି କାବୁ ।

234

କନକ ବ୍ୟୁରୋ: ପେଶାରେ ଗାଡି ଡ୍ରାଇଭର, ନିଶା ତାଙ୍କର ସାପ ଧରିବା । ସେ ଯେତେବଡ ସାପ ହେଇଥାଉ, ଯେତେ ବିଷଧର ହେଇଥାଉ । ଫୋନ ପାଇବା ମାତ୍ରେ ସାଙ୍ଗେ ସାଙ୍ଗେ ଧାଇଁ ଯାଆନ୍ତି ତପନ । ଆଉ ଲୋକଙ୍କ ଘରେ, କିମ୍ବା ବାଡିରେ ପଶିଥିବା ସାପକୁ ଖଣ୍ଡେ ବାଡି ସାହାଯ୍ୟରେ ଉଦ୍ଧାର କରନ୍ତି । ନା ମନରେ ଡର ଥାଏ ନା ଭୟ । ବିନା ପ୍ରଶିକ୍ଷଣରେ ବି ବିଷଧର ସାପଙ୍କୁ କାବୁ କରି ସୁରକ୍ଷିତ ଭାବେ ସବୁ ସାପକୁ ଜଙ୍ଗଲରେ ଛାଡନ୍ତି ।

କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ଗାଙ୍ଗପୁର ଗାଁର ତପନ କୁମାର ଜେନା । ରାଜକନିକା ଓ ଆଳି ଅଞ୍ଚଳରେ ସ୍ନେକ ମ୍ୟାନ ଭାବେ ପରିଚିତ । ଗାଁ ଗହଳିର ଲୋକଙ୍କ ଘରେ ଯେତେବେଳେ ବିଷଧର ସାପ ପଶିଯାଏ । ସେତେବେଳେ ଲୋକେ ଭୟରେ ଥାନ୍ତି, ଆଉ ଘରଛାଡି ବାହାରକୁ ବାହାରି ଯାଆନ୍ତି । ଆଉ ସେତିକିବେଳେ ଖୋଜାପଡନ୍ତି ତପନ । ଖବର ପାଇବା ମାତ୍ରେ ହିଁ ଖଣ୍ଡେ ଲୁହାବାଡି ଓ ଡବାଟେ ଧରି ଚାଲି ଯାଆନ୍ତି ସାପ ଧରିବାକୁ ।

ସାପ ଧରିବାର କୌଣସି ତାଲିମ ନନେଇ ବି ବିଭିନ୍ନ ସ୍ଥାନରୁ ୫ ବର୍ଷ ଭିତରେ ପ୍ରାୟ ୫୦୦ ଅଧିକ ବିଷଧର ସାପ ଧରିଲେଣି । ନାଗ, ଗୋଖର, ଅହିରାଜ ଓ ତମ୍ପ ସାପ ଭଳି ଅନେକ ଜାତିର ସାପଗୁଡିକୁ ବେସ୍ ଚତୁରତାର ସହ ଧରନିଅନ୍ତିି । ଆଉ ଉଦ୍ଧାର କରାଯାଇଥିବା ସାପକୁ ଭିତରକନିକା ଜଙ୍ଗଲରେ ଛାଡି ଦେଇ ଆସନ୍ତି । ତେବେ ସାପ ଧରିବାକୁ ତପନ କାହାଠାରୁ କିମ୍ବା କାହା ଘରୁ କୌଣସି ପାରିଶ୍ରମିକ ନେଇ ନଥାନ୍ତି ।

ସବୁଠାରୁ ବଡକଥା ହେଉଛି ଯେଉଁମାନଙ୍କ ଘରେ ସାପ ବାହାରେ ତପନ ତ ଉକ୍ତ ସାପକୁ ଉଦ୍ଧାର କରନ୍ତି ହେଲେ ଅନେକ କ୍ଷେତ୍ରରେ ଉତ୍ୟକ୍ତ ଲୋକ ସାପକୁ ପିଟି ମାରିଦେଉଥିବା ଦେଖିବାକୁ ମିଳେ । ତେଣୁ ସାପକୁ ନମାରିବାକୁ ସେ ଲୋକଙ୍କୁ ବୁଝାନ୍ତି । ତେବେ ଯେତେବେଳେ ଫରେଷ୍ଟର ଓ ସ୍ନେକହେଲ୍ପଲାଇନ ସଦସ୍ୟଙ୍କୁ ଫୋନ କଲେ ବି ସେମାନେ ଡେରିରେ ଆସିଥାନ୍ତି ସେତେବେଳେ ଫାନ ପାଇବା ମାତ୍ରକେ ନିଜ ଗାଡି ଧରି ପହଁଞ୍ଚି ଯାଆନ୍ତି ତପନ । ବିନା ତାଲିମରେ ସାପ ଧରି ଲୋକଙ୍କ ସେବା କରୁଥିବା ତପନଙ୍କୁ ତାଲିମ ଦେବାର ଆବଶ୍ୟକତା ରହିଛି । କାରଣ କେତେବେଳେ ଘଟିପାରେ ଅଘଟଣ ।