କନକ ବ୍ୟୁରୋ : ଏସିଆ କପର ସୁପର-୪ର ଶେଷ ମୁକାବିଲାରେ ଭାରତକୁ ୬ ରନରେ ମାତ୍ ଦେଇଛି ବାଂଲାଦେଶ । ଭାରତ ବିପକ୍ଷରେ ଗତ ୪ଟି ଦିନିକିଆ ମ୍ୟାଚରୁ ଏହା ବାଂଲାଦେଶର ୩ୟ ବିଜୟ । ମ୍ୟାଚ୍ ଭାରତ ନିୟନ୍ତ୍ରଣରେ ଥିଲେ ମଧ୍ୟ ଶେଷରେ ପରାଜୟକୁ ସହଜରେ ହଜମ କରି ପାରୁନାହାନ୍ତି କ୍ରିକେଟପ୍ରେମୀ । ଏହି ମ୍ୟାଚରେ ତିଲକ ବର୍ମା ଦିନିକିଆ ପଦାର୍ପଣ କରିଥିବା ବେଳେ ବାଂଲାଦେଶ ପକ୍ଷରୁ ତଞ୍ଜିମ ହସନ ସକିବ ପ୍ରଥମ ମ୍ୟାଚ୍ ଖେଳୁଥିଲେ । ବାଂଲାଦେଶ ପକ୍ଷରୁ ପଦାର୍ପଣ କରିଥିବା ତଞ୍ଜିମ ହସନ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ । ପ୍ରଥମରୁ ହିଁ ରୋହିତ ଶର୍ମାଙ୍କ ୱିକେଟ ଅକ୍ତିଆର କରି ଭାରତକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ ତଞ୍ଜିମ ।

Advertisment

ମ୍ୟାଚ ପରେ ତଞ୍ଜିମ କହିଛନ୍ତି, ରୋହିତଙ୍କ ୱିକେଟ ନେବା ମୋର ସ୍ୱପ୍ନ ଥିଲା । ମୁଁ ଲାଇନରେ ବଲ ପକାଇବା ଉପରେ ଜୋର ଦେଇଥାଏ । ଯାହା ମୋତେ ସଫଳତା ଆଣିଦିଏ । ଟିମକୁ ଲମ୍ବା ସମୟ ଧରି ବୋଲିଂ କରୁଥିବା ବୋଲରର ଆବଶ୍ୟକତା ପଡୁଥିବାରୁ ମୁଁ ଏଥିପାଇଁ ନିଜକୁ ମାନସିକ ସ୍ତରରେ ପ୍ରସ୍ତୁତ ରଖିଥାଏ । ଶେଷ ୨ଟି ବଲରେ ୮ ରନର ଆବଶ୍ୟକତା ଥିଲା । ଯାହାକୁ ଡିଫେଣ୍ଡ କରିବା ଏତେ ସହଜ ମଧ୍ୟ ନଥିଲା । କିନ୍ତୁ ୟର୍କର ପକାଇ ଏହାକୁ ମୁଁ ଅଟକାଇ ପାରିଥିଲି ଏବଂ ଶେଷରେ ଭାରତ ବିପକ୍ଷରେ ବିଜୟ ହାସଲ କରିବାରେ ସକ୍ଷମ ହୋଇଥିଲୁ ।

ତଞ୍ଜିମ ଭାରତ ବିପକ୍ଷରେ ୨ଟି ୱିକେଟ ଅକ୍ତିଆର କରିଥିଲେ । ରୋହିତ ଶର୍ମାଙ୍କ ସହ ତିଲକ ବର୍ମାଙ୍କ ୱିକେଟ ହାତେଇଥିଲେ ତଞ୍ଜିମ । ପର୍ଦାପଣ ମ୍ୟାଚରେ ଦମଦାର ପ୍ରଦର୍ଶନ ବଳରେ କ୍ରିକେଟପ୍ରେମୀଙ୍କ ମନ ଜିଣିଛନ୍ତି ତଞ୍ଜିମ । ଅନ୍ୟପଟେ ଟିମ୍ ଇଣ୍ଡିଆ ପାଇଁ ଶୁଭମାନ୍ ଗିଲ ଶତକୀୟ ଇନିଂସ ଖେଳିଥିଲେ ମଧ୍ୟ ଏହା ବିଜୟ ପାଇଁ ଯଥେଷ୍ଟ ନଥିଲା । ଶେଷ ଆଡକୁ ଅକ୍ଷର ପଟେଲ ଆକ୍ରମଣାତ୍ମକ ଇନିଂସ ଖେଳିଥିଲେ ମଧ୍ୟ ଭାରତ ବିଜୟରୁ ୬ ରନ୍ ଦୂରରେ ରହି ଯାଇଥିଲା ।