‘ମି ଠୁ’ ପରେ ତନୁଶ୍ରୀଙ୍କ ଆଶ୍ଚର୍ଯ୍ୟ କରିଦେବା ଭଳି ଖୁଲାସା, କହିଲେ ମୋତେ ହତ୍ୟା କରିବାକୁ ବାରମ୍ବାର କରାଯାଉଛି ଚେଷ୍ଟା

261

କନକ ବ୍ୟୁରୋ : ବଲିଉଡ ଅଭିନେତ୍ରୀ ତନୁଶ୍ରୀ ଦତ୍ତା ପୁଣି ଥରେ ଚର୍ଚ୍ଚା ଘେରକୁ ଆସିଛନ୍ତି । ଏକ ସାକ୍ଷାତକାର ବେଳେ ତନୁଶ୍ରୀ କହିଛନ୍ତି କି ‘ମି ଠୁ’ ନେଇ ଖୁଲାସା କରିବା ପରେ ତାଙ୍କୁ ହତ୍ୟା କରିବାକୁ ବାରମ୍ବାର ଚେଷ୍ଟା କରାଯାଉଛି । କହିରଖୁ କି ‘ମି ଠୁ’ କ୍ୟାମ୍ପେନ ବେଳେ ତନୁଶ୍ରୀ ଅଭିନେତା ନାନା ପାଟେକରଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ । ସେ କହିଛନ୍ତି କି ଏହା ପରେ ତାଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର କରାଯାଇଛି । ସେ କହିଛନ୍ତି କି ଯଦି ମୋର କିଛି ହୁଏ ତେବେ ଏଥିପାଇଁ କେବଳ ନାନା ପାଟେକର ଦାୟି ରହିବେ ।

ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ତନୁଶ୍ରୀ କହିଛନ୍ତି କି ସେ ଉଜୈନରେ ଥିବା ବେଳେ ତାଙ୍କ ଗାଡିର ବ୍ରେକ ଫେଲ କରିଦିଆଯାଇଥିଲା । ଏହାପରେ ତାଙ୍କର ଦୁର୍ଘଟଣା ହୋଇଥିଲା । ଏଥିରେ ସେ ଗୁରୁତର ହେବା ସହ ଅନେକ ଦିନ ଧରି ମେଡିକାଲରେ ପଡି ରହିଥିବା କଥା କହିଛନ୍ତି । କେବଳ ସେତିକି ନୁହେଁ ତାଙ୍କ ଚାକରାଣୀଙ୍କ ସହାୟତାରେ ତାଙ୍କୁ ଖାଦ୍ୟରେ ବିଶ ଦେଇ ହତ୍ୟା କରିବାକୁ ମଧ୍ୟ ଷଡଯନ୍ତ୍ର କରାଯାଇଥିଲା ।

ସୂଚନା ଥାଉକି ଗୋଟିଏ ସମୟରେ ବଲିଉଡରେ ‘ମି ଠୁ’ କୁ ନେଇ ଏକ କ୍ୟାମ୍ପେନ କରାଯାଇଥିଲା । ଏଥିରେ ତନୁଶ୍ରୀ ଦତ୍ତା କହିଥିଲେ କି ୨୦୦୮ ମସିହାରେ ସିନେମା ‘ଧକେ ହର୍ଣ୍ଣ ପ୍ଲିଜ’ ର ସୁଟିଂ ସେଟରେ ଅଭିନେତା ନାନା ପାଟେକର ତାଙ୍କୁ ଯୌନ ଶୋଷଣ କରିଥିଲେ । ଏନେଇ ତନୁଶ୍ରୀ ଥାନାରେ ମଧ୍ୟ ଅଭିଯୋଗ କରିଥିଲେ । ହେଲେ ଏହି ମାମଲାରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲା । ମାତ୍ର ତନୁଶ୍ରୀଙ୍କ ଏଭଳି ଅଭିଯୋଗକୁ ଖଣ୍ଡନ କରିଥିଲେ ନାନା ପାଟେକର । ସେପଟେ ଏହି ଘଟଣା ପରେ ତନୁଶ୍ରୀ ସିନେମା ଦୁନିଆରୁ ଦୂରେଇ ଯାଇଛନ୍ତି ।