କନକ ବ୍ୟୁରୋ: ଟିମ ଇଣ୍ଡିଆ ପାଇଁ କ୍ରିକେଟ ଖେଳିବା ସବୁ କ୍ରିକେଟରଙ୍କ ସ୍ୱପ୍ନ ଥାଏ । ସେଥିପାଇଁ ଏବେ ଗୋଟିଏ ବାଟ ସେ ହେଉଛି ଆଇପିଏଲ । ଆଉ ଆଇପିଏଲରେ ସ୍ଥାନ ପାଇବା ପାଇଁ ଭାରତୀୟ କ୍ରିକେଟରଙ୍କ ମଧ୍ୟରେ ଜୋରଦାର ପ୍ରତିଯୋଗୀତା ବି ଲାଗୁଛି । ଏଥିରେ କିଏ ସଫଳ ହେଉଛି ତ କିଏ ବିଫଳ । ସଫଳ ହେଉଥିବା ଲୋକ ଆଗକୁ ବଢୁଥିବା ବେଳେ ବିଫଳ ହେଉଥିବା ଲୋକ ପ୍ରୟାସ ଜାରି ରଖିଥାନ୍ତି । ଆଉ ସେମିତି ଜଣେ କ୍ରିକେଟର ହେଉଛନ୍ତି ତନୁଶ କୋଟିୟାନ୍ ।

Advertisment

ଜୀବନରେ ବାରମ୍ବାର ଅସଫଳତା ପାଇବାରେ ପରେ ତାଙ୍କ ଜୀବନରେ ଏମିତି ସଫଳତା ଆସିବ ସେ କେବେ ଭାବି ନଥିଲେ । ଆଇପିଏଲ ଅକ୍ସନରେ ସବୁ ଫ୍ରାଞ୍ଚାଇଜଙ୍କ ପାଇଁ ଅଲୋଡା ପାଲଟିଥିବା ଖେଳାଳି ତନୁଶ କୋଟିୟାନ୍ଙ୍କୁ ଏବେ ହଠାତ ଆଇପିଏଲରୁ ଡାକରା ଆସିଛି । ସେ ରାଜସ୍ଥାନ ରୟାଲ୍ସ ପାଇଁ ଏବେ ଆଇପିଏଲ ଖେଳୁଥିବାର ନଜର ଆସିବେ । ବ୍ୟକ୍ତିଗତ କାରଣରୁ ଆଇପିଏଲରୁ ଓହରିଥିବା ଆଡାମ ଜାମ୍ପାଙ୍କ ସ୍ଥାନରେ କୋଟିୟାନ୍ଙ୍କୁ ଦଳରେ ସ୍ଥାନ ମିଳିଛି ।

ତନୁଶ କୋଟିୟାନ । ଏହି ନାଁ ହୁଏତ ସମସ୍ତଙ୍କ ପାଇଁ ଅପରିଚିତ ହୋଇପାରେ, ହେଲେ ଏହି ନାଁର ସଫଳତା ଜାଣିଲେ ଆପଣ ବି ପ୍ରସଂଶା କରିବେ । କୋଟିୟାନ ହେଉଛନ୍ତି ୨୦୨୪ ରଣଜୀ ଟୁର୍ଣ୍ଣାମେଣ୍ଟର ହିରୋ । ତାଙ୍କ ଅଲରାଉଣ୍ଡର ପ୍ରଦର୍ଶନରେ ସେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ । ଏତେ ସଫଳତା ପରେ ବି କୋଟିୟାନଙ୍କୁ ଆଇପିଏଲ ଅକ୍ସନରେ ସ୍ଥାନ ମିଳିନଥିଲା । ସେ ଯେତେବେଳେ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ଖେଳୁଥିଲେ ସେତେବେଳେ ତାଙ୍କୁ ଖବର ଆସିଥିଲା କି ତାଙ୍କ ନାଁ ଆଇପିଏଲ ଅକ୍ସନରେ ଅନସୋଲ୍ଡ ରହିଛି । ସେତେବେଳେ ସେ ପୂରା ଭାଙ୍ଗି ପଡିଥିଲେ । ତେବେ ସେ ଆଇପିଏଲରେ ଚୟନ ନହେବାର କାରଣ ଥିଲା ତାଙ୍କର ଗୋଟିଏ ବୋଲିଂ ଆକ୍ସନ । ଯାହା ବିବାଦରେ ଥିଲା । ଯେଉଁଥିପାଇଁ ଆଇପିଏଲରେ ତାଙ୍କ ନାଁ ବ୍ଲାକ ଲିଷ୍ଟ କରିଦିଆଯାଇଥିଲା । ହେଲେ ସେ ହାରିନଥିଲେ, ବରଂ ନିଜ ପରିଶ୍ରମ ଜାରି ରଖିଥିଲେ ।

ଆଇପିଏଲରେ ଚୟନ ନହେବା ପରେ ସେ ରଣଜୀ ଖେଳିଥିଲେ । ଆଉ ରଣଜୀ ଟ୍ରଫିରେ କୋଟିୟାନ ୧୦ ମ୍ୟାଚ ଖେଳି ୨୯ଟି ୱିକେଟ ନେଇଥିବା ବେଳେ ୫୦୨ ରନ କରିଥିଲେ । ସେ ୧୦ ନମ୍ବରରେ ବ୍ୟାଟିଂ ଆସି ଦଳ ପାଇଁ ଶତକ ହାସଲ କରିଥିଲେ ଆଉ ସେମି ଫାଇନାଲରେ ବି ୮୯ ରନର ଦମଦାର ଇଂନିସ ଖେଳିଥିଲେ । ଯାହା ଏତେ ସହଜ ନଥିଲା । ସେ କ୍ୱାଟର ଫଇନାଲ, ସେମିଫାଇନାଲ ଓ ଫାଇନାଲ ମ୍ୟାଚରେ ଦଳ ପାଇଁ ୨୩୭ ରନ କରିଥିଲେ । ୧୦ ନମ୍ବରରେ ବ୍ୟାଟିଂ ଆସି ଦଳ ପାଇଁ ଏତେ ରନ କରିବା ତାଙ୍କ ପାଇଁ ଏକ ବଡ ସଫଳତା ଥିଲେ । ସେହିପରି ଫାଇନାଲ ମ୍ୟାଚରେ ସେ ଏକାକୀ ୨ଟି ଇଂନିସରେ ୭ଟି ୱିକେଟ ନେଇ ମୁମ୍ବାଇକୁ ଚାମ୍ପିୟନ କରାଇଥିଲେ । ଆଉ ପ୍ଲେୟର ଅଫ ଦି ଟୁର୍ଣ୍ଣାମେଣ୍ଟ ହୋଇଥିଲେ ।

ତାଙ୍କର ଏହି ସଫଳତା ଏବେ ରଙ୍ଗ ଆଣିଛି । ସବୁ ବାଦବିବାଦ ସତ୍ତେ୍ୱ କୋଟିୟାନ ଏବେ ଆଇପିଏଲ ଖେଳିବେ । ତାଙ୍କୁ ଆଇପିଏଲରୁ ଏବେ ହଠାତ ଡାକରା ଆସିଛି । ରାଜସ୍ଥାନର ଆଡାମ ଜାମ୍ପାଙ୍କ ସ୍ଥାନରେ ତାଙ୍କୁ ଦଳରେ ସାମିଲ କରାଯାଇଛି ।