କନକ ବ୍ୟୁରୋ : ଝାରସୁଗୁଡା ଉପ-ନିର୍ବାଚନରେ ବିଜେପିରେ ପ୍ରାର୍ଥୀ ହୋଇପାରନ୍ତି ଟଙ୍କଧର ତ୍ରିପାଠୀ । ଖୁବଶୀଘ୍ର ଏନେଇ ଦଳ ପକ୍ଷରୁ ଘୋଷଣା କରାଯିବ ବୋଲି କହିଛନ୍ତି ବିଧାୟକ ସୁବାସ ପାଣିଗ୍ରାହୀ । ଝାରସୁଗୁଡାରେ ଟଙ୍କଧର ସଙ୍ଗଠନ କରି ଆସୁଛନ୍ତି । ତେବେ ଏନେଇ ଦଳ ପକ୍ଷରୁ ଚୂଡାନ୍ତ ନିଷ୍ପତ୍ତି ଆସିଲେ ସ୍ପଷ୍ଟ ହେବ ବୋଲି କହିଛନ୍ତି ସୁବାସ । ଝାରସୁଗୁଡାରେ ବିଜେପିର ବିଜୟ ନିଶ୍ଚିତ ବୋଲି ସୁବାସ କହିଛନ୍ତି । କାରଣ ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ଲୋକଙ୍କ ମନରେ ଆକ୍ରୋଶ ରହିଛି । ଦୀନେଶ ଜୈନ ଦଳର ଟାଣୁଆ ସଙ୍ଗଠକ । ତେଣୁ ଦଳ ଖୁବଶୀଘ୍ର ଚୂଡାନ୍ତ ନିଷ୍ପତ୍ତି ନେବ ।

Advertisment

ଏହାପୂର୍ବରୁ ବିଜେଡି ଝାରସୁଗୁଡା ଉପ-ନିର୍ବାଚନ ପାଇଁ ନିଜର ପ୍ରାର୍ଥୀ ଘୋଷଣା କରିଛି । ସ୍ୱର୍ଗତଃ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କ ଦଳ ଏଠାରେ ପ୍ରାର୍ଥୀ କରିଛି । ଅନ୍ୟପଟେ କଂଗ୍ରେସ ଏଯାବତ ନିଜର ପ୍ରାର୍ଥୀ ଘୋଷଣା କରିନାହିଁ । କଂଗ୍ରେସର କମିଟି ଝାରସୁଗୁଡା ବୁଲି ଚୂଡାନ୍ତ ରିପୋର୍ଟ ଦିଲ୍ଲୀକୁ ପଠାଇ ସାରିଛନ୍ତି । ନାମାଙ୍କନପତ୍ର ଦାଖଲ ହେବା ପୂର୍ବରୁ ଏବେ ଝାରସୁଗୁଡା ଉପ-ନିର୍ବାଚନକୁ ନେଇ ତାତି ଜୋର ଧରିଲାଣି ।

ଆସନ୍ତା ମେ’୧୦ରେ ଝାରସୁଗୁଡା ଉପ-ନିର୍ବାଚନ ହେବ । ମେ’ ୧୩ରେ ଭୋଟ ଗଣତି ହେବ । ସେହିଭଳି ଏପ୍ରିଲ ୧୩ରେ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଥିବା ବେଳେ ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ଏପ୍ରିଲ ୨୦ ରହିଛି ।