ଗଞ୍ଜାମରେ ‘ତାମ୍ପରା ଲେକ୍ ଭ୍ୟୁ ପାର୍କ’ର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ, ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଟାମ୍ପରା ହ୍ରଦକୁ ଆଣିବା ଲକ୍ଷ୍ୟ ।

91

କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ସ୍ୱଦେଶ ଦର୍ଶନ ଯୋଜନାରେ ଗଞ୍ଜାମ ଜିଲ୍ଲାର ଟାମ୍ପରା ହ୍ରଦକୁ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଅଣାଯିବା ଲକ୍ଷ୍ୟରେ ଏହାକୁ ଏକ ଆକର୍ଷଣୀୟ କେନ୍ଦ୍ର ଭାବେ ବିକଶିତ କରାଯାଇଛି । ଶୁକ୍ରବାର ‘ତାମ୍ପରା ଲେକ୍ ଭ୍ୟୁ ପାର୍କ’ର ଉଦଘାଟନ କରିବା ଅବସରରେ ଏପରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିସହ ସ୍ୱଦେଶ ଦର୍ଶନ ଯୋଜନାରେ ଆର୍ଥିକ ସହାୟତା ଯୋଗାଇ ଦେଇଥିବାରୁ ଧର୍ମେନ୍ଦ ପ୍ରଧାନ ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।

ଏହାସହ ଟାମ୍ପରା ହ୍ରଦର ପରିଚାଳନା ଦାୟିତ୍ୱ ନେଉଥିବାରୁ ଓଟିଡ଼ିସି ଏବଂ ବ୍ରହ୍ମପୁର ଉନ୍ନୟନ କର୍ତୃପକ୍ଷଙ୍କୁ ସାଧୁବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି ପର୍ଯ୍ୟଟନ ସହ ଗଞ୍ଜାମ ଏବଂ ଓଡ଼ିଶାର ଆର୍ଥିକ ପ୍ରଗତିର ବଡ଼ ସମ୍ଭାବନା ଯୋଡ଼ି ହୋଇରହିଛି । ଏହି ମର୍ମରେ ଭାରତ ସରକାର ଏବଂ ରାଜ୍ୟ ସରକାର ତଥା ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଓ ବ୍ରହ୍ମପୁର ଉନ୍ନୟନ କର୍ତୃପକ୍ଷଙ୍କ ମିଳିତ ଉଦ୍ୟମରେ ବିକଶିତ କରାଯାଇଥିବା ଗଞ୍ଜାମ ଜିଲ୍ଲା ‘ତାମ୍ପରା ଲେକ୍ ଭ୍ୟୁ ପାର୍କ’ର ଉଦଘାଟନ ହୋଇଯାଇଛି ।

କେନ୍ଦ୍ର ସରକାରଙ୍କ ସ୍ୱଦେଶ ଦର୍ଶନ ଯୋଜନାରେ ଗୋପାଳପୁର, ବରକୁଲ, ସାତପଡା ଏବଂ ଟାମ୍ପରା ହ୍ରଦର ବିକାଶ ପାଇଁ ୭୩.୪୮ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । କେବଳ ଟାମ୍ପରାର ବିକାଶ ପାଇଁ ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ର ସରକାରଙ୍କ ସ୍ୱଦେଶ ଯୋଜନାରେ ପ୍ରାୟ ୨୬ କୋଟି ୫୮ ଲକ୍ଷ ଟଙ୍କା ଦିଆଯାଇଥିବା ବେଳେ ରାଜ୍ୟ ସରକାର ମଧ୍ୟ ଏଥିପାଇଁ ୨.୬୭ କୋଟି ଟଙ୍କା ଯୋଗାଇ ଦେଇଛନ୍ତି । ଟାମ୍ପରା ମଧୁର ଜଳ ହ୍ରଦ ସାରା ଦେଶ ଓ ସମ୍ପୂର୍ଣ୍ଣ ବିଶ୍ୱର ପ୍ରକୃତି ପ୍ରେମୀ ପର୍ଯ୍ୟଟକ ମାନଙ୍କର ଆକର୍ଷଣ କେନ୍ଦ୍ର ଭାବରେ ଗଢ଼ିତୋଳା ଯାଇପାରିବ । ଅନନ୍ୟ ପ୍ରାକୃତିକ ସୌନ୍ଦର୍ଯ୍ୟର ଅମାପ ଗନ୍ତାଘର ଗଞ୍ଜାମ ଜିଲ୍ଲାରେ ଥିବା ବଡ଼ି, ପାମ୍ପଡ, ଆଚାର ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀର ପ୍ରଚାରପ୍ରସାର କରିବାର ଆବଶ୍ୟକତା ରହିଛି ।

ଗଞ୍ଜାମ ଜିଲ୍ଲାର ପରିଚୟ ବର୍ତମାନ ସମୟରେ କେବଳ ରାଜ୍ୟ ନୁହେଁ ବରଂ ଦେଶ ଓ ବିଶ୍ୱ ସ୍ତରରେ ପ୍ରତିଷ୍ଠିତ ହୋଇପାରିଛି ବୋଲି ଧର୍ମେନ୍ଦ୍ର ପ୍ରଧାନ ମତବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ପୂର୍ବୋଦୟ ମିଶନ’ରେ ଓଡିଶା ତଥା ଗଞ୍ଜାମ ଜିଲ୍ଲାର ବିକାଶ କାମକୁ ତ୍ୱରାନ୍ୱିତ କରିବା ପାଇଁ ଗୋପାଳପୁର ବନ୍ଦର ନିକଟରେ ଏକ ଏଲଏନଜି ଟର୍ମିନାଲ ନିର୍ମାଣ କରିବା ପାଇଁ ଭାରତ ସରକାର ଯୋଜନା କରିଛନ୍ତି । ଆଗାମୀ ଦିନରେ ଗୋପାଳପୁର ବନ୍ଦର ନିକଟରେ ଏଲଏନଜି ଟର୍ମିନାଲ ନିର୍ମାଣ ହେବା ଦ୍ୱାରା ଗ୍ୟାସ ଆଧାରିତ ଅର୍ଥନୀତି ବଢିବା ସହ ସ୍ଥାନୀୟ ଲୋକମାନେ ସ୍ୱଚ୍ଛ ଓ ଶସ୍ତା ଇନ୍ଧନ ପାଇପାରିବେ । ସେହିପରି ଦକ୍ଷିଣ ଓଡ଼ିଶାର ଆବଶ୍ୟକତାକୁ ଧ୍ୟାନରେ ରଖି ଆଗାମୀ ୨୫ ରୁ ୩୦ ବର୍ଷ ପାଇଁ ଅଶୋଧିତ ତୈଳର ସଂରକ୍ଷଣ ପାଇଁ ଗଞ୍ଜାମ ଜିଲ୍ଲାରେ ତୈଳ ଡିପୋ ତିଆରି କରିବାର ଯୋଜନା କରାଯାଉଛି । ଓଡ଼ିଶାର ଉପକୂଳ ଅଂଚଳରେ ଗ୍ୟାସ ପାଇପଲାଇନ ବିଛାଯିବାର କାମ ମଧ୍ୟ କ୍ରିୟାନ୍ୱୟନ ହେଉଛି ବୋଲି ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।