କନକ ବ୍ୟୁରୋ: ପୁଣି ଚାଲୁ ପଡ଼ିଲା କି ଚାଇନା ମାଲ୍? ଭିତରେ ଭିତରେ ଚାଲ୍ ଖେଳୁଛି ଚୀନ୍? କରୋନା ମହାମାରୀ ବେଳେ ଚାଇନା ନାଁରେ ଆସିଲା ସାଂଘାତିକ ଅଭିଯୋଗ । କରୋନା ଭାଇରସ୍‌ ଟେଷ୍ଟିଂ ପାଇଁ ଚୀନରୁ ଆସୁଥିବା ଟେ‌ଷ୍ଟିଂ କିଟ୍‌ରେ ତ୍ରୁଟି ରହୁଛି ବୋଲି ଅଭି‌ଯୋଗ ହୋଇଛି । ତାମିଲନାଡୁର ସରକାର ଗୁରୁବାର ମାଡ୍ରାସ ହାଇକୋର୍ଟଙ୍କୁ ଜଣାଇଛନ୍ତି ଯେ ଆଇସିଏମଆରର ମଞ୍ଜୁରୀ ପରେ ଚୀନରୁ ଭାରତକୁ ଟେଷ୍ଟିଂ କିଟ୍‌ ଅଣାଯାଇଥିଲା । ହେଲେ ଏଥିରେ ତ୍ରୁଟି ଥିବା ହେତୁ ତାହାକୁ ଏପ୍ରିଲ୍‌ ୨୯ ତାରିଖରେ ଚୀନକୁ ଫେରାଇ ଦିଆଯାଇଥିବା କହିଛନ୍ତି ସରକାର ।

Advertisment

ସୂଚନା ମୁତାବକ, ବରିଷ୍ଠ ଆଇନଜୀବି ଏମ୍..ଏଲ,ଆର ରବିଙ୍କ ଦ୍ୱାରା ଦାୟର କରାଯାଇଥିବା ଏକ ଜନହିତ ଯାଚିକାର ଶୁଣାଣି କରି ଅଦାଲତ ସ୍ପଷ୍ଟ କରିଥିଲେ ଯେ, କେବଳ ପୁଣେସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍ ଭାଇରୋଲୋଜି ଓ ଅନ୍ତରାଷ୍ଟ୍ରୀୟ ଅନ୍ୟ ସଂଗଠନ ଦ୍ୱାରା ଉପଯୋଗୀ ପ୍ରମାଣିତ ହୋଇଥିବା କିଟ୍‌ ଗୁଡ଼ିକୁ ହିଁ କରୋନା ପରୀକ୍ଷାରେ ବ୍ୟବହାର କରାଯିବ ।

ତେବେ ପୂର୍ବରୁ ମଧ୍ୟ ଚୀନ ତ୍ରୁଟି ଥିବା କିଟ୍‌ ଭାରତକୁ ଦେଇଛି ବୋଲି ଅଭିଯୋଗ ହେବା ପରେ ଆସିଏମଆର୍‌ ଏହି କୋଭିଡ୍- ଟେଷ୍ଟିଂ କିଟ୍‌ ଗୁଡ଼ିକୁ ଚୀନକୁ ଫେରାଇ ଦେବାକୁ ବିଭିନ୍ନ ରାଜ୍ୟ ସରକାରଙ୍କୁ କହିଥିଲା । ଏହା ଉତ୍ତରରେ ଚୀନ କହିଥିଲା କି, ଭାରତୀୟମାନେ ପଠା ଯାଇଥିବା କିଟ୍‌ର ଉପଯୁକ୍ତ ବ୍ୟବହାର କରିପାରୁ ନାହାନ୍ତି । ଏହାକୁ ନେଇ ଜନସାଧାରଣରେ ପ୍ରବଳ ଅସନ୍ତୋଷ ଦେଖାଦେଇଥିଲା । ଏବେ ପୁର୍ନବାର ଚୀନର ଆଉ ଏକ ଚାଲ୍ ବୋଲି ସାଧାରଣରେ ଅଭିଯୋଗ ଆଣୁଛନ୍ତି ।