ତାମିଲନାଡୁରେ ଅକ୍ଟୋବର ୬ରେ ରିଲିଜ ହେବ ନାହିଁ କୌଣସି ଫିଲ୍ମ ! କାରଣ କଣ ଜାଣନ୍ତି

47

ଭାରତରେ ଅଧିକାଂଶ ଫିଲ୍ମ ଫିଲ୍ମ ଫ୍ରାଇଡେ ଅଥାର୍ତ ଶୁକ୍ରବାର ରିଲିଜ ହୋଇଥାଏ । କିନ୍ତୁ ଆଗାମୀ ୬ ଅକ୍ଟୋବର ଅର୍ଥାତ ଶୁକ୍ରବାର ଦିନ ତାମିଲନାଡୁରେ କୌଣସି ଫିଲ୍ମ ରିଲିଜ ହେବ ନାହିଁ । ଫିଲ୍ମ ପ୍ରଯୋଜକ ସଂଘ ଓ ସିନେମା ମାଲିକ ସଂଘ ଏପରି ନିଷ୍ପତି ନେଇଛନ୍ତି । ରାଜ୍ୟ ସରକାର ଫିଲ୍ମ ଉପରେ ଟ୍ୟାକ୍ସ ବୃଦ୍ଧି କରିବା ନେଇ ଘୋଷଣା କରିବା ପରେ ତାମିଲନାଡୁ ଚଳଚ୍ଚିତ୍ର ପ୍ରଯୋଜକ ସଂଘ ଏପରି କରିବାକୁ ନିଷ୍ପତି ନେଇଛନ୍ତି । ଏହାସହ ସରକାରଙ୍କ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛି ସଂଘ ।

ସେପ୍ଟେମ୍ବର ୨୯ ତାରିଖରେ ଫିଲ୍ମ ଉପରେ ଟ୍ୟାକ୍ସ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ନିଷ୍ପତି ନେଇଥିଲେ । ତାମିଲ ଫିଲ୍ମ ଉପରେ ୧୦ ପ୍ରତିଶତ ଓ ଅନ୍ୟ ଭାଷାର ଫିଲ୍ମ ଉପରେ ୨୦ ପ୍ରତିଶତ ଟିକସ ବୃଦ୍ଧି କରିବାକୁ ଏକ ସକ୍ୟୁଲାର ଜାରି କରିଥିଲେ । ଜିଏସଟିର ୨୮ ପ୍ରତିଶତ ଟ୍ୟାକ୍ସକୁ ଛାଡି ଅତିରିକ୍ତ ଟିକସ ଲଗାଇବାକୁ ନିଷ୍ପତି ନେଇଥିଲେ ସରକାର । ସରକାରଙ୍କ ଏହି ନିଷ୍ପତି ପରେ ସିନେମା ହଲର ମାଲିକ ଓ ପ୍ରଯୋଜକଙ୍କୁ୩୮ ପ୍ରତିଶତରୁ ୪୮ ପ୍ରତିଶତ ଟିକସ ଦେବାକୁ ପଡିବ । ଏହା ସିଧାସଳଖ ସିନେମା ବ୍ୟବସାୟ ଉପରେ ପ୍ରଭାବ ପକାଇବ । ତେବେ ସରକାରଙ୍କ ଏହି ନିଷ୍ପତିକୁ ତାମିଲ ଫିଲ୍ମ ଜଗତର ଅନେକ କଳାକାର ବିରୋଧ କରିଥିଲେ । ଏହାପରେ ଅର୍ଥମନ୍ତ୍ରୀ ଜୟାକୁମାର ଏହି ଘଟଣାର ଅନୁଧ୍ୟାନ କରାଯିବା ନେଇ ପ୍ରତିଶୃତି ଦେଇଥିଲେ ।

ଏହାପରେ ସରକାର ଆଉ ଏକ ସକ୍ୟୁଲାର ଜାରି କରିଛନ୍ତି । ଯାହାର ପ୍ରଭାବ ସିଧାସଳଖ ପ୍ରଯୋଜକ ଓ ସିନେମା ହଲ ମାଲିକଙ୍କ ଉପରେ ପଡିବ । ହଲ ମାଲିକଙ୍କ କହିବା ଅନୁଯାୟୀ, ଅଧିକାଂଶ ଲୋକ ଅନ୍ୟ ଭାଷାର ଚଳଚ୍ଚିତ୍ର ଦେଖିବାକୁ ହଲ ଆସିଥାନ୍ତି । ତେବେ ସରକାରଙ୍କ ନିୟମ ଅନୁଯାୟୀ ଅତିରିକ୍ତ ୨୦ ପ୍ରତିଶତ ଟିକସର ବୋଝ ଦର୍ଶକଙ୍କ ପକେଟ ଉପରେ ପଡିବ । ତେଣୁ ଏହାକୁ ବିରୋଧ କରି ଗତକାଲି ଠାରୁ ପ୍ରଯୋଜକ ଓ ସିନେମା ହଲ ମାଲିକ ଆନ୍ଦୋଳନରେ ବସିଛନ୍ତି ।

ତାମିଳନାଡୁ ଫିଲ୍ମ ପ୍ରଯୋଜକ କାଉନସିଲ କହିବା ଅନୁଯାୟୀ, ଜିଏସଟି ଆସିବା ପୂର୍ବରୁ ୧୮ ପ୍ରତିଶତ ଟିକସ ଲାଗୁଥିଲା । କିନ୍ତୁ ଜିଏସଟି ଲାଗୁ ହେବା ପରେ ଏହା ୨୮ ପ୍ରତିଶତକୁ ବୃଦ୍ଧି ପାଇଥିଲା । ଏହାଦ୍ୱାରା ଫିଲ୍ମ ନିର୍ମାତାଙ୍କୁ ଅନେକ କ୍ଷତି ସହିବାକୁ ପଡିଥିଲା । କିନ୍ତୁ ଏହାପରେ ମଧ୍ୟ ରାଜ୍ୟ ସରକାରଙ୍କ ଆଉଥରେ ଅତିରିକ୍ତ ଟିକସ ବୃଦ୍ଧି କରିବା ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି ।