କନକ ବ୍ୟୁରୋ : ତାମିଲନାଡୁ ବିଧାନ ସଭାରେ ଆଜିଠାରୁ ଆରମ୍ଭ ହୋଇଛି ବଜେଟ ଅଧିବେଶନ । ଏହି ଅବସରରେ ରାଜ୍ୟ ଅର୍ଥମନ୍ତ୍ରୀ ପିଟିଆର ପଲାନୀବେଲ ତ୍ୟାଗରାଜନ ରାଜ୍ୟ ଇତିହାସରେ ପ୍ରଥମ ଥର ପାଇଁ ଇ-ବଜେଟ ଉପସ୍ଥାପନ କରିଛନ୍ତି । ଏହି ଅଧିବେଶନରେ ରାଜ୍ୟ ସରକାର ପେଟ୍ରୋଲ ଉପରେ ୩ ଟଙ୍କା ଟ୍ୟାକ୍ସ ଛାଡ ନେଇ ଘୋଷଣା କରିଛନ୍ତି । ଯାହା ଫଳରେ ରାଜ୍ୟକୁ ବାର୍ଷିକ ୧୧୬୦ କୋଟି ଟଙ୍କାର ଅତିରିକ୍ତ ବୋଝ ସହିବାକୁ ପଡିବ ।

Advertisment

ଏହା ବ୍ୟତୀତ ବଜେଟରେ ମହିଳା ସରକାରୀ କର୍ମଚାରୀଙ୍କ ପାଇଁ ମାତୃତ୍ୱ ଛୁଟି ୯ ମାସରୁ ୧୨ ମାସକୁ ବୃଦ୍ଧି କରାଯାଇଛି । ଏହାସହ ୫୦୦ କୋଟି ଟଙ୍କା ବିନିଯୋଗରେ ସେଣ୍ଟର ଫର କ୍ଳାଇମେଟ ଚେଞ୍ଜ ସ୍ଥାପନା କରାଯିବା ନେଇ ଅର୍ଥ ବ୍ୟୟବରାଦ ହୋଇଛି । କେବଳ ସେତିକି ନୁହେଁ ରାଜ୍ୟରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ପାଇଁ ବଜେଟରେ ୨୦ ହଜାର କୋଟି ଟଙ୍କାର କ୍ରେଡିଟ ଲୋନ ବିତରଣ କରାଯିବ ବୋଲି କୁହାଯାଇଛି ।

ଅନ୍ୟପଟେ ପିଇବା ପାଣି ପାଇଁ ବି ବଜେଟରେ ଅର୍ଥ ବରାଦ କରାଯାଇଛି । ଅର୍ଥମନ୍ତ୍ରୀ କହିଛନ୍ତି କି ରାଜ୍ୟରେ ଥିବା ୭୯.୩୯୫ ଟି ଛୋଟ ଗ୍ରାମର ପ୍ରତି ପରିବାରକୁ ଦୈନିକ ୫୫ ଲିଟର ଶୁଦ୍ଧ ପାଣି ଯୋଗାଇ ଦିଆଯିବ । ଏହାସହ ୧ ଲକ୍ଷରୁ ଅଧିକ ଜନସଂଖ୍ୟା ଥିବା ୨୭ ଟି ସହରକୁ ଭୂତଳ ଜଳ ଯୋଗାଣ ପାଇଁ ବ୍ୟବସ୍ଥା କରାଯିବ ।

ଏସବୁ ଭିତରେ ବି ସରକାରଙ୍କ ଏଭଳି ବଜେଟକୁ ବିରୋଧ କରିଛି ଏଆଇଏଡିଏମକେ । ଦଳର ବିଧାୟକମାନେ ବଜେଟକୁ ବିରୋଧ କରି ବିଧାନସଭା ତ୍ୟାଗ କରିଥିଲେ । ସେମାନେ ଅଭିଯୋଗ କରିଥିଲେ କି ବାଚସ୍ପତି ସରକାରୀ ଦଳକୁ ସମର୍ଥନ କରି ବିରୋଧୀଙ୍କୁ କହିବାର ସୁଯୋଗ ଦେଉ ନାହାନ୍ତି ।