କନକ ବ୍ୟୁରୋ : କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଳକ ବତୀଘର ଗାଁର ତାପସ ସରଦାର ଲୁଣିପାଣିରେ ଆରମ୍ଭ କରିଛନ୍ତି ନୀଳ କଙ୍କଡ଼ା ଚାଷ । ନିଜର ପଡ଼ିଆ ପଡ଼ିଥିବା ୨ ଏକର ଜମିରେ ସେ ପ୍ରଥମେ ଚିଙ୍ଗୁଡ଼ି ଚାଷ କରିଥିଲେ । ହେଲେ ଚିଙ୍ଗୁଡ଼ି ଚାଷରେ ଅଧିକ ଖର୍ଚ୍ଚ ଏବଂ ଲାଭ କମ୍ ହେଉଥିବାରୁ ସେ ଏବେ ମାଣ୍ଡୁଅ କଙ୍କଡ଼ା ଚାଷ କରୁଛନ୍ତି । ଏହି ଚାଷ ପାଇଁ ବିଭିନ୍ନ ସରକାରୀ ପ୍ରକଳ୍ପ ସହଯୋଗରେ ଖରିନାସି ଓ ବତୀଘର ଅଂଚଳର ୩ଜଣ ଚାଷୀଙ୍କୁ ନିଆଯାଇ ସମସ୍ତ ସହଯୋଗ ଯୋଗାଇଦିଆଯାଇଛି । ମତ୍ସ୍ୟ ବିଭାଗ ପକ୍ଷରୁ ଏହି କଙ୍କଡ଼ା ଜାଅାଁଳ ତାମିଲନାଡ଼ୁରୁ ଆଣି ଚାଷୀ ମାନଙ୍କୁ ଯୋଗାଇଦିଆଯାଇଛି । ଯାଅାଁଳ ଛାଡ଼ିବାର ୮ ମାସ ଭିତରେ କଙ୍କଡ଼ା ଧରାଯିବ ବୋଲି କହିଛନ୍ତି ଚାଷୀ । ୮ ମାସ ଭିତରେ ଗୋଟିଏ ଗୋଟିଏ କଙ୍କଡ଼ା ଦେଢ଼ରୁ ୨ କିଲୋ ଓଜନ ହୋଇଥାଆନ୍ତି । ଆଉ ଭଲ ରୋଜଗାର ହେବା ନେଇ ସେ ଆଶାବାଦି ଅଛନ୍ତି ।

Advertisment

କଙ୍କଡ଼ାଙ୍କୁ ଦିନକୁ ଦୁଇଥର ଖାଦ୍ୟ ଦିଆଯାଉଥିବା ବେଳେ ଏମାନଙ୍କର ମୁଖ୍ୟ ଖାଦ୍ୟ ହେଉଛି ମାଛ । ମାଛକୁ ଛୋଟ ଛୋଟ ଖଣ୍ଡରେ କାଟି ଏକ ପ୍ଲାଷ୍ଟିକ ଟ୍ରେରେ ପାଣି ଭିତରେ ବୁଡାଇ ରଖିଲେ ଏହାକୁ କଙ୍କଡ଼ା ଖାଇଥାଆନ୍ତି । ମାସକୁ ଦୁଇ ଥର ପାଣିକୁ ବଶୋଧନ କରାଯାଇଥାଏ । ବଜାରରେ ଏହି କଙ୍କଡ଼ାର ଚାହିଦା ଅଧିକ ରହିଥିବା ବେଳେ ୨ ହଜାରରୁ ୩ ହଜାର ଟଙ୍କାରେ ବିକ୍ରି ହୋଇଥାଏ । ତାପସ ଏହି ଚାଷରେ ପ୍ରାୟ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ତାପସଙ୍କ ସହ ୨ରୁ ୩ ଜଣ କର୍ମଚାରୀ ଏହି ଫାର୍ମରେ କାମ କରୁଛନ୍ତି । ତାଙ୍କୁ ମଧ୍ୟ ସେ କିଛି ରୋଜଗାର ଦେଉଛନ୍ତି ।

ତାପସ ପ୍ରଥମ କରି ଏହି ଚାଷ କରିଥିବାରୁ ଭଲ ରୋଜଗାର ପାଇବାର ଆଶା ରଖିଛନ୍ତି । ଆଉ ଏଥିରେ ସଫଳ ହେଲେ ଆଗକୁ ଏହାକୁ ବ୍ୟାପକ ଭାବେ କରିବାକୁ ଲକ୍ଷ୍ୟ ରଖିଛନ୍ତି ।