ମୋଦୀଙ୍କ ଜନ୍ମଦିନରେ ନବଜାତ ଶିଶୁଙ୍କୁ ମିଳିବ ସୁନା ମୁଦି । ଚାରିଆଡେ ଚାଲିଛି ଭିନ୍ନ ଭିନ୍ନ ପ୍ରସ୍ତୁତି

1,682

କନକ ବ୍ୟୁରୋ: ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ । ୭୨ ବର୍ଷରେ ପାଦ ଦେବେ ମୋଦୀ । ଏହି ଦିନଟିକୁ ବିଭିନ୍ନ ଢଙ୍ଗରେ ପାଳନ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି ଦଳୀୟ ନେତା ଓ କର୍ମୀ । ମୋଦୀଙ୍କ ଜନ୍ମଦିନକୁ ସବୁଠୁ ଖାସ୍ ଓ ସ୍ମରଣୀୟ କରିବାକୁ ଭାରତୀୟ ଜନତା ପାର୍ଟିର ତାମିଲନାଡୁ ୟୁନିଟ୍ ନୂଆ ପ୍ଲାନ୍‌ କରିଛନ୍ତି।

ଏକ ରିପୋର୍ଟ ମୁତାବକ, ତାମିଲନାଡୁରେ ଭାରତୀୟ ଜନତା ପାର୍ଟି ସେପ୍ଟମ୍ବର ୧୭ ତାରିଖରେ ମୋଦୀଜୀଙ୍କ ଜନ୍ମଦିନକୁ ସ୍ମରଣୀୟ କରିବାକୁ ମୋଦୀଙ୍କ ଜନ୍ମଦିନରେ ନବଜାତ ଶିଶୁଙ୍କୁ ଉପହାର ଭାବରେ ଦିଆଯିବ ସୁନାର ମୁଦି । ଏଥିପାଇଁ ଚେନ୍ନାଇ ସ୍ଥିତ ସରକାରୀ ଆରଏସଆରଏମ୍ ହସ୍ପିଟାଲକୁ ଚୟନ କରାଯାଇଛି, ଯେଉଁଠାରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଜନ୍ମ ହୋଇଥିବା ସମସ୍ତ ଶିଶୁଙ୍କୁ ସୁନା ମୁଦି ଦିଆଯିବ।ଏହା ଘୋଷଣା କରିଛନ୍ତି ତାମିଲନାଡୁ ମତ୍ସ୍ୟ ପାଳନ ଏବଂ ସୂଚନା ବା ପ୍ରସାରଣ ରାଜ୍ୟ ମନ୍ତ୍ରୀ ଏଲ୍ ମୁରୁଗନ୍ ।

ସୁନା ମୁଦି ବଣ୍ଟା କାର୍ୟ୍ୟକ୍ରମରେ ହେବାକୁ ଥିବା ଖର୍ଚ୍ଚ ବିଷୟରେ ମନ୍ତ୍ରୀ ମୁରୁଗାନଙ୍କୁ ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତରରେ ସେ କହିଥିଲେ, ପ୍ରତ୍ୟେକ ମୁଦି ପ୍ରାୟ ୨ ଗ୍ରାମ ସୁନା ହେ. ଯାହାର ମୂଲ୍ୟ ୫୦୦୦ ଟଙ୍କା ହୋଇପାରେ। ଏପରି କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଜନ୍ମ ହୋଇଥିବା ପିଲାଙ୍କୁ ସ୍ୱାଗତ କରିବାକୁ ଚାହୁଁଛୁ।

ଏହାସହ ୭୨୦ କେଜିର ମାଛ ଉପାହାର ଦେବାକୁ ମଧ୍ୟ ଯୋଜନା କରିଛନ୍ତି । ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ନିର୍ବାଚନମଣ୍ଡଳୀରେ ମାଛ ବଣ୍ଟାଯିବ । ମୋଦୀ ଏଥର ୭୨ ବର୍ଷରେ ପଦାର୍ପଣ କରୁଛନ୍ତି। ତେଣୁ ୭୨୦ କେଜି ମାଛ ବାଣ୍ଟିବାକୁ ବିଜେପିର ତାମିଲନାଡୁ ୟୁନିଟ୍ ନିଷ୍ପତ୍ତି ନେଇଛି ।

ମୋଦୀଙ୍କ ଜନ୍ମଦିନ ପାଇଁ ଦିଲ୍ଲୀରେ ମଧ୍ୟ ହୋଇଛି ସ୍ୱତନ୍ତ୍ର ପ୍ରସ୍ତୁତି । ଦିଲ୍ଲୀର କନ୍ନୌଟ୍ ପ୍ୟାଲେସ ସ୍ଥିତ ଆରଡୋର ଟୁ ପଏଣ୍ଟ ୱାନ ରେଷ୍ଟୁରାଣ୍ଟରେ ଏକ ବିଶେଷ ଥଳାଳି ପ୍ରସ୍ତୁତି ହେବ । ଏହି ଖାଦ୍ୟ ଥାଳିର ନାଁ ୫୬ ଇଞ୍ଚ ମୋଦୀଜୀ ରଖାଯିବ । ଏଥିରେ ୫୬ ପ୍ରକାରର ବିଶେଷ ବ୍ୟଞ୍ଜନ ପରସାଯିବ । ଥାଳିରେ ଗ୍ରାହକ ନିଜ ପସନ୍ଦର ଶାକାହାରୀ ଓ ଆମିଷ ବ୍ୟଞ୍ଜନ ବାଛିପାରିବେ । ସୁରକ୍ଷା କାରଣରୁ ମୋଦୀ ସିନା ଆସିପାରିବେ ନାହିଁ ହେଲେ ତାଙ୍କ ଜନ୍ମ ଦିନରେ ଏହି ସ୍ୱତନ୍ତ୍ର ବଞ୍ଜନର ଥାଳି ତାଙ୍କ ପ୍ରଶଂସକଙ୍କ ପାଇଁ ପ୍ରସ୍ତୁତ କରାଯାଇଥିବା କହିଛନ୍ତି ରେଷ୍ଟୁରାଣ୍ଟର ମାଲିକ ।

ଏହି ଖାଦ୍ୟ ଥାଳି ସହ ଗ୍ରାହକଙ୍କ ପାଇଁ ୮.୫ ଲକ୍ଷ କ୍ୟାସ୍ ଜିତିବାର ଅଫର ମଧ୍ୟ ରହିଛି । ଯଦି କେହି ଗ୍ରାହକ ୪୦ ମିନିଟ ଭିତରେ ଥାଳି ଖାଲି କରିଦେବେ ତେବେ ତାଙ୍କୁ ସାଢେ ୮ ଲକ୍ଷ ଟଙ୍କାର ପୁରସ୍କାର ଅଫର ମଧ୍ୟ ଘୋଷଣା କରିଛନ୍ତି ରେଷ୍ଟୁରାଣ୍ଟ ମାଲିକ ।

ଏଥି ସହିତ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନରେ ଦିଲ୍ଲୀ ବିଜେପି ସେପ୍ଟେମ୍ବର ୧୭ରୁ ଅକ୍ଟୋବର୨ ପର୍ୟ୍ୟନ୍ତ ‘ସେବା ପାଖୱାଡେ’ ପାଳନ କରିବ। ଏହି ସମୟରେ ସ୍ୱାସ୍ଥ୍ୟ ଯାଞ୍ଚ ଏବଂ ରକ୍ତଦାନ ଶିବିର ଆୟୋଜନ ସହିତ ଅନ୍ୟାନ୍ୟ କାର୍ୟ୍ୟକ୍ରମ ହେବ ।ଦିଲ୍ଲୀ ବିଜେପି ରାଜ୍ୟ ସଭାପତି ଆଦେଶ ଗୁପ୍ତା କହିଛନ୍ତି ଯେ ଏହି ଅବସରରେ ଏକ ସ୍ୱତନ୍ତ୍ର ଦୌଡ଼ର ଆୟୋଜନ କରାଯିବ। ଅକ୍ଟୋବର ୧୮ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହି ଦୌଡ ପାଇଁ ପତାକା ଦେଖାଇବେ। ସହରର ସମସ୍ତ ବସ୍ତିରୁ ପ୍ରାୟ ୧୦,୦୦୦ପିଲା ଏବଂ ଯୁବକ ଏହି ଦୌଡ଼ରେ ଅଂଶଗ୍ରହଣ କରିବେ।