କିରଣ ବେଦୀଙ୍କ ବିଦାୟ ପରେ ତାମିଲି ସାଇ ହେଲେ ପୁଡୁଚେରୀ ରାଜ୍ୟପାଳ । ମୁଖ୍ୟମନ୍ତ୍ରୀ ନାରାୟଣ ସ୍ୱାମୀଙ୍କ ଉପସ୍ଥିତିରେ କଲେ ଦାୟିତ୍ୱ ଗ୍ରହଣ

136

କନକ ବ୍ୟୁରୋ : ଗୋଟେପଟେ ପୁଡୁଚେରୀରେ କଂଗ୍ରେସ ସରକାର ସଂକଟରେ ଥିବା ବେଳେ ପୁଡୁଚେରୀ ରାଜ୍ୟପାଳ ଥିବା କିରଣ ବେଦୀଙ୍କୁ ଫେରାଇ ନେଇଛନ୍ତି କେନ୍ଦ୍ର ସରକାର । ଏହି ପଦ ଗୋଟିଏ ଦିନ ଖାଲି ପଡିବା ପରେ ଆଜି ତାମିଲି ସାଇ ପୁଡୁଚେରୀର ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ତାମିଲି ସାଇ ଏବେ ତେଲେଙ୍ଗାନାର ରାଜ୍ୟପାଳ ଅଛନ୍ତି । ତାଙ୍କୁ ତେଲେଙ୍ଗାନା ସହ ପୁଡୁଚେରୀର ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ଆୟୋଜିତ ଏକ ଉତ୍ସବରେ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି. ନାରାୟଣ ସ୍ୱାମୀଙ୍କ ଉପସ୍ଥିତିରେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି ।

କହିରଖୁ କି ପୁଡୁଚେରୀ ବିଧାନସଭା ନିର୍ବାଚନ ଚଳିତ ବର୍ଷ ଅନୁଷ୍ଠିତ ହେବ । ମାତ୍ର କେଇଟା ମାସ ପରେ ବିଧାନସଭା ନିର୍ବାଚନ ଥିବା ବେଳେ ପୁଡୁଚେରୀରେ ସରକାର ଗଠନ କରିଥିବା କଂଗ୍ରେସକୁ ଝଟକା ଲାଗିଛି । ଦଳର ୪ ଜଣ ବିଧାୟକ ସେମାନଙ୍କ ପଦରୁ ଇସ୍ତଫା ଦେବା ପରେ ସରକାର ସଂଖ୍ୟାଗରିଷ୍ଠତା ହରାଇଛି । ଇସ୍ତଫା ଦେଇଥିବା ବିଧାୟକ ମାନେ ଅଭିଯୋଗ କରିଥିଲେ କି ରାଜ୍ୟରେ ସରକାରକୁ ସୁଚାରୁରୂପେ ପରିଚାଳନା କରିବାକୁ ଦେଉ ନାହାନ୍ତି ରାଜ୍ୟପାଳ କିରଣ ବେଦୀ । ଏହି ଅଭିଯୋଗ ଆସିବା ପରେ କିରଣ ବେଦୀଙ୍କୁ ଫେରାଇ ଆଣିଛନ୍ତି କେନ୍ଦ୍ର ସରକାର ।