ଡାକବାଲାର ନାଁ ଡି. ଶିବନ୍ । ସମ୍ପର୍କର ସେତୁ ପାଲଟିଛନ୍ତି, ସୁଖ-ଦୁଃଖର ଖବର ପହଞ୍ଚାଉଛନ୍ତି । ୩୦ ବର୍ଷ ହେବ ଜଙ୍ଗଲ ଡେଇଁ, ହାତୀ ଭାଲୁକୁ ଭୟ ନକରି ପ୍ରତିଦିନ ୧୫ କିଲୋମିଟର ପାଦରେ ଚାଲୁଛନ୍ତି, ଅପହଞ୍ଚ ଇଲାକାର ଆଶା ସାଜିଛନ୍ତି ପୋଷ୍ଟମ୍ୟାନ ଡି. ଶିବନ୍ । ପାହାଡି ଇଲାକାର ଡାକବାଲାକୁ ପ୍ରଣାମ କରୁଛି ସାରା ଦେଶ...

ଡାକବାଲାର ନାଁ ଡି. ଶିବନ୍ । ସମ୍ପର୍କର ସେତୁ ପାଲଟିଛନ୍ତି, ସୁଖ-ଦୁଃଖର ଖବର ପହଞ୍ଚାଉଛନ୍ତି । ୩୦ ବର୍ଷ ହେବ ଜଙ୍ଗଲ ଡେଇଁ, ହାତୀ ଭାଲୁକୁ ଭୟ ନକରି ପ୍ରତିଦିନ ୧୫ କିଲୋମିଟର ପାଦରେ ଚାଲୁଛନ୍ତି, ଅପହଞ୍ଚ ଇଲାକାର ଆଶା ସାଜିଛନ୍ତି ପୋଷ୍ଟମ୍ୟାନ ଡି. ଶିବନ୍ । ପାହାଡି ଇଲାକାର ଡାକବାଲାକୁ ପ୍ରଣାମ କରୁଛି ସାରା ଦେଶ...

କନକ ବ୍ୟୁରୋ: ଚିଠି ଚିଠି... ଚିଠି ନିଅ ଚିଠି... ଚିଠି ଚିଠି... ଚିଠି । ଚିଠି ! ଦୁଇଟି ଅକ୍ଷରରେ ଅନେକ ଶବ୍ଦ... ଚିଠି ! ଏକ ଅନୁଭବର ନାଁ, ଆବେଗର ଛୁଆଁ... ଚିଠି କେବେ ଚିହ୍ନା ଠିକଣାରେ ପହଞ୍ଚେ ତ କେବେ ଅଚିହ୍ନା ଇଲାକାରେ... ସୀମାର ସନ୍ଦେସ, ମାଆର ମମତା, ପ୍ରେମିକାର ପ୍ରେମ ଜଡସଡ ଇସାରା... ଏମିତି ଅନେକ ଆଶାର ଅମୂଲ୍ୟ ସମ୍ପତ୍ତି ଧରି ଡାକୁଥାଏ ଡାକବାଲା । ଚିଠି କେବେ ଆସେ, ତ ପୁଣି କେବେ ଅଧା ବାଟରେ ଅଟକି ଯାଏ... ଏବେ ବଦଳି ଯାଇଛି ଲଫାପା, ପୋଷ୍ଟକାର୍ଡ, ଇନଲାଣ୍ଡର ପରିଭାଷା । ଯୁଗ ସହ ତାଳ ଦେଇ ମୋବାଇଲ ଆସିଛି, ମେଲ୍ ବି ରହିଛି । ଆଉ ମନର ପରିଭାଷାକୁ ପ୍ରିୟ ମଣିଷ ପାଖରେ ପହଞ୍ଚାଇବାକୁ ଡାକବାଲା ନୁହେଁ ବରଂ ମେସେଞ୍ଜର କି ହାତମୁଠାର ହ୍ୱାଟ୍ସଆପ୍ ସମ୍ପର୍କର ସେତୁ ପାଲଟିଛି... ହେଲେ ହାତକାଟି ଲେଖିଥିବା ସେଦିନର ସେ ଚିଠିର ମହମହ ମହକ ଏବେବି ମନରେ ରହିଛି । ଡାକବାଲାର ସେ ଡାକ ଏବେବି ମନେ ପଡିଗଲେ ଛାତି ଭିତର ଘଣ୍ଟି ଜୋରରେ ବାଜୁଛି...

ସମ୍ପର୍କର ସେତୁ ଶିବନ୍ । ପାହାଡ ଚଢୁଛନ୍ତି, ଖୁସି ବାଣ୍ଟୁଛନ୍ତି । ବୟସ ଗଡିଛି, ସମୟ ସରୁଛି । ଛାତିରେ ଛାତିଏ ଦମ୍ଭ ଧରି ତଥାପି ଚାଲୁଛି ପାଦ । ଲୋକଙ୍କ ସେବା ପାଇଁ, ଲୋକଙ୍କ ଖୁସି ପାଇଁ ଖରା, ବର୍ଷା, ଶୀତକୁ ଖାତିର ନକରି ପାହାଡ ଡେଇଁ ପହଞ୍ଚାଉଛନ୍ତି ଖବର । କାନ୍ଧରେ ବ୍ୟାଗ, ଦେହରେ ନାଲି ରଙ୍ଗର ୟୁନିଫର୍ମ ଆଉ ହାତରେ କିଛି ଚିଠି ଧରି ଏକାଏକା ଚାଲିଥାନ୍ତି ଏ ଡାକବାଲା । ନା ସାଙ୍ଗରେ କିଏ ଥାଆନ୍ତି, ନା ଅନ୍ୟ ଡାକବାଲା ପରି ସିଏ ସାଇକେଲରେ ଯାଆନ୍ତି... ବରଂ ବଣପାହାଡ ଘେରା ଅପହଞ୍ଚ ଇଲାକାକୁ ପାହାଡ ପରେ ପାହାଡ ଡେଇଁ ସମ୍ପର୍କର ସେତୁ ପାଲଟନ୍ତି... ଦୂର ରାଇଜରୁ ଆସିଥିବା ସନ୍ଦେସକୁ ଘର ଅଗଣାରେ ବାଣ୍ଟି ଦିଅନ୍ତି...

ଡି. ଶିବନ । ତାମିଲନାଡୁର ଜଣେ ପୋଷ୍ଟମ୍ୟାନ । କିନ୍ତୁ ସେ ଏବେ ସୋସିଆଲ ମିଡିଆରେ ସେନସେସନ ପାଲଟିଛନ୍ତି । ଦୁର୍ଗମ ପାହାଡି ଅଞ୍ଚଳକୁ ପାଦରେ ଚାଲି ଚାଲି ଡାକସେବା ଯୋଗାଉଥିବାରୁ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ତେବେ ଆଜି କି କାଲି ନୁହେଁ ଦୀର୍ଘ ୩୦ ବର୍ଷ କାଳ ଅପହଞ୍ଚ ଇଲାକାକୁ ଚିଠି ପହଞ୍ଚାନ୍ତି ସେ । ପ୍ରତିଦିନ ୧୫ କି.ମି. ରାସ୍ତା ପାଦରେ ଚାଲି ଚାଲି ଘଞ୍ଚ ଜଙ୍ଗଲ ଦେଇ କୁନ୍ନୁରୁ ନାମକ ଏକ ଗାଁରେ ପହଞ୍ଚନ୍ତି ଆଉ ଲୋକଙ୍କୁ ଖୁସିର ସନ୍ଦେଓ ଦିଅନ୍ତି ।

ତେବେ ଉକ୍ତ ଅଞ୍ଚଳକୁ କୌଣସି ସୁବିଧା ନଥିବାରୁ ପାଦଚଲା ରାସ୍ତାରେ ନୀଳଗିରି ପାହାଡ ପାରେଇ, ନଦୀ ନାଳ ଡେଇଁ, ରେଳଧାରଣା ଅତିକ୍ରମ କରନ୍ତି ଶିବନ । କେବେ କେବେ ଚିଠି ନେଇ ଯିବା ବେଳେ ଜଙ୍ଗଲୀ ଜନ୍ତୁଙ୍କ ସାମ୍ନାସାମ୍ନି ହୋଇଛନ୍ତି ଶିବନ । ହାତୀ, ବାଘ, ଭାଲୁ, ସର୍ପାଘାତ ଭଳି ଅନେକ ବିପଦକୁ ଆଡେଇ ଆଗକୁ ବଢିଛନ୍ତି । କେବେ ଝରଣା ଡେଇଁ ତ କେବେ ସୁଡଙ୍ଗ ଭିତରେ ପଶି ଗାଁ ଲୋକଙ୍କ ପାଖରେ ସେବା ପହଞ୍ଚାଇଛନ୍ତି । ଏତେ ସମସ୍ୟା ସତ୍ୱେ କେବେ ବିରକ୍ତି ହୋଇନାହାନ୍ତି କି କେବେ ଅବହେଳା କରି ନାହାନ୍ତି ଶିବନ । ବରଂ କର୍ମକୁ ଭଗବାନ ଭାବି ନିଜ କର୍ତ୍ତବ୍ୟ ପଥରେ ଆଗେଇ ଯାଇଛନ୍ତି ପାହାଡି ଲୋକଙ୍କ ପ୍ରିୟ ଡାକବାଲା ।

ଶିବନଙ୍କ ଏହି ନିଷ୍ଠା ପାଇଁ କୁନ୍ନୁରର ଲୋକେ ତାଙ୍କୁ ଭାରି ଭଲପାଆନ୍ତି । ତେବେ ନିକଟରେ ଶିବନ ଅବସର ନେବାପରେ ଜଣେ ଆଇଏଏସ୍ ଅଧିକାରୀ ସୁପ୍ରିୟା ସାହୁ ନିଜ ଟ୍ୱିଟରରେ ତାଙ୍କ କାମ ପ୍ରତି ଥିବା ନିଷ୍ଠାପରତାକୁ ବ୍ୟାଖ୍ୟା କରିଥିଲେ । ବାସ୍ ତାପରେ ଲୋକେ ଶିବନଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି ଆଉ ଏଭଳି ସଚ୍ଚା ଯୋଦ୍ଧାଙ୍କୁ ସରକାର ବଡ ସମ୍ମାନ ଦିଅନ୍ତୁ ବୋଲି ଲୋକେ ଦାବି କରିଛନ୍ତି । ସତରେ ପାହାଡି ଜୀବନ ପାଇଁ ସମ୍ପର୍କର ସେତୁ ସାଜିଥିବା ଶିବନଙ୍କୁ ସତ ସଲାମ୍ କରୁଛି ସାରା ଦେଶ...

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe