କନକ ବ୍ୟୁରୋ : ଋଷ-ୟୁକ୍ରେନ୍ ଯୁଦ୍ଧ ଭିତରେ ଏବେ ଋଷ ବିରୋଧରେ ଅସ୍ତ୍ର ଉଠାଇଛନ୍ତି ଜଣେ ଭାରତୀୟ ଯୁବକ । ଋଷ-ୟୁକ୍ରେନ୍ ଯୁଦ୍ଧକୁ ନେଇ ଭାରତ ଏଯାବତ କାହା ସପକ୍ଷରେ ମୁହଁ ଖୋଲିନଥିବା ବେଳେ ଭାରତୀୟ ଯୁବକ କିଭଳି ଋଷ ବିରୋଧରେ ଅସ୍ତ୍ର ଉଠାଇଲେ ତାହାକୁ ନେଇ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ । କିନ୍ତୁ ଏଭଳି ଏକ ଘଟଣା ଏବେ ସାମ୍ନାକୁ ଆସିଛି । ଋଷ ବିରୋଧରେ ଅସ୍ତ୍ର ଉଠାଇଛନ୍ତି ତାମିଲନାଡୁର ଜଣେ ଯୁବକ ।
ଋଷ-ୟୁକ୍ରେନ୍ ଯୁଦ୍ଧ ଭିତରେ ୟୁକ୍ରେନ୍ ସେନାରେ ସାମିଲ ହୋଇଛନ୍ତି ତାମିଲନାଡୁର ଯୁବକ । ଆଉ ସବୁଠୁ ବଡ କଥା ହେଲା ୟୁକ୍ରେନ୍ ସେନାରେ ସାମିଲ ହୋଇଥିବା ଯୁବକ ଜଣକ ପୂର୍ବରୁ ଭାରତୀୟ ସେନାରେ ସାମିଲ ହେବାକୁ ପରୀକ୍ଷା ଦେଇଥିଲେ । ଥରେ ନୁହେଁ ଦୁଇ ଦୁଇ ଥର । କିନ୍ତୁ କମ ଉଚ୍ଚତା କାରଣରୁ ଭାରତୀୟ ସେନାରେ ତାଙ୍କୁ ଏଣ୍ଟ୍ରି ମିଳିନଥିଲା । ଆଉ ୟୁକ୍ରେନ ସେନାରେ ସାମିଲ ହୋଇଥିବା ଯୁବକ ଜଣକ ହେଉଛନ୍ତି ୨୧ ବର୍ଷୀୟ ସୈନିକେଶ ରବିଚନ୍ଦ୍ରନ । ତାମିଲନାଡୁର କୋଏମ୍ବାଟୁରର ଯୁବକ ରବିଚନ୍ଦ୍ରନ ଯୁଦ୍ଧ ଭଳି ସଙ୍କଟଜନକ ସ୍ଥିତିରେ ୟୁକ୍ରେନ୍ ସେନାରେ ସାମିଲ ହୋଇ ଋଷ ବିରୋଧରେ ଲଢେଇ କରିବାକୁ ଆଗେଇ ଆସିଛନ୍ତି । ଆଉ ଏହାସହ ସେନାରେ ସାମିଲ ହେବା ସ୍ୱପ୍ନକୁ ମଧ୍ୟ ପୂରା କରିଛନ୍ତି । ଅନ୍ୟପଟେ ଏନେଇ ରବିଚନ୍ଦ୍ରନଙ୍କ ପରିବାରକୁ ପଚରାଉଚରା ପରେ ଜଣାପଡିଛି ଯେ, ସେନାରେ ସାମିଲ ହେବାକୁ ଛୋଟବେଳୁ ସ୍ୱପ୍ନ ଦେଖୁଥିଲେ ରବିଚନ୍ଦ୍ରନ । ଏପରିକି ଭାରତୀୟ ସେନାରେ ସାମିଲ ହେବାକୁ ପରୀକ୍ଷା ଦେଇଥିଲେ ମଧ୍ୟ ଏଥିରେ ଫେଲ ହୋଇଥିଲେ ସେ । ଏପରିକି ଆମେରିକା ସେନାରେ ସାମିଲ ହେବାକୁ ମଧ୍ୟ ରବିଚନ୍ଦ୍ରନ ଇଚ୍ଛା ପ୍ରକାଶ କରିଥିଲେ ବୋଲି କହିଛନ୍ତି ତାଙ୍କର ନିକଟ ସର୍ମ୍ପକୀୟ । କିନ୍ତୁ ଏଠାରେ ମଧ୍ୟ ବିଫଳ ହେବା ପରେ ୟୁକ୍ରେନର ଖାରକିଭରେ ଥିବା ନ୍ୟାସନାଲ ଏରୋସ୍ପେଶ ବିଶ୍ୱବିଦ୍ୟାଳୟରେ ପାଠପଢା ଆରମ୍ଭ କରିଥିଲେ । ୨୦୧୮ରେ ପାଠ ପଢା ପାଇଁ ୟୁକ୍ରେନ ଯାଇଥିଲେ ରବିଚନ୍ଦ୍ରନ ।
୨୦୨୨ ଜୁଲାଇରେ ରବିଚନ୍ଦ୍ରନଙ୍କ ପାଠ୍ୟକ୍ରମ ଶେଷ ହେବାକୁ ଥିବା ବେଳେ ଗତ ବର୍ଷ ଜୁଲାଇ ମାସରେ ସେ ଭାରତକୁ ମଧ୍ୟ ଆସିଥିଲେ । ପାଖାପାଖି ଦେଢ ମାସ ରହିବା ପରେ ପୁଣିଥରେ ୟୁକ୍ରେନ ଫେରି ଯାଇଥିଲେ ରବିଚନ୍ଦ୍ରନ । ପରେ ପରିବାର ସହ ଯୋଗାଯୋଗରେ ଥିଲେ । କିନ୍ତୁ ଯୁଦ୍ଧ ସମୟରେ ରବିଚନ୍ଦ୍ରନଙ୍କ ସହ ଯୋଗାଯୋଗ ହୋଇ ନପାରିବାରୁ ପରିବାର ଲୋକେ ଦୂତାବାସ ସହ ସମ୍ପର୍କ କରିଥିଲେ । ଆଉ ଦୂତାବାସ ଜରିଆରେ ପୁଅ ସୈନିକେଶଙ୍କ ବାବଦରେ ଜାଣିବାକୁ ପାଇଥିଲେ ପରିବାର ଲୋକେ । କିନ୍ତୁ ସେତେବେଳକୁ ଯଥେଷ୍ଟ ବିଳମ୍ବ ହୋଇ ସାରିଥିଲା । କାରଣ ସୈନିକେଶ ସେତେବେଳକୁ ୟୁକ୍ରେନ୍ ସେନାରେ ସାମିଲ ହୋଇ ସାରିଥିଲେ । ପରିବାର ଲୋକ ବୁଝାଇବା ସହ ଭାରତକୁ ଫେରି ଆସିବାକୁ କହିଥିଲେ ମଧ୍ୟ ଏଥିରେ ରାଜି ହୋଇନଥିଲେ ରବିଚନ୍ଦ୍ରନ ।
First foreigners have already joined International Legion, Ukraine's volunteer military force, and are fighting outside of Kyiv.
According to the Ukrainian Ground Forces, the volunteers came from the U.S., U.K., Sweden, Lithuania, Mexico, and India.
📷 Ukrainian Ground Forces pic.twitter.com/2TvelInMqa
— The Kyiv Independent (@KyivIndependent) March 7, 2022
ଋଷ-ୟୁକ୍ରେନ ଯୁଦ୍ଧ ଦିନକୁ ଦିନ ବିଷମ ସ୍ଥିତି ଆଡକୁ ଗତି କରୁଛି । ଋଷର ପ୍ରଚଣ୍ଡ ଆକ୍ରମଣରେ ଋଷର ଅଧିକାଂଶ ସହରରେ ଏବେ କେବଳ ନିଆଁ ଜଳୁଥିବା ବେଳେ ୟୁକ୍ରେନ୍ ସେନା ମଧ୍ୟ ସାହସର ଲଢେଇ ଜାରି ରଖିଛି । ଅନେକ ୟୁରୋପୀୟ ଦେଶ ବିଭିନ୍ନ ଉପାୟରେ ୟୁକେନକୁ ସହାୟତା କରୁଥିବା ବେଳେ ବିଭିନ୍ନ ଦେଶର ଯୁବକ ମାନେ ମଧ୍ୟ ୟୁକ୍ରେନ ସେନାରେ ସାମିଲ ହେବାକୁ ଇଚ୍ଛା ପ୍ରକାଶ କରୁଛନ୍ତି । ଯାହାକୁ ଦୃଷ୍ଟିରେ ରଖି ୟୁକ୍ରେନ୍ ସେନା ଇଣ୍ଟରନ୍ୟାସନାଲ ଲିଜିଏନର ଘୋଷଣା କରିଛି । ଯେଉଁ ୟୁନିଟରେ ବିଦେଶରୁ ଆସୁଥିବା ଯୁବକ ମାନଙ୍କୁ ସାମିଲ କରାଯାଉଛି । ଏହାପୂର୍ବରୁ ୟୁକ୍ରେନର ପ୍ରତିରକ୍ଷଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା ଯେ, ଋଷ ବିରୋଧରେ ଯୁଦ୍ଧକୁ ଓହ୍ଲାଇବାକୁ ହଜାର ହଜାର ବିଦେଶୀ ନାଗରିକଙ୍କ ଆବେଦନ ମିଳୁଛି । ଯେଉଁମାନେ କେବଳ ଋଷ ସହ ଲଢେଇ କରିବାକୁ ନୁହେଁ ବରଂ ବିଶ୍ୱକୁ ରକ୍ଷା କରିବାକୁ ଚାହୁଁଛନ୍ତି । ୟୁକେନ୍ ସେନା ପକ୍ଷରୁ ଆରମ୍ଭ ହୋଇଥିବା ଏହି ନୂଆ ୟୁନିଟରେ ଏବେ ସୁଦ୍ଧା ଆମେରିକା, ବ୍ରିଟେନ, ସ୍ୱିଡେନ, ମେକ୍ସିକୋ ଓ ଭାରତ ଭଳି ଦେଶରୁ ଯୁବକ ସାମିଲ ହୋଇଛନ୍ତି ।