ଅଭିନବ ଉପାୟରେ ସଚେତନତା : ସ୍ୱାସ୍ଥ୍ୟର ଦେବୀ ରୂପ ଧାରଣ କରି ମାସ୍କ୍ ବାଣ୍ଟିଲେ ମହିଳା । ଗୋଟିଏ ହାତରେ ତ୍ରୀଶୁଳ ଆର ହାତରେ ମାସ୍କ୍ ଧରି ସଚେତନ କଲେ ମହିଳା , ମହିଳାଙ୍କ ଏଭଳି ଉଦ୍ୟମକୁ ପ୍ରଶଂସା କଲା ସୋସିଆଲ୍ ମିଡିଆ

221

ଭାରତର ସଂସ୍କୃ୍ତି , ପରମ୍ପରା ଦେବାଦେବୀଙ୍କ ପୂଜାର୍ଚ୍ଚନାକୁ ବିଶ୍ୱାସ କରେ । ପ୍ରଶାସନ , ପରିଜନଙ୍କ ଆକଟ ଯେଉଁଠି ଆଣ୍ଠୁମାରି ବସେ ଦେବାଦେବୀଙ୍କ ସ୍ୱପ୍ନାଦେଶ ସେଠାରେ ବେଦର ଗାର ପାଲଟେ । ଗାଁମାନଙ୍କରେ ତ ଗ୍ରାମଦେବତୀଙ୍କୁ ହିଁ ଇଷ୍ଟଦେବୀଙ୍କ ଆସ୍ଥାନ ପ୍ରାପ୍ତ ହୋଇଥାଏ । ତାମିଲନାଡୁର ଗ୍ରାମୀଣ ଅଞ୍ଚଳରେ ମଧ୍ୟ ଦେବୀ ମରିୟମ୍ମନଙ୍କୁ ସ୍ୱାସ୍ଥ୍ୟର ଦେବୀ ବୋଲି ପୂଜାର୍ଚ୍ଚନା କରାଯାଏ । ଦେଶରେ କୋଭିଡ଼୍-୧୯ ମହାମାରୀ ଚାଲିଥିବା ବେଳେ କିଛି ଲୋକ ସରକାରଙ୍କ ଦ୍ୱାରା କରାଯାଇଥିବା ଗାଇଡ଼ଲାଇନକୁ ମାନୁ ନାହାନ୍ତି । ମାସ୍କ୍ , ସାନିଟାଇଜରକୁ ସବୁ ଫୁ’ କରି ଉଡ଼ାଉଛନ୍ତି । ତେଣୁ ଏଠାକାର ଜଣେ ମହିଳା ଦେବୀ ମରିୟମ୍ମନଙ୍କ ରୂପ ଧାରଣ କରି ଗୋଟିଏ ହାତରେ ତ୍ରୀଶୁଳ ଆର ହାତରେ ମାସ୍କ୍ ଧରି ଗ୍ରାମୀଣ ଅଞ୍ଚଳରେ ଲୋକଙ୍କୁ ମାସ୍କ୍ ବାଣ୍ଟୁଛନ୍ତି । ସଚେତନତା ସୃଷ୍ଟି କରିବା ପାଇଁ ମହିଳାଙ୍କ ଏଭଳି ପଦକ୍ଷେପକୁ ସବୁ ପ୍ରଶଂସା କରୁଛନ୍ତି ।

ଏହିଭଳି ଭାବେ ଏପ୍ରିଲ୍ ମାସରେ ଦିଲ୍ଲୀ ପୁଲିସର କର୍ମଚାରୀ ଯମରାଜ ବେଶ ଧାରଣ କରି ଲୋକଙ୍କୁ ଘରେ ରହିବା ପାଇଁ ସତର୍କ କରାଉଥିଲେ । ଖାଲି ଏତିକି ନୁହଁ ଲୋକଙ୍କୁ ସତର୍କ କରିବା ପାଇଁ ‘କାକ୍କୁମ୍ ଅମ୍ମା’ ତଥା “ଦ ଗାର୍ଡିୟାନ୍ ଗଡେସ୍”ନାମକ ଏକ ସର୍ଟ ଫିଲ୍ମ ବି ଦେଖାଯାଉଛି । ତେବେ ଏଠାରେ ଆପଣଙ୍କୁ କହିରଖୁଛୁ ଯେ ମହାରାଷ୍ଟ୍ର ପରେ ତାମିଲନାଡୁ କରୋନା ସଂକ୍ରମଣ କ୍ଷେତ୍ରରେ ଦ୍ୱିତୀୟ ସ୍ଥାନରେ ରହିଛି । ତେଣୁ ରାଜ୍ୟ ସରକାର ଲୋକଙ୍କୁ ସତର୍କ କରିବା ପାଇଁ ଅନେକ ପ୍ରକାର ପଦକ୍ଷେପ ମଧ୍ୟ ନେଉଛନ୍ତି ।