ଝିଅକୁ ବଡ କରିବାକୁ, ୩୦ ବର୍ଷ ଧରି ପୁରୁଷ ବେଶରେ ମା’ । ଚର୍ଚ୍ଚାରେ ତାମିଲନାଡୁର ମହିଳା

6,176

କନକ ବ୍ୟୁରୋ: ପୁଅ ଝିଅ ବୁଝନ୍ତୁ କି ନ ବୁଝନ୍ତୁ ତାଙ୍କୁ ମଣିଷ କରିବାକୁ ବାପା, ମା’ କେତେ କଷ୍ଟ ସହନ୍ତି ତାକୁ କଳିବାକୁ ବୋଧହୁଏ କାହାରି ପାଖରେ ଭାଷା ନାହିଁ । ତାହା କେବଳ ସେହିମାନେ ନିଜେ ହିଁ ଜାଣନ୍ତି । ତାମିଲନାଡୁ ଥୁତୁକୁଡି ଜିଲ୍ଲାର ଜଣେ ମହିଳା ନିଜ ଝିଅକୁ ପାଳିପୋଷି ବଡ କରିବା ପାଇଁ ୩୦ ବର୍ଷ ଧରି ପୁରୁଷ ବେଶରେ ରହିଥିବା ଜଣାପଡିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ ଦୀର୍ଘ ୩୦ ବର୍ଷ ଧରି ପୁରୁଷ ବେଶରେ ଜଣେ ମହିଳା । ତାହ ଖାଲି ବେଶ ନୁହେଁ ବରଂ ନିଜ ସନ୍ତାନ ପାଇଁ କଠୋର ତପସ୍ୟା ଆଉ ବଳିଦାନ । ଥୁତୁକୁଡି ଜିଲଲା କାଟୁନାୟକ୍କାନପତ୍ତି ଗାଁର ୨୦ ବଇର୍ୟା ପେଚିୟାମ୍ମଲ କମ୍ ବୟସରେ ବିବାହ କରିଥିଲେ । ହେଲେ ସ୍ୱାମୀଙ୍କ ସହ ଦାମ୍ପତ୍ତ୍ୟ ଜୀବନ ତାଙ୍କ ଭାଗ୍ୟରେ ନଥିଲା । ବିବାହର ମାତ୍ର ୧୫ ଦିନରେ ତାଙ୍କ ସ୍ୱାମୀ ହୃଦଘାତରେ  ତାଙ୍କୁ ଲକାକରି ଆରପାରିକୁ ଚାଲିଗଲେ । ହେଲେ ସେତେବେଳକୁ ସ୍ୱାମୀଙ୍କ ରକ୍ତ ତାଙ୍କ ଭିତରେ ସଞ୍ଚାର କରିସାରିଥିଲା । କିଛି ମାସ ପରେ ତାଙ୍କ କୋଳକୁ ଆସିଥିଲା କୁନି ପ୍ରାଣଟିଏ । ନବଜାତ ଝିଅକୁ ଦେଖି ସ୍ୱାମୀଙ୍କ ବିଚ୍ଛେଦକୁ ଭୁଏିବାକୁ ଚେଷ୍ଟା କଲେ । ଆଉ ଝିଅକୁ ବଡ କରିବାକୁ ଅଣ୍ଟା ଭିଡିଲେ ।

ଝିଅକୁ ମଣିଷ କରିବାକୁ ପରଘରେ ପାଇଟି କରିବାକୁ ଆରମ୍ଭ କଲେ । ହେଲେ ତାଙ୍କ ଉପରେ ପଡିଥିଲା ଏକାଧିକ ଲୋଲୁପ ଦୃଷ୍ଟି । ତାଙ୍କ କାର୍ଯ୍ୟ କ୍ଷେତ୍ରରେ ହଇରାଣ ହରକତ କରିବାକୁ ଚେଷ୍ଟା କରାଯାଉଥିଲା । ପେଚିୟାମ୍ମଲ ନିଷ୍ପତ୍ତି ନେଲେ ଆଉ ବାହା ନହୋଇ ଏକମାତ୍ର ଝିଅକୁ ମଣିଷ କରିବେ । ହେଲେ ବାହାରେ ମଣିଷ ବେଶରେ ଜଗିରହିଥିବା ଶିଆଳଙ୍କ ଠାରୁ ନିଜକୁ ବଞ୍ଚାଇବକୁ ନେଲେ ଏକ ବଡ ନିଷ୍ପତ୍ତି । ଧାରଣ କଲେ ପୁରୁଷ ବେଶ । ଆଉ ପେଚିୟାମ୍ମଲରୁ ପାଲଟିଗଲେ ମୁଥୁ ।

ପେଚିୟାମ୍ମଲ ନିଜ ଚୁଟି କାଟି ଛୋଟ କରିଦେଲେ । ଶାଢୀ ବଦଳରେ ପୁରୁଷଙ୍କ ପରି ଲୁଙ୍ଗି ଓ ସାର୍ଟ ପିନ୍ଧିବାକୁ ଆରମ୍ଭ କଲେ । ସେ ଦିନଠୁ ଆଜିଯାଏଁ ଦୀର୍ଘ ୩୦ ବର୍ଷ ଧରି ମୁଥୁ ବେଶରେ ଚେନ୍ନାଇ ସହର ସହ ଥୁତୁକୁଡିର ବିଭିନ୍ନ ଚା’ ଦୋକାନ ଓ ହୋଟେଲରେ କାମ କରି ଗୁଜୁରାଣ ମେଣ୍ଟାଉଛନ୍ତି । ଖାଲି ଏତିକି ନୁହେଁ ସେ ଅନେକ ସ୍ଥାନରେ ପେଣ୍ଟର ଭାବେ କାମ କରନ୍ତି । ପରଟା ଓ ଚା’ ଦୋକାନରେ କାମ କଲାବେଳେ ମୁଥୁଙ୍କୁ ଲୋକେ ମୁଥୁ ମାଷ୍ଟର ଭାବେ ଡାକିଲେ । ସମୟ କ୍ରମେ ଆଧାରକାର୍ଡ, ଭୋଟର ଆଇଡି, ବ୍ୟାଙ୍କ ଆକାଉଣ୍ଟ ସବୁଥିରେ ତାଙ୍କ ପରିଚୟ ମୁଥୁ ହୋଇଗଲା ।

ଝିଅର ଭବିଷ୍ୟତକୁ ସୁରକ୍ଷିତ କରିବାକୁ ସେ ରୋଜଗାର କରୁଥିବା ପ୍ରତିଟି ଟଙ୍କାକୁ ସଞ୍ଚୟ କରୁଥିଲେ । ପେଚିଆମ୍ମଲଙ୍କୁ ଏବେ ୫୭ ବର୍ଷ ହେଲାଣଇ । ଝିଅର ବାହାଘର ପରେ ତାଙ୍କ ସ୍ୱପ୍ନ ପୂରଣ ହୋଇଛି ବୋଲି ସେ କୁହନ୍ତି । ହେଲେ ଏବେ ଲୋକେ ତାଙ୍କର ପ୍ରକୃତ ପରିଚୟ ଜାଣିବା ପରେ ସେ ଆଉ ଅତୀତର ସେ ମହିଳା ପରିଚୟକୁ ଫେରିବାକୁ ଚାହୁଁନାହାଁନ୍ତି । ଯେଉଁ ପରିଚୟ ତାଙ୍କୁ ବଞ୍ଚିବାକୁ ସାହାସ ଦେଇଛି ସେହି ପରିଚୟରେ ମୃତ୍ୟୁ ପର୍ଯ୍ୟନ୍ ରହିବାକୁ କହିଛନ୍ତି ପେଚିଆମ୍ମଲ ।