ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀଙ୍କୁ ମୁକ୍ତ କରିବାକୁ ନିଷ୍ପତି ନେଲା ତାମିଲନାଡୁ କ୍ୟାବିନେଟ୍ ! ୨୭ ବର୍ଷ ଧରି ଜେଲରେ ଅଛନ୍ତି ୭ ହତ୍ୟାକାରୀ ।

25

କନକ ବ୍ୟୁରୋ : ଖୁବଶୀଘ୍ର ଜେଲରୁ ମୁକୁଳିବେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସମସ୍ତ ୭ ଜଣ ହତ୍ୟାକାରୀ । ସମସ୍ତଙ୍କୁ ମୁକ୍ତ କରିବା ପାଇଁ ପ୍ରସ୍ତାବ ଦେବାକୁ ତାମିଲନାଡୁ କ୍ୟାବିନେଟ ନିଷ୍ପତି ନେଇଛି । ସମ୍ବିଧାନର ଧାରା ୧୬୧ ଅନୁଯାୟୀ ଏ ସମ୍ପର୍କିତ ପ୍ରସ୍ତାବ ରାଜ୍ୟପାଳଙ୍କ ନିକଟକୁ ପଠାଯିବ । ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ. ପାଲାନିସ୍ୱାମୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏହି ପ୍ରସଙ୍ଗରେ ପ୍ରାୟ ୨ ଘଂଟା ଧରି ଆଲୋଚନା ପରେ ମତ୍ସ୍ୟବିଭାଗ ମନ୍ତ୍ରୀ ଡି. ଜୟକୁମାର କ୍ୟାବିନେଟର ଏହି ପ୍ରସ୍ତାବ ତୁରନ୍ତ ରାଜ୍ୟପାଳଙ୍କ ନିକଟକୁ ପଠାଯିବ ବୋଲି କହିଛନ୍ତି ।

ରାଜ୍ୟ ସରକାରଙ୍କ ନିଷ୍ପତିକୁ ରାଜ୍ୟପାଳ କାର୍ଯ୍ୟକାରୀ କରିବେ ବୋଲି ସେ ସୂଚନା ଦେଇଛନ୍ତି । ରାଜୀବଙ୍କ ୭ଜଣ ହତ୍ୟାକାରୀ ମଧ୍ୟରୁ ଏ. ଜି ପେରାରି ଭଲନ ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲେ । ପରେ ଏହି ଆବେଦନ ଉପରେ ନିଷ୍ପତି ନେବାକୁ ସୁପ୍ରିମକୋର୍ଟ ବିଭାଗୀୟ କର୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଆଖି ଆଗରେ ରଖି ତାମିଲନାଡୁ କ୍ୟାବିନେଟ ଆଜି ଏହି ନିଷ୍ପତି ନେଇଛି । ରାଜୀବ ଗାନ୍ଧୀଙ୍କ ଏହି ୭ଜଣ ହତ୍ୟାକାରୀ ହେଲେ ନଳିନୀ ଶ୍ରୀହରଣ, ମୁରୁଗାନ ଓରଫ ଶ୍ରୀହରଣ, ପେରାରିଭଲନ ଓରଫ ଆରିଭୁ, ରବର୍ଟ ପୟାସ, ରବିଚନ୍ଦ୍ରନ, ସନାଥନ ଏବଂ ଜୟକୁମାର । ଏହି ଅଭିଯୁକ୍ତମାନେ ୨୭ବର୍ଷ ଧରି ଜେଲରେ ସଜା କାଟୁଛନ୍ତି ।