ୟୁଟ୍ୟୁବର ମନୀଷ କଶ୍ୟପଙ୍କ ପାଇଁ ବଢିଲା ଅଡୁଆ, ଗିରଫ କରିବାକୁ ପାଟନାରେ ପହଞ୍ଚିଲା ତାମିଲନାଡୁ ପୋଲିସ

1,156

କନକ ବ୍ୟୁରୋ : ବିବାଦୀୟ ୟୁଟ୍ୟୁବର ମନୀଷ କଶ୍ୟପଙ୍କ ପାଇଁ ପୁଣି ଅଡୁଆ ବଢିବାରେ ଲାଗିଛି । ଶନିବାର ସକାଳେ ମନୀଷ ବିହାର ପୋଲିସ ନିକଟରେ ଅତ୍ମସମର୍ପଣ କରିଥିବା ବେଳେ ତାଙ୍କୁ ଗିରଫ କରାଯାଇଛି । ଏହାପରେ ଏବେ ତାମିଲନାଡୁ ପୋଲିସର ଏକ ୪ଜଣିଆ ଟିମ୍ ମନୀଷଙ୍କୁ ଗିରଫ କରିବାକୁ ପାଟନାରେ ପହଂଚିଛି । କୁହାଯାଉଛି କି ଗିରଫ କରିବା ପରେ ତାଙ୍କୁ ତାମିଲନାଡୁ ପୋଲିସ ଦୁଇଦିନିଆ ଟ୍ରାନଜିଟ୍ ରିମାଣ୍ଡରେ ନେବ । ଏହାସହ ମନୀଷଙ୍କ ନାମରେ ଦକ୍ଷିଣ ରାଜ୍ୟଗୁଡିକରେ ମଧ୍ୟ ଅଭିଯୋଗ ରହିଛି ।

ତାମିଲନାଡୁରେ ପ୍ରବାସୀ ବିହାରୀ ଶ୍ରମିକଙ୍କ ଉପରେ କଥିତ ଆକ୍ରମଣର ନକଲି ଭିଡିଓ ସୋସିଆଲ ମିଡିଆରେ ସେୟାର କରିବା ମାମଲାରେ ମନୀଷଙ୍କ ନାମରେ ବିହାର ଓ ତାମିଲନାଡୁ ରାଜ୍ୟରେ ଅଭିଯୋଗ ହୋଇଛି । ଏନେଇ ଯାଂଚକର୍ତ୍ତା ବାରମ୍ବାର ଚେଷ୍ଟା କରିବା ପରେ ମଧ୍ୟ ମନୀଷ ଆର୍ଥିକ ଅପରାଧ ଶାଖାର ଅଧିକାରୀଙ୍କ ନିକଟରେ ହାଜର ହୋଇ ନଥିଲେ । ଏହାପରେ ମନୀଷଙ୍କ ବିରୋଧରେ ୱାରେଣ୍ଟ ଜାରି କରାଯାଇଥିଲା । ଏହାପରେ ବିିଭାଗ ପକ୍ଷରୁ ମନୀଷଙ୍କର ବିଭିନ୍ନ ଠିକଣାରେ ଚଢାଉ କରାଯାଇଥିଲେ ବି ମନୀଷଙ୍କୁ ଧରିବାରେ ସକ୍ଷମ ହୋଇ ନଥିଲା ବିଭାଗ ।

ଏସବୁ ଭିତରେ ଶନିବାର (ମାର୍ଚ୍ଚ ୧୮) ସକାଳେ ବେତିୟା ଜିଲ୍ଲାର ମହନା ଗ୍ରାମରେ ଥିବା ମନୀଷଙ୍କ ଘରେ କୁରକ କରିଥିଲା ପୋଲିସ । ଏହାର କିଛି ସମୟ ପରେ ବେତିୟା ଜିଲ୍ଲା ପୋଲିସ ନିକଟରେ ମନୀଷ ଆତ୍ମସମର୍ପଣ କରିଥିଲେ ।