କନକ ବ୍ୟୁରୋ: କୌଣସି ବି ଅପରେସନ ବେଳେ ଡାକ୍ତରଙ୍କ ପାଖରୁ ଆଶା କରାଯାଏ ଯେ ତାଙ୍କ ଦ୍ୱାରା କୌଣସି ଭୁଲ ନହେଉ । ଅନେକ ସମୟରେ ଡାକ୍ତରଖାନାରେ ଅବହେଳା କାରଣରୁ ରୋଗୀର ମୃତ୍ୟୁ ଖବର ମଧ୍ୟ ସାମ୍ନାକୁ ଆସିଥାଏ । ଆଉ ଏଭଳି ବି ସ୍ଥିତି ଦେଖାଯାଏ ଅପରେସନ ଉପରେ ପୁଣି ଆଉ ଥରେ ଅପରେସନ କରିବାକୁ ପଡିଥାଏ । ଏଭଳି ଏକ ମାମଲା ସାମ୍ନାକୁ ଆସିଛି ତାମିଲନାଡୁର କୁଡ୍ଡାଲୋର ଜିଲ୍ଲାରୁ । ଉପଭୋକ୍ତା ଅଦାଲତ ଏଭଳି ଏକ ମାମଲାରେ ଡାକ୍ତରଖାନା ଉପରେ ଲକ୍ଷାଧିକ ଟଙ୍କାର ଜରିମାନା କରିଥିବା ବେଳେ ରୋଗୀଙ୍କୁ ୧୨ ଲକ୍ଷ ୨୫ ହଜାର ଟଙ୍କାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତିା
ସୂଚନା ଅନୁସାରେ ୨୦୧୬ରେ ଜଣେ ମହିଳା ମହାତ୍ମା ଗାନ୍ଧୀ ମେଡିକାଲ କଲେଜରେ ପ୍ରସବ ପାଇଁ ପହଞ୍ଚିଥିଲେ । ଡିସେମ୍ବର ୧୧ ତାରିଖ ପରେ ତାଙ୍କର ଶିଶୁ ଜନ୍ମ ହୋଇଥିଲା । ଶିଶୁର ଜନ୍ମ ପରେ ଡାକ୍ତରଖାନାର ଏକ ଟିମ୍ ମହିଳାଙ୍କ ଏପିସିୟୋଟମି କରିଥିଲେ । ତେବେ ଏହି ସମୟରେ ତାଙ୍କ ଦେହରେ ଛୁଞ୍ଚିଟି ଭାଙ୍ଗିବା ସହ ଏହାର କିଛି ଅଂଶ ରହିଯାଇଥିଲା । ମହିଳାଙ୍କ ଅଭିଯୋଗ ହେଉଛି ଯେ ଜନ୍ମ ପରେ ଶିଶୁର କିଛି ସମସ୍ୟା ଥିବା ଦର୍ଶାଇ ତାଙ୍କୁ ଅବଜରଭେସନରେ ରଖିବାକୁ କୁହାଯାଇଥିଲା । ତାଙ୍କ ପରିବାରକୁ ତାଙ୍କ ସହ ତାଙ୍କ ଛୁଆକୁ ମଧ୍ୟ ଦେଖିବା ପାଇଁ ଅନୁମତି ଦେଇନଥିଲେ ଡାକ୍ତରଖାନା କର୍ତ୍ତୃପକ୍ଷ ।
ଭଙ୍ଗା ଛୁଞ୍ଚି କାରଣରୁ ମହିଳା ଅନେକ ଅସୁବିଧାର ସାମ୍ନା କରୁଥିଲେ । ଏହା ବାବଦରେ ଜଣାପଡିବା ପରେ ତାଙ୍କର ଏକ୍ସରେ କରାଯାଇଥିଲା । ଏଥିରେ ଜଣାପଡିଥିଲା ଯେ ପେରିନମରେ ଭଙ୍ଗା ଛୁଞ୍ଚି ରହିଯାଇଛି । ଡାକ୍ତର ମହିଳାଙ୍କ ପରିବାରକୁ ଏନେଇ ସୂଚନା ନଦେଇ ସର୍ଜରୀ ପାଇଁ କାଗଜପତ୍ରରେ ପରିବାରର ହସ୍ତାକ୍ଷର ନେଇ ଯାଇଥିଲେ । ତିନି ଘଣ୍ଟା ଯାଏ ଚାଲିଥିବା ଏହି ଅପରେସନ ମଧ୍ୟ ସଫଳ ହୋଇପାରିନଥିଲା ଏବଂ ଦେହରେ ଥିବା ଛୁଞ୍ଚିକୁ ମଧ୍ୟ ବାହାର ହୋଇପାରିନଥିଲା । ଏହି କାରଣରୁ ମହିଳାଙ୍କ ଅସୁବିଧା ବଢିଚାଲିଥିଲା । ପରେ ମହିଳାଙ୍କୁ ଅନ୍ୟ ଡାକ୍ତରଖାନକୁ ସ୍ଥାନାନ୍ତର କରିଥିଲେ ପରିବାର ସଦସ୍ୟ । ମହିଳାଙ୍କ ସ୍ୱାମୀଙ୍କୁ ସାକ୍ଷୀ ଭାବେ ରଖି ତାଙ୍କ ଦସ୍ତଖତ କରାଯାଇଥିଲା । ଏବେ ମଧ୍ୟ ମହିଳାଙ୍କ ଦେହରେ ଛୁଞ୍ଚି ରହିବା କାରଣରୁ ଅନେକ ଅସୁବିଧାର ସାମ୍ନା କରୁଛନ୍ତି ମହିଳା ।
ଡାକ୍ତରଖାନା କର୍ତ୍ତୃପକ୍ଷ ସ୍ୱୀକାର କରିଛନ୍ତି ଯେ, ମହିଳାଙ୍କ ଦେହରେ ଛୁଞ୍ଚିଟି ଫସିରହିଛି । ଡାକ୍ତରଙ୍କ ଅଜାଣତରେ ଛୁଞ୍ଚିଟି ଫସିରହିଯାଇଥିଲା । ଏଥିପାଇଁ ଡାକ୍ତରଖାନା କର୍ତ୍ତୃପକ୍ଷ ପରିବାର ନିକଟରେ କ୍ଷମାପ୍ରାର୍ଥନା କରିଥିଲେ । ତେବେ ଏନେଇ ପରିବାର କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସାତ ବର୍ଷ ପରେ ମହିଳାଙ୍କ ପରିବାରକୁ ନ୍ୟାୟ ମିଳିଛି । କୋର୍ଟ ଡାକ୍ତରଖାନା ଉପରେ ୧୦ ଲକ୍ଷର ଜରିମାନା ଲଗାଇଥିବା ବେଳେ ମକଦ୍ଦମା ବାବଦରେ ଖର୍ଚ୍ଚ ୨ ଲକ୍ଷ ୨୫ ହଜାର ସମେତ ୧୨.୨୫ ଲକ୍ଷ ଟଙ୍କା ଦେବାକୁ ଆଦେଶ ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/03/jdhdhdh-252.jpg)