ପୁଣି ଚର୍ଚ୍ଚାରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ, ବିଧାନସଭାରେ କୃଷି ଆଇନ ବିରୋଧରେ ପ୍ରସ୍ତାବ ପାରିତ

189

କନକ ବ୍ୟୁରୋ : ତାମିଲନାଡୁର ମୁଖ୍ୟମନ୍ତ୍ରୀ ହେବା ପରେ ଡିଏମକେ ନେତା ଏମକେ ଷ୍ଟାଲିନ ସବୁବେଳେ ଚର୍ଚ୍ଚାରେ ରହିଛନ୍ତି । ଏବେ ତାମିଲନାଡୁ ବିଧାନସଭା ଅଧିବେଶନ ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରସ୍ତାବ ପାରିତ କରିବାରେ ଲାଗିଛନ୍ତି । ଏହି କ୍ରମରେ ଆଜି ତାମିଲନାଡୁ ବିଧାନସଭାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ୩ ଟି କୃଷି ଆଇନ ବିରୋଧରେ ପ୍ରସ୍ତାବ ପାରିତ କରାଯାଇଛି । ପ୍ରସ୍ତାବ ପାରିତ ବେଳେ ବିଧାନସଭାରେ ବିରୋଧୀମାନେ ପ୍ରବଳ ହଟ୍ଟଗୋଳ କରିଥିବା ଦେଖିବାକୁ ମିଳିଛି ।

କେବଳ କୃଷି ଆଇନ ବିରୋଧରେ ପ୍ରସ୍ତାବ ପାରିତ ହୋଇନାହିଁ । ମୁଖ୍ୟମନ୍ତ୍ରୀ କହିଛନ୍ତି କି ରାଜ୍ୟରେ କୃଷକମାନଙ୍କ ବିରୋଧରେ ଦାଖଲ ହୋଇଥିବା ମାମଲା ବି ପ୍ରତ୍ୟାହାର କରାଯିବ ବୋଲି କହିଛନ୍ତି ।

ତାମିଲନାଡୁ ବିଧାନସଭାରେ କୃଷି ଆଇନ ବିରୋଧରେ ପ୍ରସ୍ତାବ ପାରିତ ହେବା ବେଳେ ବିଜେପି ଏଆଇଏଡିଏମକେ ବିଧାୟକମାନେ ଗୃହତ୍ୟାଗ କରିଥିଲେ । ବିଜେପି ଓ ଏଆଇଏଡିଏମକେ ଅଭିଯୋଗ ଆଣିଥିଲା କି, ଆଇନ ବିରୋଧରେ ପ୍ରସ୍ତାବକୁ ସରକାର ତ୍ୱରିତ ଭାବେ ପାରିତ କରିବା ଉଚିତ ନୁହେଁ । ରାଜ୍ୟସରକାର ଏକ ସର୍ବଦଳୀୟ ବୈଠକ ଡାକି କୃଷକମାନଙ୍କର ରାୟ ନେବାର ଆବଶ୍ୟକତା ବୋଲି ବିରୋଧୀ ବିଧାୟକମାନେ ଦାବି କରିଥିଲେ ।

 

କହିରଖୁ କି ୨୦୨୦ ନଭେମ୍ବର ମାସରେ କେନ୍ଦ୍ରସରକାର ପାରିତ କରିଥିବା କୃଷି ଆଇନକୁ ବିରୋଧ କରି କୃଷକମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଏହି କ୍ରମରେ ସରକାର ଓ କୃଷକନେତା ମାନଙ୍କ ମଧ୍ୟରେ ବାରମ୍ବାର ଆଲୋଚନା ହୋଇଥିଲେ ବି କିଛି ସୁଫଳ ମିଳିପାରି ନାହିଁ ।