ନିର୍ବାଚନ କମିଶନଙ୍କ ଘୋଷଣା: ପଶ୍ଚିମବଙ୍ଗରେ ୮ ଓ ଆସାମରେ ୩ଟି ପର୍ଯ୍ୟାୟରେ ଭୋଟ୍ । କେରଳ, ତାମିଲନାଡୁ ଓ ପୁଡୁଚେରୀରେ ଏପ୍ରିଲ ୬ରେ ପଡିବ ଭୋଟ୍ ।

66

କନକ ବ୍ୟୁରୋ: ଦେଶର ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଘୋଷଣା ହୋଇଛି ବିଧାନସଭା ନିର୍ବାଚନ ତାରିଖ ।  ମୁଖ୍ୟ ନିର୍ବାଚନ କମିଶନ ସୁନୀଲ ଅରୋରା ଆଜି ସାମ୍ବାଦିକ ସମ୍ମିଳନୀ କରି ତାରିଖ ଘୋଷଣା କରିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପଶ୍ଚିମବଙ୍ଗରେ ଏଥର ୮ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ । ସେହିପରି ଆସାମରେ ତିନୋଟି ଏବଂ କେରଳ, ତାମିଲନାଡୁ ଏବଂ ପୁଡୁଚେରୀରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ । ସମସ୍ତ ରାଜ୍ୟରେ ଭୋଟ୍ ଗ୍ରହଣ ଶେଷ ହେବା ପରେ ମେ ୨ ତାରିଖରେ ଭୋଟ୍ ଗଣନା କରାଯାଇ ଏହାର ଫଳାଫଳ ଘୋଷଣା ହେବ ।

ତାମିଲନାଡୁ, କେରଳ ଓ ପୁଡୁଚେରୀରେ ସମାନ ଦିନ ଅର୍ଥାତ ଏପ୍ରିଲ ୬ ତାରିଖରେ ଭୋଟ୍ ଗ୍ରହଣ ହେବ । ଏହି ଦୁଇଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ଭୋଟରମାନେ ଭୋଟ୍ ଦେବା ପରେ ମେ ୨ରେ ଏହାର ଫଳାଫଳ ଘୋଷଣା ହେବ ।

ଅନ୍ୟପଟେ ଆଶାମାରେ ମାର୍ଚ୍ଚ ୨୭ରୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହୋଇଛି ଏପ୍ରିଲ ୧ରେ ଦ୍ୱିତୀୟ ଓ ଏପ୍ରିଲ ୬ରେ ତୃତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେବ । ସେହିପରି ପଶ୍ଚିମବଙ୍ଗରେ ମଧ୍ୟ ମାର୍ଚ୍ଚ ୨୭ରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇ ଏପ୍ରିଲ ୨୯ରେ ଶେଷ ହେବ । ଭୋଟ୍ ସରିବା ପରେ ସମସ୍ତ ନିର୍ବାଚନର ଫଳାଫଳ ଗୋଟିଏ ଦିନ ଅର୍ଥାତ ମେ ୨ ତାରିଖରେ ଘୋଷଣା ହେବ ବୋଲି ମୁଖ୍ୟ ନିର୍ବାଚନ କମିଶନ ଘୋଷଣା କରିଛନ୍ତି । ତେବେ କୋଭିଡ ଦୃଷ୍ଟିରୁ ମଧ୍ୟ ନିର୍ବାଚନ ପାଇଁ ଅନେକ ଗୁଡିଏ ପଦକ୍ଷେପ ନିଆଯାଇଛି । ପୂର୍ବ ଅପେକ୍ଷା ଏଥର ଅଧିକ ମତଦାନ କେନ୍ଦ୍ର ହେବା ସହିତ ଭୋଟରଙ୍କୁ ଅଧିକ ଘଣ୍ଟାଏ ଭୋଟ୍ ଦାନ କରିିବାକୁ ସୁଯୋଗ ଦିଆଯିବ ।