ରାଜ୍ୟ ସରକାରଙ୍କ ଅଭିଭାଷଣ ସହ ସହମତ ନୁହେଁ, ମାତ୍ର ୧ ମିନିଟ୍ ୧୯ ସେକେଣ୍ଡରେ ଭାଷଣ ଶେଷ କରି ଚାଲିଗଲେ ତାମିଲନାଡୁ ରାଜ୍ୟପାଳ ଆରଏନ ରବି ।

174

କନକ ବ୍ୟୁରୋ : ଦେଶର କେତୋଟି ରାଜ୍ୟରେ ରାଜ୍ୟପାଳ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବିବାଦ ଜାରି ରହିଛି । ପୂର୍ବରୁ ପଶ୍ଚିମବଙ୍ଗ, କେରଳରେ ଏଭଳି ଘଟଣା ଦେଖିବାକୁ ମିଳୁଥିବା ବେଳେ ଏବେ ତାମିଲନାଡୁରେ ମଧ୍ୟ ରାଜ୍ୟପାଳ-ରାଜ୍ୟ ସରକାରଙ୍କ ମଧ୍ୟରେ ବିବାଦ ଆଜି ସାମ୍ନାକୁ ଆସିଛି । ତାମିଲନାଡୁ ରାଜ୍ୟପାଳ ଆରଏନ ରବି ମାତ୍ର ୨ ମିନିଟ୍ ମଧ୍ୟରେ ବିଧାନସଭାରେ ନିଜର ଅଭିଭାଷଣ ଶେଷ କରିଛନ୍ତି । ସରକାରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଅଭିଭାଷଣରେ ଅସହମତ ଥିବା ଦର୍ଶାଇ ୨ ମିନିଟରେ ଭାଷଣ ଶେଷ କରିଛନ୍ତି ରାଜ୍ୟପାଳ ।

ତାମିଲନାଡୁ ବିଧାନସଭାର ଅଧିବେଶନ ପୂର୍ବରୁ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଅଭିଭାଷଣ ଦେଇଥାନ୍ତେ ରାଜ୍ୟପାଳ । ତେବେ ସରକାରଙ୍କ ଦ୍ୱାରା ଅଭିଭାଷଣରେ ଏମିତି ଅନେକ ଅଂଶରେ ସଠିକ ତଥ୍ୟ ଦିଆଯାଇନଥିଲା । ତେଣୁ ଏହି ଅଭିଭାଷଣ ସହ ସହମତ ହୋଇନଥିଲେ ଆରଏନ ରବି । ତେଣୁ ଅଭିଭାଷଣ ପଢିବା ପୂର୍ବରୁ ଏହାକୁ ସମାପ୍ତ କରିଥିଲେ ରାଜ୍ୟପାଳ । ଏହାସହ ରାଜ୍ୟପାଳ କହିଛନ୍ତି, ମୁଁ ଅନେକଥର ଅଭିଭାଷଣ ଆରମ୍ଭ ଓ ଶେଷରେ ଜାତୀୟ ସଙ୍ଗୀତ ବଜାଇବାକୁ ପରାମର୍ଶ ଦେଇଛି । ଜାତୀୟ ସଙ୍ଗୀତକୁ ସମ୍ମାନ ପାଇଁ ଏଭଳି କହିଥିଲି । କିନ୍ତୁ ଏହାକୁ ନଜରଅନ୍ଦାଜ କରିଦିଆଗଲା । ଏଭଳି କିଛି ସଙ୍ଗୀନ ଅଭିଯୋଗ ଆଣିଥିଲେ ରାଜ୍ୟପାଳ । ତେବେ ଗୃହ ଛାଡିବା ପୂର୍ବରୁ ବିଧାନସଭାର ସଠିକ ଢଙ୍ଗରେ ଚାଲିବା ପାଇଁ ଶୁଭକାମନା ଦେଇଥିଲେ । ତେବେ ରାଜ୍ୟପାଳ ଅଭିଭାଷଣ ପଢିନଥିବା ବେଳେ ବିଧାନସଭା ବାଚସ୍ପତି ଏହାକୁ ସମ୍ପୂର୍ଣ୍ଣ ରୂପେ ପଢିଥିଲେ ।

ତାମିଲନାଡୁର ରାଜ୍ୟପାଳ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ପୂର୍ବରୁ ଅନେକ ଥର ବିବାଦ ଦେଖିବାକୁ ମିଳିଛି । ଆରଏନ ରବି ୨୦୨୧ ମସିହାରେ ତାମିଲନାଡୁର ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ତେବେ ଷ୍ଟାଲିନ ସରକାରଙ୍କ ପକ୍ଷରୁ ପୂର୍ବରୁ ଅଭିଯୋଗ କରାଯାଇଥିଲା ଯେ, କ୍ୟାବିନେଟ ନିଷ୍ପତ୍ତି ଓ ୧୦ରୁ ଅଧିକ ବିଧେୟକଙ୍କୁ ମଞ୍ଜୁରୀ ଦେବାରେ ବିଳମ୍ବ କରୁଛନ୍ତି ରାଜ୍ୟପାଳ । ତେଣୁ ରାଜ୍ୟପାଳଙ୍କ କାର୍ଯ୍ୟକ୍ରମକୁ ରାଜ୍ୟ ସରକାର ବହିଷ୍କାର କରିବା ନେଇ ଘୋଷଣା କରିଥିଲେ । ସେବେଠାରୁ ଉଭୟ ରାଜ୍ୟ ସରକାର ଓ ରାଜ୍ୟପାଳଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି ।