କନକ ବ୍ୟୁରୋ: ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାର ସମୀକ୍ଷା କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ୍ । ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ସହ ଆଲୋଚନା କରି ଘଟଣା ବିଷୟରେ ତଥ୍ୟ ନେଇଛନ୍ତି । ମୃତକଙ୍କ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଛନ୍ତି ଷ୍ଟାଲିନ୍ ।
ଟ୍ରେନ୍ ଦୁର୍ଘଟଣା ଯୋଗୁଁ ଆଜି ଆଜି ତାମିଲନାଡୁରେ ହେବାକୁ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍. କରୁଣାନିଧିଙ୍କ ଜନ୍ମଶତବାର୍ଷିକୀ ପାଳନ କାର୍ଯ୍ୟକ୍ରମକୁ ମଧ୍ୟ ବାତିଲ କରାଯାଇଛି । କେବଳ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ କାଲାଇଗ୍ନାର ପ୍ରତିମୂର୍ତ୍ତି ଏବଂ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଏହାକୁ ବାଦ ଦେଇ ବାକି ସବୁ କାର୍ଯ୍ୟକ୍ରମ ବାତିଲ କରାଯାଇଛି।
ବାହାନଗା ଟ୍ରେନ ଟ୍ରାଜେଡିରେ ଏବେ ପର୍ୟ୍ୟନ୍ତ ୨୩୮ ଜଣଙ୍କର ମୃତ୍ୟୁ ହେଲାଣି । ଏନେଇ ସୂଚନା ଦେଇଛି ଦକ୍ଷିଣପୂର୍ବ ରେଲୱେ । ଆଗକୁ ଆହୁରି ମୃତ୍ୟୁସଂଖ୍ୟା ବଢିପାରେ ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ସକାଳୁ ସକାଳୁ ଉଦ୍ଧାର କାର୍ୟ୍ୟ ଜୋରଦାର ହେବାକୁ ଥିବା ବେଳେ ଆହୁରି ଅନେକ ମୃତଦେହ ଉଦ୍ଧାର ହେବାର ଆଶଙ୍କା ରହିଛି । ଟ୍ରେନ ଦୁର୍ଘଟଣା ହେବା ପରେ ଗତକାଲି ରାତି ଠାରୁ ଏବେ ଯାଏଁ ଉଦ୍ଧାରକାର୍ୟ୍ୟ ଜାରି ରହିଛି ।