କନକ ବ୍ୟୁରୋ : କରୋନା ସଂକ୍ରମଣ ବଢୁଥିବାରୁ ଆଜିଠୁ ତାମିଲନାଡୁରେ ପ୍ରତି ରବିବାର ସଂପୂର୍ଣ୍ଣ ଲକଡାଉନ୍ । କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ କଟକଣା ଲଗାଇଛନ୍ତି ତାମିଲନାଡୁ ସରକାର । ଆଜିଠାରୁ ପ୍ରତି ରବିବାର ତାମିଲନାଡୁ ତାଲା ବନ୍ଦ ରହିବ । ଏହି ସମୟରେ ଅତ୍ୟାବଶ୍ୟକ ସେବା ବନ୍ଦ ରହିବ । ପବ୍ଲିକ୍ ଟ୍ରାନ୍ସପୋର୍ଟ ସଂପୂର୍ଣ୍ଣ ବନ୍ଦ ରହିବ । ହୋଟେଲ ଓ ରେଷ୍ଟୁରାଂଟରେ ପାର୍ସଲ ସେବା ଚାଲୁ ରହିବ । ବିମାନ ଓ ଟ୍ରେନରେ ଆସୁଥିବା ଯାତ୍ରୀ ନିଜର ଯାତ୍ରା ଟିକେଟ୍ ଦେଖାଇ ଯାଇପାରିବେ । ଏହି ସମୟରେ ପେଟ୍ରୋଲ ପମ୍ପ ଖୋଲା ରହିବ । ଏହା ସହ ରାଜ୍ୟରେ ରାତି ୧୦ଟାରୁ ସକାଳ ୫ଟା ଯାଏଁ ନାଇଟ୍ କର୍ଫ୍ୟୁ ଜାରି କରାଯାଇଛି । ଗତ ୨୪ ଘଂଟାରେ ୧୦ ହଜାର ୯୭୮ ନୂଆ ମାମଲା ସାମ୍ନାକୁ ଆସିଛି ।
ସେପଟେ, ମହାରାଷ୍ଟ୍ରରେ ସଂକ୍ରମଣ ରକେଟ ସ୍ପିଡରେ ମାଡି ଚାଲିଥିବା ବେଳେ କଡ଼ା ପଦକ୍ଷେପ ନେଇଛନ୍ତି ଉଦ୍ଧବ ସରକାର । ଆସନ୍ତାକାଲି ଠାରୁ ରାଜ୍ୟରେ ନାଇଟ କର୍ଫ୍ୟୁ ଲାଗୁ ହେବ । ରାତି ୧୧ରୁ ସକାଳ ୫ଟା ଯାଏଁ ଲାଗିବ ନାଇଟ କର୍ଫ୍ୟୁ । ହୋଟେଲ, ସପିଂ ମଲ, ଅଡିଟୋରିୟମ ୫୦ ପ୍ରତିଶତ କ୍ଷମତାରେ ଚାଲିବ । ସେପଟେ ଜିମ୍ ଓ ସେଲୁନ ବନ୍ଦ ରହିବ । ଚିଡ଼ିଆଖାନା ଓ ସଂଗ୍ରହାଳୟ ବନ୍ଦ ରହିବ । ୫ ଜଣରୁ ଅଧିକଙ୍କୁ ଏକାଠି ହେବା ଉପରେ କଟକଣା । ଟୁଇଟ୍ କରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି, ସରକାର ଲକ୍ଡାଉନ କରିବାକୁ ଚାହୁଁନାହାନ୍ତି । କିନ୍ତୁ ଅନାବଶ୍ୟକ ଭାବେ ଭିଡ଼ ନକରିବାକୁ ସେ ପରାମର୍ଶ ଦେଇଛନ୍ତି । କୋଭିଡ୍ ନିୟମ କଡ଼ାକଡ଼ି ପାଳନ ନକଲେ କୌଣସି କଟକଣା ଫଳପ୍ରଦ ହେବ ନାହିଁ ବୋଲି କହିଛନ୍ତି ଉଦ୍ଧବ ଠାକରେ । ଲକ୍ଷଣ ଆସିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ପାଇଁ ଲୋକଙ୍କୁ ସେ ନିବେଦନ କରିଛନ୍ତି ।