ତାମିଲନାଡୁ ବିଧାନସଭା ଇତିହାସରେ ପ୍ରଥମ ! ଗୃହ ଛାଡି ଚାଲିଗଲେ ରାଜ୍ୟପାଳ ଆରଏନ. ରବି

238

କନକ ବ୍ୟୁରୋ: ତାମିଲନାଡୁରେ ଶାସନରେ ଥିବା ଡିଏମକେ ଏବଂ ରାଜଭବନ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ସୋମବାର ଏହା ଏତେ ତଳକୁ ଖସିଯାଇଥିଲା ଯେ କେହି ଏହାକୁ ବିଶ୍ୱାସ ମଧ୍ୟ କରିପାରୁନାହାନ୍ତି । ରାଜ୍ୟପାଳ ଆରଏନ ରବି ବିଧାନସଭାରେ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ପାରମ୍ପରିକ ଅଭିଭାଷଣର କିଛି ଅଂଶ ଛାଡିଦେଇଥିଲେ । ଏବଂ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ରାଜ୍ୟପାଳଙ୍କ ଦ୍ୱାରା ପଢାଯାଇଥିବା ଅଭିଭାଷଣକୁ ଗୃହର ରେକର୍ଡରୁ ହଟାଇବା ପାଇଁ ପ୍ରସ୍ତାବ ପେଶ କରିଥିଲେ ।

ରାଜ୍ୟପାଳ ଆରଏନ ରବିଙ୍କ ସମ୍ବୋଧନ ପରେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ରାଜ୍ୟପାଳଙ୍କ ଦ୍ୱାରା ଦିଆଯାଇଥିବା ଅଭିଭାଷଣର କିଛି ଅଂଶ ଛାଡି ଦେବାକୁ ନେଇ ନାରାଜ ପ୍ରକାଶ କରିଥିଲେ । ଏହାକୁ ନେଇ ସେ ଏକ ପ୍ରସ୍ତାବ ଆଣିଥିଲେ । ଯାହାକୁ ବହୁମତରେ ପାରିତ କରିଦିଆଯାଇଥିଲା । ଏହା ପରେ ରାଜ୍ୟପାଳ ତୁରନ୍ତ ବିଧାନସଭା ଛାଡି ଚାଲିଯାଇଥିଲେ । ଏହା ସମ୍ଭବତଃ ତାମିଲନାଡୁ ବିଧାନସଭା ଇତିହାସର ପ୍ରଥମ ଘଟଣା ଯେତେବେଳେ ରାଜ୍ୟପାଳ ଗୃହ ଛାଡି ଚାଲିଯାଇଥିଲେ ।

ରାଜ୍ୟପାଳ ‘ଦ୍ରାବିଡିଆନ ମେଡେଲ’ ଭଳି କିଛି ଶବ୍ଦକୁ ନିଜର ଅଭିଭାଷଣରୁ ଛାଡିଦେଇଥିଲେ । ସେହିଭଳି କିଛି କଥା ନେଇ ନିଜର ମତ ରଖିଥିଲେ । ବର୍ଷର ପ୍ରଥମ ବିଧାନସଭା ଅଧିବେଶନ ଆରମ୍ଭରୁ ରବି ଶାସକ ଡିଏମକେ ଏବଂ ତାଙ୍କ ସହଯୋଗୀ ଦଳର ବିଧାୟକଙ୍କ ନାରାଜ ଭିତରେ ନିଜର ଅଭିଭାଷଣ ଆରମ୍ଭ କରିଥିଲେ । ଯେତେବେଳେ ରବି ତାମିଲ ଭାଷାରେ ନିଜର ଅଭିଭାଷଣ ଆରମ୍ଭ କରି ସଦସ୍ୟମାନଙ୍କୁ ନୂଆ ବର୍ଷ ତଥା ପୋଙ୍ଗଲ ଶୁଭେଚ୍ଛା ଜଣାଇଥିଲେ ସେତେବେଳେ ବିଧାୟକମାନେ ରାଜ୍ୟପାଳଙ୍କ ବିରୋଧରେ ହଙ୍ଗାମା ସୃଷ୍ଟି କରିଥିଲେ ।