ଚପର ଦୁର୍ଘଟଣାରେ ସିଡିଏସ ବିପିନ ରାୱତଙ୍କ ମୃତ୍ୟୁ, ଟ୍ୱିଟ ଯୋଗେ ସୂଚନା ଦେଲା ବାୟୁସେନା

212

କନକ ବ୍ୟୁରୋ :  ତାମିଲନାଡୁ କୁନ୍ନୁର ଠାରେ ଘଟିଥିବା ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ ବିପିନ ରାୱତଙ୍କ ମୃତ୍ୟୁ ହୋଇଛି । ଏନେଇ ଭାରତୀୟ ବାୟୁସେନା ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି । କୁହାଯାଉଛି କି କୁହୁଡି କାରଣରୁ ଚପରଟି ଦୁର୍ଘଟଣାରେ ଶିକାର ହୋଇଥିଲେ । ଏହି ହେଲିକପ୍ଟରରେ ୧୪ ଜଣ ଥିବା ବେଳେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ଜାତୀୟ ଗଣମାଧ୍ୟମ ଏଏନଆଇ ସୂଚନା ଦେଇଛି । ମୃତକମାନଙ୍କ ମଧ୍ୟରେ ଜଣେ ମହିଳା ଥିବା କଥା କୁହାଯାଇଛି ।

ସୂତ୍ର ସୂଚନା ମୁତାବକ ସମସ୍ତ ମର ଶରୀରକୁ ଡିଏନଏ ଟେଷ୍ଟ କରାଯିବ । ଏହାଦ୍ୱାରା ସେମାନଙ୍କ ପରିଚୟ ସ୍ପଷ୍ଟ ହେବ । କହିରଖୁ କି ତାମିଲନାଡୁର କୁନ୍ନୁର ଠାରେ ଦୁର୍ଘଟଣାରେ ଶିକାର ହୋଇଥିବା ହେଲିକପ୍ଟରରେ ସିଡିଏସ ବିପିନ ରାୱତ, ତାଙ୍କ ପତ୍ନୀ ମଧୁଲିକା ରାୱତ ପାଇଲଟ୍ ଗ୍ରୁପ କ୍ୟାପଟେନ ପିଏସ ଚୌହାନ ଓ ସ୍କ୍ୱାଡ୍ରନ ଲିଡର କୁଲଦୀପ, ଜଣେ ବ୍ରିଗେଡିୟର ର୍ୟାଙ୍କର ଅଧିକାରୀଙ୍କ ସମେତ ମୋଟ ୧୪ ଜଣ ଲୋକ ଯାତ୍ରା କରୁଥିଲେ ।

ହେଲିକପ୍ଟରଟି ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ବେଳେ ତାମିଲନାଡୁର କୁନ୍ନୁର ଠାରେ ଘଂଚ ଜଙ୍ଗଲ ଭିତରେ ଦୁର୍ଘଟଣାରେ ଶିକାର ହୋଇଥିଲା । ଏହି ଖବର ପାଇବା ପରେ ସ୍ଥାନୀୟ ଲୋକ ଓ ପୋଲିସକର୍ମୀଙ୍କ ସହାୟତାରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା । ଜୀବିତ ଥିବା ଲୋକମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ମୋଟ ୧୪ ଜଣ ଯାତ୍ରୀଙ୍କ ମଧ୍ୟରୁ ବର୍ତମାନ ପର୍ଯ୍ୟନ୍ତ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।