କୋରାପୁଟ ପରେ ମାଲକାନଗିରିରୁ ଆସିଲା କେନାଲ ଭୁଷୁଡିବାର ଖବର । ତାମସା ମୁଖ୍ୟ କେନାଲ ଭୁଷୁଡି ଜଳମଗ୍ନ ଗାଁ ଓ ବିଲ ।

73

କନକ ବ୍ୟୁରୋ: କୋରାପୁଟ ଜିଲ୍ଲା ପରେ ଏବେ ମାଲକାନଗିରିରୁ ଆସିଛି କେନାଲ ଭୁଷୁଡିବାର ଖବର । ମାଲକାନଗିରି ଜିଲ୍ଲାର ଚାଷୀଙ୍କ ଲାଇଫ ଲାଇନ୍ କୁହାଯାଉଥିବା ତାମସା ମୁଖ୍ୟ କେନାଲ ଭୁଷୁଡି ପଡିବାରୁ ଦୋରିଗୁଡାରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଯାହାଫଳରେ ହେକ୍ଟର ହେକ୍ଟର ଚିନାବାଦାମ ଓ ଧାନ ଫସଲ ଜଳମଗ୍ନ ହୋଇଯାଇଛି । ଅନେକ ଘର ଦ୍ୱାର ଭାଙ୍ଗି ନଷ୍ଟ ହୋଇଛି । କେନାଲ ବନ୍ଧରେ ଏକ ଫାଟ ସୃଷ୍ଟି ହୋଇଥିବା ବେଳେ ଜଳ ସମ୍ପଦ ବିଭାଗର ଅବହେଳା ଯୋଗୁଁ ଏପରି ସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି ।

ମାଲକାନଗିରିରେ ସୃଷ୍ଟି ହୋଇଛି ମନୁଷ୍ୟକୃତ ବନ୍ୟା ଆଉ ଏଥିରେ ଜଳମଗ୍ନ ହୋଇଛି ଚାଷ ଜମି । ଗାଁ ଗଣ୍ଡାରେ ବେକେ ପାଣି । ବିଭାଗୀୟ ଅଧିକାରୀଙ୍କ ଚରମ ଅବହେଳା ଯୋଗୁଁ ଏଭଳି ଅଦିନିଆ ବନ୍ୟାର ଦୃଶ୍ୟ ଦେଖିବାକୁ ମିଳିଛି । ମାଲକାନଗିରି ଜିଲ୍ଲାର ଲାଇଫ ଲାଇନ କୁହାଯାଉଥିବା ତାମସା ମୁଖ୍ୟ କେନାଲ ଭୁଷୁଡି ଯିବା ପରେ ଦୋରିଗୁଡା ଏମ୍.ପି.ଭି ୨ ଗାଁରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଚିନା ବାଦାମ ଓ ଧାନ ବିଲରେ ପାଣି ଲହଡି ଭାଙ୍ଗୁଛି । ମାଛ ଚାଷ କରାଯାଇ ଥିବା ପୋଖରି ଭାଙ୍ଗି ଲକ୍ଷ ଲକ୍ଷ ଟଙ୍କାର ମାଛ କୃତୀମ ବନ୍ୟାରେ ଭାସି ଯାଇଛି । ଆଉ ଏବେ ବିଲରୁ ଧରୁଛନ୍ତି ମତ୍ସ୍ୟ ଚାଷୀ ।

କୃତ୍ରିମ ବନ୍ୟା ଯୋଗୁଁ କେବଳ ବିଲବାଡ ନୁହଁ ବରଂ ଏମ.ପି.ଭି ୨ ଗାଁର କେନାଳ କୁଳିଆ ଲୋକଙ୍କ ଘରେ ପାଣି ପଶିଯାଇଛି । କେହି କିଛି ବୁଝିବା ଆଗରୁ ଦିନ ଦ୍ୱିପ୍ରହରେ ଘରେ ଭିତରେ କେନାଲ ପାଣି ପଶି ଘରର ମାଟି କାନ୍ଥ ଭୁଷୁଡି ପଡିଛି । ଜଳ ସଂପଦ ବିଭାଗର ବିଭାଗୀୟ ଅଧିକାରୀଙ୍କ ଚରମ ଅବହେଳା ଯୋଗୁଁ ଏପରି ବନ୍ୟା ପରିସ୍ଥିତର ସମ୍ମୁଖୀନ ହୋଇଛନ୍ତି ଗ୍ରାମବାସୀ । ଦୋରିଗୁଡା ଏମ.ପି.ଭି ୨ ଗାଁ ନିକଟରେ ଏକ ଫାଟ ସୃଷ୍ଟି ହୋଇଥିବା ନେଇ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଜଣାଇ ଥିଲେ ଗ୍ରାମବାସୀ । ଜଳସ୍ତର କମ କରିବା ଲାଗି ମଧ୍ୟ ଗୁହାରି କରିଥିଲେ । ହେଲେ କର୍ଣ୍ଣପାତ କରି ନଥିଲେ ଏସ.ଡି.ଓ ଓ କନିଷ୍ଠ ଯନ୍ତ୍ରୀ ।