ରୋଜଗାର ଦେଉଛି ବନଜାତ ଦ୍ରବ୍ୟ । ‘ତେନ୍ତୁଳି କେକ୍’ ପ୍ରସ୍ତୁତ କରି ଆତ୍ମନିର୍ଭର ହେଉଛନ୍ତି ରାୟଗଡା ବିଷମକଟକ ଅଞ୍ଚଳର ମହିଳା

185

କନକ ବ୍ୟୁରୋ : ଦିନ ଥିଲା ମହିଳା ମାନେ ଆଗକୁ ଯାଇ ପାରୁ ନଥିଲେ । ସବୁ କ୍ଷେତ୍ରରେ ପୁରୁଷଙ୍କ ସହାୟତା ଲୋଡୁଥିଲେ । ମାତ୍ର ବର୍ତମାନ ସ୍ଥିତି ବଦଳି ଯାଇଛି । ମହିଳା ମାନେ ନିଜେ ସ୍ୱାବଲମ୍ବୀ ହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି । ଏହା ଦ୍ୱାରା ସେମାନଙ୍କ ସାମାଜିକ ଚଳଣି ଓ ଆର୍ଥିକ  ସ୍ଥିତିରେ ସୁଧାର ଆସିଛି । ଏପରି ଏକ ଉଦାହରଣ ଦେଖିବାକୁ ମିଳିଛି ରାୟଗଡ଼ା ବିଷମକଟକ ଅଂଚଳରେ ।

ରୋଜଗାର ଦେଉଛି ବନଜାତ ଦ୍ରବ୍ୟ । ତେନ୍ତୁଳି କେକ୍ ପ୍ରସ୍ତୁତ କରି ସ୍ୱାବଲମ୍ବୀ ହେଉଛନ୍ତି ଏସଏଚଜି ମହିଳା । ରାୟଗଡ଼ା ଭଳି ଆଦିବାସୀ ଅଧ୍ୟୁଷିତ ଅଂଚଳରେ ପ୍ରଚୁର ପରିମାଣର ତେନ୍ତୁଳି ଉତ୍ପାଦନ ହୋଇଥାଏ । ତେଣୁ ସେଠାକାର ଅଧିବାସୀ ତେନ୍ତୁଳିରୁ କିଭଳି ଅଧିକରୁ ଅଧିକ ଉପାର୍ଜନ କରିପାରିବେ ସେନେଇ ସହାୟତାର ହାତ ବଢ଼ାଇଛି ଓରମାସ । ବିଷମକଟକ ଅଂଚଳର ଝାନସୀରାଣୀ ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା ମାନେ ଚାଷୀଙ୍କ ଠାରୁ ୨୫ ଟଙ୍କାରେ ତେନ୍ତୁଳି କିଣି ପ୍ରକ୍ରିୟାକରଣ କରି ଓରମାସ ସହାୟତାରେ ବିକ୍ରି କରୁଛନ୍ତି । ଅଧାକିଲୋକୁ ୭୦ ଟଙ୍କାରେ ବିକ୍ରି କରି କିଛି ରୋଜଗାର କରିପାରୁଛନ୍ତି ।

ବଳକା ସମୟରେ ମହିଳା ମାନେ ଏକାଠି ହୋଇ ଏହି ପ୍ରକ୍ରିୟାକରଣ ୟୁନିଟ୍ରେ କାମ କରନ୍ତି । ଏକ ଜିଲ୍ଲା ଏକ ଉତ୍ପାଦନ ନୀତିରେ ରାୟଗଡାକୁ ତେନ୍ତୁଳି ଦିଆଯାଇଥିବା ବେଳେ ଜିଲ୍ଲାରେ ୧୭ଟି ପ୍ରଡୁସର ଗ୍ରୁପ ତେନ୍ତୁଳି କେକ୍ ପ୍ରସ୍ତୁତି ହାତକୁ ନେଇଛନ୍ତି । ଯେଉଁଥିପାଇଁ ଓରମାସ କେକ ପ୍ରସ୍ତୁତି ମେସିନ ପ୍ରଦାନ ସହିତ ଏହାର ବଜାର ବ୍ୟବସ୍ଥା କରିଛି । ଗତବର୍ଷ ତେନ୍ତୁଳିରୁ ୬୪ ଲକ୍ଷ ୮୬ ହଜାର ଟଙ୍କାର ବ୍ୟବସାୟ ହୋଇଥିବା ବେଳେ ଚଳିତ ବର୍ଷ ଅଧିକ ବ୍ୟବସାୟ ହେବାର ଆଶା ରହିଛି ।