କରୋନା କାଳରେ ମାନ୍ଦା ପଡିଗଲା ତେନ୍ତୁଳି ବ୍ୟବସାୟ । ମାଥିଲି ବ୍ଲକ ଚେଡେଙ୍ଗା ପଂଚାୟତରେ ତେନ୍ତୁଳି ପ୍ରକ୍ରିୟାକରଣ ଆଦିବାସୀ ମହିଳାଙ୍କୁ ଦେଇଥିଲା ରୋଜଗାର

154

କନକ ବ୍ୟୁରୋ: ତେନ୍ତୁଳି ଦେଇଛି ରୋଜଗାର । ତେନ୍ତୁଳି କୁ ପ୍ରକ୍ରିୟାକରଣ କରି ସ୍ୱାବଲମ୍ବୀ ଏବେ ଆଦିବାସୀ ମହିଳା । ସରକାରୀ ପ୍ରୋତ୍ସାହନ ରୁ ସହାୟତା ପାଇ ତେନ୍ତୁଳି ସଂଗ୍ରହ କରିବା ପରେ ଏହାକୁ ପ୍ରକ୍ରିୟାକରଣ କରି ଆର୍ଥିକସ୍ତରରେ ବେଶ୍ ସ୍ୱଚ୍ଛଳ ହୋଇପାରିଥିଲେ ଆଦିବାସୀ ଗାଁ ଗଣ୍ଡାର ସ୍ୱଂୟ ସହାୟିକା ଗୋଷ୍ଠୀ ର ସଦସ୍ୟା । ପ୍ରଶାସନ ତରଫରୁ ପ୍ରାଥମିକ ଭାବେ ସିଆଇଏଫ୍ ଲୋନ ଅନୁଦାନ ଦେଇ ୩ ଗୋଟି ଗୋଷ୍ଠୀ ର ସଦସ୍ୟାଙ୍କୁ ସ୍ୱାବଲମ୍ବୀ କରିଥିଲା ଓଏଲଏମ ଜିପିଏଲଏଫ୍ ପ୍ରକଳ୍ପ । ଏବେ କିନ୍ତୁ ଲୋକଡାଉନ ସମୟରେ ମନ୍ଦା ପଡିଛି ବ୍ୟବସାୟ । ବାହାର ରାଜ୍ୟ ସହିତ ଯୋଗାଯୋଗ ବନ୍ଦ ଥିବାରୁ ରପ୍ତାନି ହୋଇପାରୁନି ଓଡିଶା ତେନ୍ତୁଳି ।

କରୋନା କାଳରେ ମାନ୍ଦା ପଡିଗଲା ତେନ୍ତୁଳି ବ୍ୟବସାୟ । ଆଦିବାସୀ ମହିଳାଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆଣୁଥିଲା ଏହି ବେପାର । ରୋଜଗାର ଦେଉଥିଲା ତେନ୍ତୁଳି । କିନ୍ତୁ କରୋନା କାଳ ସ୍ଥିତି ଖରାପ କରିଦେଇଛି । ବାହାର ରାଜ୍ୟକୁ ରପ୍ତାନି ହୋଇନପାରି ମାନ୍ଦା ହୋଇପଡିଛି ବ୍ୟବସାୟ । ପ୍ରାଥମିକ ଭାବେ ଆଦିବାସୀ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବାକୁ ଉଦ୍ୟମ ଆରମ୍ଭ କରିଥିଲା ମାଲକାନଗିରି ଜିଲା ପ୍ରଶାସନ । ମାଥିଲି ବ୍ଲକ ଅନ୍ତର୍ଗତ ଚେଡେଙ୍ଗା ପଂଚାୟତର ୩ ଗୋଟି ସ୍ୱଂୟ ସହାୟିକା ଗୋଷ୍ଠୀଙ୍କୁ ତେନ୍ତୁଳି କିଣି ପ୍ରକ୍ରିୟାକରଣ ପାଇଁ ୨ ଲକ୍ଷ ୫୦ ହଜାର ଟଙ୍କା ଆର୍ଥିକ ସହାୟତା କରିଥିଲା ଓଏଲଏମ୍ । ତେବେ ଚେଡେଙ୍ଗାର ଜ୍ୟୋତି , ଦୁର୍ଗା ଓ ମାଆ ମଙ୍ଗଳା ଗୋଷ୍ଠୀର ସଦସ୍ୟାମାନେ ଗାଁ ଗଣ୍ଡାରୁ କେଜି ପିଛା ୩୫ ଟଙ୍କା ଦେଇ ୨୫ କୁଇଟାଂଲ ତେନ୍ତୁଳି କିଣି ପ୍ରକ୍ରିୟାକରଣ କରିଥିଲେ । ପରେ ସେହି ତେନ୍ତୁଳିକୁ ଆନ୍ଧ୍ର ଓ ଛତିଶଗଡ ବ୍ୟବସାୟୀଙ୍କୁ କେଜି ପିଛା ୧୦୦ ଟଙ୍କା ଲେଖାଏଁ ବିକ୍ରି କରି କିଛି ରୋଜଗାର କରିଥିଲେ ଏହି ମହିଳାମାନେ । ହେଲେ କରୋନା ଯୋଗୁଁ ସ୍ଥିତି ବଦଳିଯାଇଛି । କୁଇଂଟାଲ କୁଇଂଟାଲ ତେନ୍ତୁଳି ବିକ୍ରି ନହୋଇ ପାରି ପଡ଼ିରହିଛି ।

ଏହି ଅଂଚଳରେ ତେନ୍ତୁଳି ଅମଳ ହେଉଥିଲେ ବି ସ୍ଥାନୀୟ ଅଂଚଳରେ ସେମିତି କିଛି ବିଶେଷ ଚାହିଦା ନାହିଁ । ଏହାସହ ଓଡିଶାରେ ତେନ୍ତୁଳି ପାଇଁ ବଜାର ସୁବିଧା ନଥିବାରୁ ବିକ୍ରି ପାଇଁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼େ । ଛତିଶଗଡର ସୁକମାରେ ତେନ୍ତୁଳିର ପ୍ରକ୍ରିୟାକରଣ ପାଇଁ ସମସ୍ତ ସୁବିଧା ଓ ବଜାର ବ୍ୟବସ୍ଥା ମଧ୍ୟ ରହିଛି । ହେଲେ ଏବେ ବାହାର ରାଜ୍ୟ ସହିତ ଯୋଗାଯୋଗ ସମ୍ଭବ ହୋଇପାରୁନଥିବାରୁ ପ୍ରକ୍ରିୟାକରଣ ହୋଇଥିବା ତେନ୍ତୁଳି ଗୋଦାମରେ ଗଚ୍ଛିତ ହୋଇ ରହିଛି । ଏହାକୁ ବିକି ନ ପାରି ସମସ୍ୟାରେ ରହିଛନ୍ତି ଆଦିବାସୀ ମହିଳା । ପାଖାପାଖି ୧୩ କୁଇଟାଂଲରୁ ଅଧିକ ତେନ୍ତୁଳି ଗଚ୍ଛିତ ଥିବାବେଳେ ଏହାକୁ ଶିତଳ ଭଣ୍ଡାରରେ ରଖି ଠିକ ଚାହିଦା ମିଳିଲେ ବିକ୍ରି କରିବା ପାଇଁ ନିଷ୍ପତି ହେବ ବୋଲି କହିଛନ୍ତି ମାଥିଲିର ଓଏଲଏମ ଅଧିକାରୀ ।

ବଣପାହାଡ ଓ ଜଙ୍ଗଲରେ ପରିପୂର୍ଣ ଅବିଭକ୍ତ କୋରାପୁଟ ଜିଲ୍ଲାରେ ବନଜାତ ଦ୍ରବ୍ୟ ଭରପୁର ରହିଛି । କିନ୍ତୁ ବଜାର ସୁବିଧା ନଥିବାରୁ ଏହାକୁ ସଂଗ୍ରହ କରୁଥିବା ଆଦିବାସୀ ଲୋକ ଉଚିତ ପ୍ରାପ୍ୟ ପାଇପାରୁ ନାହାନ୍ତି । ବିକ୍ରିି ପାଇଁ ଉପଯୁକ୍ତ ବଜାର ସୁବିଧା ହେଲେ ଆଦିବାସୀ ବେଶ ଲାଭବାନ ହୋଇପାରନ୍ତେ ।