ସୁସ୍ଥ ପରେ ବି ଟଳୁନି ସମସ୍ୟା : ସୁସ୍ଥ ହେବାର ୧୫ଦିନ ପରେ ପୁଣି ହସ୍ପିଟାଲରେ ଭର୍ତି ହେଲେ ମହିଳା; ରାଜ୍ୟର ୧୫-୨୦% ରୋଗୀ କୋଭିଡ୍ ପରବର୍ତୀ ସମସ୍ୟାର ଶିକାର
କନକ ବ୍ୟୁରୋ : କରୋନା ସଂକ୍ରମଣରୁ ସୁସ୍ଥ ହେବା ପରେ ମଧ୍ୟ ସମସ୍ୟା ଟଳୁନାହିଁ। ରୋଗୀଙ୍କ ଶରୀରରେ ପ୍ରବଳ ଜ୍ବର ସହିତ ନିମୋନିଆ ହେଉଛି। ଫଳରେ ରୋଗୀଟିଏ ଅସୁସ୍ଥ ହୋଇପଡ଼ୁଛି। ରାଜଧାନୀରେ କୋଭିଡ୍ରୁ ମୁକ୍ତ ହୋଇଥିବା ଜଣେ ମହିଳା କୋଭିଡ୍ ପରବର୍ତୀ ସମସ୍ୟା ବା ପୋଷ୍ଟ କୋଭିଡ୍ କମ୍ପ୍ଲିକେସନ୍ ପାଇଁ ପୁନର୍ବାର ହସ୍ପଟାଲରେ ଭର୍ତି ହୋଇଥିବା ନଜରକୁ ଆସିଛି।
ରାଜଧାନୀର ଜଣେ ମହିଳା ଗତ ମାସ ୧୧ ତାରିଖରେ କରୋନା ସଂକ୍ରମିତ ହୋଇଥିଲେ। ତାଙ୍କ ଦେହରେ ଲକ୍ଷଣ ନ ଥିବାରୁ ଗୃହ ପୃଥକବାସ ବା ହୋମ୍ ଆଇସୋଲେସନ୍ରେ ରହିଥିଲେ। ପ୍ରାୟ ୨୦ଦିନ ପରେ ପୁନର୍ବାର କାର୍ଯ୍ୟରେ ଯୋଗ ଦେଇଥିଲେ। ତେବେ ଏହାର ୭/୮ଦିନ ପରେ ପୁଣିଥରେ ଅସୁସ୍ଥ ହୋଇପଡ଼ିଥିଲେ। ଦେହରେ ଜ୍ବର ହେବା ସହ ନିମୋନିଆ ହୋଇଥିଲା। ଏହି ସମୟରେ ଜଣେ ଡାକ୍ତରଙ୍କ ସହ ଯୋଗାଯୋଗ କରିବା ପରେ ଡାକ୍ତର ତାଙ୍କୁ ସିଟି-ସ୍କାନ୍ କରିବା ପାଇଁ ପରାମର୍ଶ ଦେଇଥିଲେ। ସିଟି-ସ୍କାନରେ ତାଙ୍କର ନିମୋନାଇଟିସ୍ ଥିବା ଜଣାପଡ଼ିଥିଲା। ବାମ ଫୁସଫୁସ୍ ୧୦ପ୍ରତିଶତ ଓ ଦକ୍ଷିଣ ଫୁସ୍ଫୁସ୍ ୧୦-୨୦ପ୍ରତିଶତ କ୍ଷତିଗ୍ରସ୍ତ ହୋଇଥିବା ନଜରକୁ ଆସିଥିଲା। ସ୍ବାସ୍ଥ୍ୟାବସ୍ଥାରେ ସୁଧାର ନ ଆସିବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଆଡିମଟ୍ କରାଯାଇଥିବା ସୂଚନା ମିଳିଛି।
Comments are closed.