ଭାରତ-ଚୀନ ଆଲୋଚନା ଶେଷ: ଦ୍ୱିପାକ୍ଷିକ ରାଜିନାମାକୁ ସମ୍ମାନ ଜଣାଇବାକୁ ଉଭୟ ପକ୍ଷ ରାଜି

96

କନକ ବ୍ୟୁରୋ: ଏଲଏସିରୁ ସେନା ପ୍ରତ୍ୟାହାର ପାଇଁ ଭାରତ ଓ ଚୀନ ମଧ୍ୟରେ ଆଜି ଚାଲିଥିବା ଆଲୋଚନା ଶେଷ ହୋଇଛି । ଦ୍ବିପାକ୍ଷିକ ରାଜିନାମାକୁ ସମ୍ମାନ ଜଣାଇବାକୁ ଆଗକୁ ସୀମାରେ ଯେପରି କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ନହୁଏ ସେ ନେଇ ଉଭୟ ପକ୍ଷ ରାଜି ହୋଇଛନ୍ତି । ସେହିପରି ଖୁବଶୀଘ୍ର ୧୪ ତମ କମାଣ୍ଡରସ୍ତରୀୟ ଆଲୋଚନା ପାଇଁ ଉଭୟ ପକ୍ଷ ରାଜି ହୋଇଛନ୍ତି ବୋଲି ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଦେପସାଙ୍ଗ ଅଞ୍ଚଳରୁ ସେନା ପ୍ରତ୍ୟାହାର ପାଇଁ ଆଲୋଚନା ମାଧ୍ୟମରେ ସମାଧାନର ପନ୍ଥା ବାହାର କରିବାକୁ ଉଭୟ ପକ୍ଷ ରାଜି ହୋଇଛନ୍ତି ।

ଗତ ଅକ୍ଟୋବର ମାସ ୧୦ ତାରିଖରେ ଅନୁଷ୍ଠିତ ହୋଇଥିବା ୧୩ତମ କମାଣ୍ଡରସ୍ତରୀୟ ଆଲୋଚନାରେ କୌଣସି ସମାଧାନ ବାହାରିନଥିଲା । ଭାରତର ପ୍ରସ୍ତାବକୁ ଚୀନ ପକ୍ଷ ଗ୍ରହଣ ନ କରିବାରୁ ଏହି ଆଲୋଚନା ବିଫଳ ହୋଇଥିଲା ବୋଲି ଭାରତ ସରକାର କହିଥିଲେ ।

ଗତ ବର୍ଷ ଜୁନ ମାସରେ ଗଲଓ୍ବାନ ଘାଟିରେ ଭାରତ ଓ ଚୀନ ସେନା ମଧ୍ୟରେ ସଂଘର୍ଷ ପରେ ଉଭୟ ପକ୍ଷ ଏଲଏସିର ବିଭିନ୍ନ ଅଞ୍ଚଳରେ ଅଧିକ ସଂଖ୍ୟକ ସେନା ମୁତୟନ କରିଥିଲେ । ଏହା ଫଳରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଯାଇଥିଲା । ପରେ କେତେକ ବିବାଦୀୟ ଅଞ୍ଚଳରୁ ଉଭୟ ଦେଶ ସେନା ପ୍ରତ୍ୟାହାର କରିଥିଲେ ବି ଏବେ ବି କେତେକ ଅଞ୍ଚଳରେ ଉଭୟ ଦେଶର ସୈନ୍ୟ ଅଛନ୍ତି ।