ଗାଡି ଚଳାଇବା ସମୟରେ ମୋବାଇଲରେ କଥା ହେବା ଅପରାଧ ନୁହେଁ ! ଯଦି ଦଣ୍ଡ ଦେବାକୁ ଚାହୁଁଛ ତେବେ ଆଇନ ବଦଳାଅ, ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ।

147

ଗାଡି ଚଳାଇବା ସମୟରେ ମୋବାଇଲରେ କଥା ହେବା ଅପରାଧ ନୁହେଁ । ଏଭଳି ରାୟ ଦେଇଛନ୍ତି କେରଳ ହାଇକୋର୍ଟ । ଗାଡି ଚାଳନା ସମୟରେ ଯଦି ଆପଣ ମୋବାଇଲ ଫୋନରେ କଥା ହେଉଛନ୍ତି ତେବେ ଏହା ଅପରାଧ ନୁହେଁ କାରଣ ଏଥି ପାଇଁ କୌଣସି ଆଇନ ପ୍ରଣୟନ ହୋଇନାହିଁ । ଡିଭିଜନ ବେଞ୍ଚର ଜଷ୍ଟିସ ଏଏମ ଶଫିକ ଏବଂ ଜଷ୍ଟିସ ପି ସୋମରାଜନ ଏଭଳି ରାୟ ଦେଇଛନ୍ତି । କିନ୍ତୁ ହାଇକୋର୍ଟ ଏହା ସ୍ୱୀକାର କରିଛନ୍ତି ଯେ, ଗାଡି ଚଳାଇବା ସମୟରେ ମୋବାଇଲ ଫୋନ ବ୍ୟବହାର କଲେ ଜୀବନ ବିପଦରେ ପଡିପାରେ । କୋଚିରେ ରହୁଥିବା ଏମଜେ ସନ୍ତୋଷଙ୍କ ପକ୍ଷରୁ ଦାୟର କରାଯାଇଥିବା ଏକ ଜନହିତ ଯାଚିକା ଉପରେ ହାଇକୋର୍ଟ ଶୁଣାଣୀ କରିବା ସମୟରେ ଏଭଳି ରାୟ ଦେଇଥିଲେ ।

ଅଭିଯୋଗ କାରୀ କୋର୍ଟରେ ଦର୍ଶାଇଥିଲେ ଯେ, ଗତ ବର୍ଷ ଯାଚିକାକର୍ତ୍ତା ସନ୍ତୋଷ ଏପ୍ରିଲ ୨୬ ତାରିଖ ସନ୍ଧ୍ୟାରେ ଗାଡି ଚଳାଇବା ସମୟରେ ମୋବାଇଲରେ ମଧ୍ୟ କଥା ହେଉଥିଲେ । ସେହି ସମୟରେ ତାଙ୍କୁ ଧରାଯାଇଥିଲା । ତେବେ ସିଙ୍ଗିଲ ବେଞ୍ଚ ଜଷ୍ଟିସ ସତିଶଚନ୍ଦ୍ରନ କହିଥିଲେ ଯେ, ଗାଡି ଚଳାଇବା ସମୟରେ ମୋବାଇଲ ଫୋନରେ କଥା ହେବା କେରଳ ପୋଲିସର ଧାରା ୧୮୪ ଏବଂ ମୋଟର ବାହାନ ଅଧିନିୟମର ଧାରା ୧୧୮(ଇ) ଅନୁଯାୟୀ ଅପରାଧ ଅଟେ । କିନ୍ତୁ କୋର୍ଟ ବିନା କୌଣସି ଜୋରିମାନରେ ଏହି ମାମଲାକୁ ସମାଧାନ କରିଦେଇଥିଲେ ।

କୋର୍ଟ ପୋଲିସକୁ କହିଛି ଯେ, ସେମାନେ ସେତେବେଳେ କାର୍ଯ୍ୟାନୁଷ୍ଠାନ ନେଇପାରିବେ, ଯେତେବେଳେ କୌଣସି ବ୍ୟକ୍ତି ଗାଡି ଚଳାଇବା ସମୟରେ ମୋବାଇଲରେ କଥା ହେବା ଫଳରେ ଅନ୍ୟ ପ୍ରତି ବିପଦ ସୃଷ୍ଟି କରୁଥିବ । ତେବେ ସୂଚନା ଅନୁଯାୟୀ, ଗାଡି ଚାଳକ ମାନଙ୍କୁ ଫୋନରେ କଥା ହେବାରୁ ରୋକିବା ପାଇଁ ଏପର୍ଯ୍ୟନ୍ତ କୌଣସି ଆଇନ ପ୍ରଣୟନ କରାଯାଇନାହିଁ । କୋର୍ଟ କହିଛନ୍ତି ଯେ, ଏପରି ଘଟଣାକୁ ନେଇ ଯଦି କୌଣସି ମାମଲା ଦାୟର କରିବାକୁ ହୁଏ ତେବେ ସେଥି ପାଇଁ ପ୍ରଥମେ ବିଧାନସଭା ଦ୍ୱାରା ବର୍ତ୍ତମାନ ଆଇନ ବ୍ୟବସ୍ଥାରେ ସଂଶୋଧନ କରିବାକୁ ପଡିବ ।