କନକ ବ୍ୟୁରୋ: ଗାଡ଼ି ଚଳାଇବା ବେଳେ ମୋବାଇଲ୍ ଫୋନ୍ ବ୍ୟବହାର କଲେ ଏଣିକି କେବଳ ଜରିମାନା ନୁହେଁ ବରଂ ବାତିଲ ହେବ ଡ୍ରାଇଭିଂ ଲାଇସେନ୍ସ । ସଡ଼କ ନିରାପତ୍ତାକୁ ନେଇ ଗଠିତ ସୁପ୍ରିମକୋର୍ଟ କମିଟି ଏଭଳି ନିର୍ଦ୍ଦେଶ ଦେଇଛି। ଯାହାକୁ କଡ଼ାକଡ଼ି ପାଳନ କରିବା ପାଇଁ ପରିବହନ କମିସନର ଗତକାଲି ସମସ୍ତ ଆରଟିଓଙ୍କୁ ଚିଠି ଲେଖିଛନ୍ତି। ମୋବାଇଲରେ ଗପିବା ସହ ନାଲିବତୀ ଡେଇଁବା, ନିର୍ଦ୍ଧାରିତ ବେଗରୁ ଅଧିକ ଜୋରରେ ଗାଡ଼ି ଚଲାଇବା, ଓଭରଲୋଡିଂ, ମାଲବାହୀ ଯାନରେ ଯାତ୍ରୀ ପରିବହନ କରି ଧରାପଡ଼ିଲେ ଲାଇସେନ୍ସ ବାତିଲ ହେବ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।

Advertisment

publive-image

ପୂର୍ବରୁ ମଦ୍ୟପ ଗାଡ଼ି ଚାଳକଙ୍କ ଲାଇସେନ୍ସ ବାତିଲ କରିବା ପାଇଁ ନିର୍ଦ୍ଦେଶ ରହିଥିଲା। ତା’ ସହ ଗିରଫ କରିବା ପାଇଁ ମଧ୍ୟ ଆଦେଶ ହୋଇଥିଲା। କିନ୍ତୁ ମଦ୍ୟପ ଚାଳକଙ୍କର ଶତ ପ୍ରତିଶତ ଲାଇସେନ୍ସ ବାତିଲ ହେଉ ନାହିଁ। ସୁପ୍ରିମକୋର୍ଟ କମିଟି ତ୍ରୈମାସିକ ସମୀକ୍ଷା କଲା ବେଳେ ଏହି ପ୍ରମାଣ ପାଇବା ସହ ଘୋର ଉଦବେଗ ପ୍ରକାଶ କରିଛନ୍ତି। ମଦ୍ୟପ ଚାଳକଙ୍କର ଶତ ପ୍ରତିଶତ ଲାଇସେନ୍ସ କିଭଳି ବାତିଲ ହେବ ସେଦିଗରେ କଡ଼ା ପଦକ୍ଷେପ ନେବାକୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

publive-image image courtesy - www.jagranimages.com

ସୂଚନା ମୁତାବକ, ଆରଟିଓମାନଙ୍କ ଦ୍ବାରା ୩୩୪ ଜଣ ମଦ୍ୟପ ଚାଳକଙ୍କ ବିରୋଧରେ ଇ-ଚାଲାଣ ଜାରି ହୋଇଥିଲା। କ୍ରାଇମ୍ବ୍ରାଞ୍ଚ ତଥ୍ୟ ଅନୁଯାୟୀ ବିଭିନ୍ନ ପୁଲିସ ଜିଲ୍ଲାରୁ ୪୯୬ ମଦ୍ୟପ ଚାଳକଙ୍କ ଲାଇସେନ୍ସ ବାତିଲ ପାଇଁ ପଠାଯାଇଛି। କିନ୍ତୁ ସାରଥୀ ଡାଟାବେସ୍ ଅନୁଯାୟୀ ମାତ୍ର ୧୨୬ଟି ଲାଇସେନ୍ସ ବାତିଲ କରାଯାଇଛି। ଏହା ଅତ୍ୟନ୍ତ ନଗଣ୍ୟ ହୋଇଥିବାରୁ ଗଭୀର ଉଦବେଗ ପ୍ରକାଶ ପାଇଛି।