ତାଲିବାନର କଡା ନିୟମ: ଲୋକେ କାଟିପାରିବେନି ଚୁଟି କିମ୍ବା ଦାଢି, ନୋଚେତ୍ ମିଳିବ କଠୋର ଦଣ୍ଡ

254
କନକ ବ୍ୟୁରୋ: କାଟିପାରିବନି ଦାଡି କି ଚୁଟି । ଆଉ କାଟିଲେ ପରିଣତି ଭୟାବହ । ଆଫଗାନୀ ନାପିତଙ୍କୁ ଏପରି ଫରମାନ୍ ଶୁଣାଇଛି ତାଲିବାନୀ ସରକାର । ହେଲମନ୍ଦ ଅଞ୍ଚଳ ଓ କାବୁଲରେ ନାପିତଙ୍କ ଏକ ସଭା ଡାକି ସେମାନଙ୍କୁ ଏପରି ଆଦେଶ ଦେବା ପରେ ଏହାକୁ ନେଇ ଏବେ ଚାରିଆଡେ ଆଲୋଚନା । 
ଆଫଗାନିସ୍ତାନରେ ତାଲିବାନ୍ ସତ୍ତାକୁ ଆସିବା ପରେ ସରିୟା ନିୟମରେ ଦୁର୍ବିସହ ହେଲାଣି ଆଫଗାନ ବାସିନ୍ଦାଙ୍କ ଜୀବନ । ତାଲିବାନ୍ ସରକାର ଗଠନ ସହ ସରିୟା ନିୟମ ଲାଗୁ ହେବା ପରେ ଏଠିକାର ସେଲୁନ୍ ଓ ପାର୍ଲର ଆଗରେ କଡା ନିୟମ ଲେଖାଥିବା ପୋଷ୍ଟର ଲଗାଯାଇଛି । ଫ୍ରଣ୍ଟିଅର ପୋଷ୍ଟ ରିପୋର୍ଟ ମୁତାବକ, କୌଣସି ଲୋକ ଦାଢି କାଟି ପାରିବେ ନାହିଁ । ଏଥିପାଇଁ ଟ୍ରିମର ବ୍ୟବହାର କରିପାରିବେ ନାହିଁ । ଚୁଟି କାଟିବା ଉପରେ ବି କଟକଣା । ଯଦି ଚୁଟି କାଟନ୍ତି କୌଣସି ଷ୍ଟାଇଲିସ୍ ହେୟାର କଟ୍ କରିପାରିବେ ନାହିଁ । ଚୁଟି କାଟିବାକୁ ମଧ୍ୟ ଟ୍ରିମର ବ୍ୟବହାର ହୋଇପାରିବ ନାହିଁ । କୌଣସି ସେଲୁନ୍ ଭିତରେ କୌଣସି ପ୍ରକାର ମ୍ୟୁଜିକ ଲାଗିବ ନାହିଁ । ଏସବୁ ଇସ୍ଲାମ ନିୟମର ଉଂଲଘନ କରୁଛି । ତେଣୁ ଏହି ନିୟମକୁ ନମାନିଲେ କଠୋର ଦିଆଯିବ ବୋଲି ନାପିତଙ୍କୁ ଧମକ ଦେଇଛନ୍ତି ତାଲିବାନୀ ଅଧିକାରୀ ।
୧୯୯୬ରୁ ୨୦୦୧ ମଧ୍ୟରେ ତାଲିବାନ୍ ସରକାର ଥିବାବେଳେ ମଧ୍ୟ ଆଫଗାନିସ୍ତାନରେ ଏପରି କଠୋର ନିୟମ ଥିଲା । ସେ ସମୟରେ ପୁରୁଷମାନେ ଦାଢି ଓ ଚୁଟି ବଢାଇବାକୁ ବାଧ୍ୟ ହେଉଥିଲେ । ହେଲେ ୨୦୦୧ ପରେ ତାଲିବାନ୍ ସରକାରର ଅନ୍ତ ଘଟିବା ପରେ କି୍ଲନ୍ ସେଭ୍ ଲୁକ୍ ଓ ଷ୍ଟାଇଲିସ୍ ହେୟାର ଷ୍ଟାଇଲ ଟ୍ରେଣ୍ଡ ହୋଇଥିଲା । କିନ୍ତୁ ପୁଣିଥରେ ସେ ଅନ୍ଧାରି ଯୁଗ ଫେରିଆସିବା ପରେ ପୁରୁଣା କଠୋର ନିୟମ ବି ଆଫଭାନିସ୍ତାନକୁ ଫେରିଛି ।ଏପରି ନିୟମରେ ସେଠିକାର ନାପିତମାନେ ବୃତ୍ତି ହରାଇବା ଏକପ୍ରକାର ନିଶ୍ଚିତ ହୋଇଛି ।