ପାକିସ୍ତାନ ଧୋକାବାଜ, ଭରସାଯୋଗ୍ୟ ନୁହେଁ । ଆଫଗାନିସ୍ତାନ ସହ ଭାରତ କୂଟନୈତିକ ସମ୍ପର୍କ ଆରମ୍ଭ କରୁ ବୋଲି କହିଲେ ତାଲିବାନ ନେତା । 

238

କନକ ବ୍ୟୁରୋ : ଆଫଗାନିସ୍ତାନରେ ତାଲିବାନ ଶାସନ କ୍ଷମତାକୁ ଫେରିବା ପରେ ପାକିସ୍ତାନ ବେଶ ଉତ୍ସାହିତ ହେଉଛି । ଏପରିକି ଆଫଗାନିସ୍ତାନର ଆଭ୍ୟନ୍ତରୀଣ ମାମଲାରେ ପାକିସ୍ତାନ ମୁଣ୍ଡ ଖେଳାଉଥିବା କୁହାଯାଉଛି । ଏହାସହ ଆଫଗାନିସ୍ତାନର ତାଲିବାନ ସରକାରକୁ ଅନ୍ତର୍ଜାତୀୟସ୍ତରରେ ମାନ୍ୟତା ଦେବାକୁ ପାକିସ୍ତାନ ଉଦ୍ୟମ କରୁଛି । କିନ୍ତୁ ଏସବୁ ଭିତରେ ତାଲିବାନର ଜଣେ ବରିଷ୍ଠ ନେତା ପାକିସ୍ତାନକୁ ନେଇ ଯେଉଁ ବୟାନ ଦେଇଛନ୍ତି ତାହା ଭାରତକୁ କିଛି ମାତ୍ରାରେ ଆଶ୍ୱସ୍ତ କରିବ ନିଶ୍ଚୟ ।

ତାଲିବାନର ସଂସ୍ଥାପକ ଗୋଷ୍ଠୀରେ ସାମିଲ ଥିବା ମୁଲ୍ଲା ଅବଦୁଲ ସଲାମ ଜଇଫ ପାକିସ୍ତାନକୁ କଡା ଭାଷାରେ ନିନ୍ଦା କରିଛନ୍ତି । ପାକିସ୍ତାନ ଧୋକାବାଜ,ପାକିସ୍ତାନକୁ ଆଦୌ ଭରସା କରିବା ଉଚିତ୍ ନୁହେଁ ବୋଲି କହିଛନ୍ତି ମୁଲ୍ଲା ଅବଦୁଲ । ଆମେରିକା ଭଳି ସୁପରପାୱାର ଦେଶ ଆଗରେ ଯେତେବେଳେ ତାଲିବାନ ମୁଣ୍ଡ ନୁଆଁଇ ନାହିଁ ସେଠାରେ ପାକିସ୍ତାନ ହାତକୁ ଆଫଗାନିସ୍ତାନକୁ କେମିତି ଟେକି ଦେବୁ । ଏପରିକି ଅନ୍ୟ କେଉଁ ଦେଶକୁ ଆଫଗାନିସ୍ତାନ ମାଟିକୁ ବ୍ୟବହାର କରିବାକୁ ସୁଯୋଗ ଦିଆଯିବ ନାହିଁ ବୋଲି କହିଛନ୍ତି ମୁଲ୍ଲା ଅବଦୁଲ ।

ଏହାସହ ମୁଲ୍ଲା ଅବଦୁଲ କହିଛନ୍ତି, ଭାରତ ଏବେ ଆଫଗାନିସ୍ତାନ ସହ କୂଟନୈତିକ ସମ୍ପର୍କ ଆରମ୍ଭ କରୁ । ଯାହାଦ୍ୱାରା ଆଫଗାନିସ୍ତାନ ମାଟିକୁ ଆଉ କେଉଁ ଦେଶ ବ୍ୟବହାର କରୁଥିବା ନେଇ ଭାରତର ଯେଉଁ ଆଶଙ୍କା ରହିଛି ତାହା ଦୂର ହୋଇପାରିବ । ଏବେ କୌଣସି ଦେଶ ସହ ଆଫଗାନିସ୍ତାନର ଭଲ ସମ୍ପର୍କ ନାହିଁ । ସେମିତିରେ ପାକିସ୍ତାନର ଅସଲ ଚେହେରା ସମସ୍ତେ ଜାଣିଛନ୍ତି, ପାକିସ୍ତାନ ଧୋକାବାଜ । ପାକିସ୍ତାନ ଉପରେ ଭରସା କରିହେବ ନାହିଁ । ଏହାଛଡା ଆଫଗାନିସ୍ତାନର ଆଭ୍ୟନ୍ତରୀଣ ମାମଲାରେ ପାକିସ୍ତାନ କି ଅନ୍ୟ କୌଣସି ଦେଶର ହସ୍ତକ୍ଷେପ କରିବାକୁ ଦେବୁ ନାହିଁ । ଦେଶରେ ସ୍ଥିରତା ଆଣିବା ଆମର ସବୁଠୁ ବଡ ପ୍ରାଥମିକତା । ବିଭିନ୍ନ କାରଣ ପାଇଁ ତାଲିବାନ ସରକାର ଗଠନ ନିଷ୍ପତ୍ତି ଅଚାନକ ନିଆଗଲା । କିନ୍ତୁ ଏହା ଅସ୍ଥାୟୀ ସରକାର । ତାଲିବାନ କ୍ଷମତାକୁ ଫେରିବାରେ ଯେଉଁମାନେ ସହଯୋଗ କରିଥିଲେ ସେମାନଙ୍କୁ ଏହି ସରକାରରେ ସୁଯୋଗ ଦିଆଯାଇଛି । ଆଗକୁ ସରକାରରେ ଆଫଗାନିସ୍ତାନର ସାଧାରଣ ଲୋକ, ମହିଳା, ରାଜନୈତିକ ବ୍ୟକ୍ତିଙ୍କୁ ସ୍ଥାନ ଦେବା ଲାଗି ବିଚାର କରାଯିବ । କିନ୍ତୁ ଏଭଳି ସରକାର ସେତେବେଳେ ସମ୍ଭବ, ଯେତେବେଳେ ତାଲିବାନ ସରକାରକୁ ବିଶ୍ୱ ମାନ୍ୟତା ଦେବ ।