କନକ ବ୍ୟୁରୋ: ଏବେ ଚର୍ଚ୍ଚାରେ କତାରରେ ତାଲିବାନର ବରିଷ୍ଠ ନେତା ଅହମ୍ମଦ ୟାସିରଙ୍କ ଟ୍ୱିଟ୍ । ପାକିସ୍ତାନକୁ ଟ୍ୱିଟ୍ କରି ଚେତାବନୀ ଦେଇଛନ୍ତି ୟାସିର ।ସେ ପୁଣି ଏମିତି ସେମିତି ଚେତାବନୀ ନୁହେଁ । ୧୯୭୧ ଯୁଦ୍ଧ ସମୟର ଏକ ଫଟୋକୁ ସେୟାର କରିବା ସହ ତାଲିବାନ୍ ସହ ନଲାଗିବାକୁ ଚେତାଇଛି । ଆଉ ଯଦି ଆଫଗାନୀସ୍ତାନରେ ଶାସନରେ ଥିବା ତାଲିବାନ ଉପରେ ପାକିସ୍ତାନ ଆକ୍ରମଣ କରେ ତେବେ ୧୯୭୧ ମସିହାର ଘଟଣାକୁ ଭୋଗିବାକୁ ପ୍ରସ୍ତୁତ ରହିବାକୁ ଧମକ ଦେଇଛନ୍ତି ୟାସିର ।

Advertisment

ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚିଛି । ଏହା ପଛରେ ସବୁଠୁ ବଡ କାରଣ ହେଉଛି ତହରିକ୍-ଏ-ତାଲିବାନ୍ ପାକିସ୍ତାନ୍( ଟିଟିପି) । ଟିଟିପିକୁ ନେଇ ପାକିସ୍ତାନର ଲଗାତାର ଆକ୍ରମଣାତ୍ମକ ଦୃଷ୍ଟିକୋଣ ତାଲିବାନକୁ ଉତକ୍ଷିପ୍ତ କରିଛି । ପାକିସ୍ତାନରେ ଟିଟିପି ସବୁବେଳେ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଉଛି ବୋଲି ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ୍ ସରିଫ୍ ଅଭିଯୋଗ ଆଣିଥିଲେ । ଏହାସହ ଆଫଗାନିସ୍ତାନରେ ପଶି ଟିଟିପିର ମୂଳୋତ୍ପାଟନ କରିବାକୁ ଚେତାବନୀ ଦେଇଥିଲେ ।

ଏହାକୁ ନେଇ ଏବେ କାତାରରେ ଏକ ସମ୍ମିଳନୀରେ ତାଲିବାନ୍ ବରିଷ୍ଠ ନେତା ଅହମଦ୍ ୟାସିର ପାକିସ୍ତାନକୁ ପ୍ରତି ଧମକ ଦେଇଛନ୍ତି । କହିଛନ୍ତି ପାକିସ୍ତାନର ୧୯୭୧ କଥା ମନେଥିବ । ଯେବେ ଭାରତ ଠାରୁ ହାରିବା ପରେ ଆତ୍ମସମର୍ପଣ କରିଥିଲା । ଯଦି ତାଲିବାନକୁ ଆକ୍ରମଣ କରିବାକୁ ପାକିସ୍ତାନ ଚେଷ୍ଟା ବି କରେ ପୁଣିଥରେ ସେହି ସମୟର ପୁନରାବୃତ୍ତି ଘଟିବ । ତେଣୁ ନିଜ ଦେଶକୁ ଆଉ ଏକ ଯୁଦ୍ଧରୁ ରକ୍ଷା କରିବାକୁ ପାକିସ୍ତାନ ସରକାର ଚେଷ୍ଟା କରନ୍ତୁ ବୋଲି ଅହମଦ ୟାସିର ଚେତାଇଛନ୍ତି ।