ହାତ କାଟିଦେବେ, ପଥର ମାରିବେ । ତାଲିବାନର ‘କ୍ରୁର’ ମନ୍ତ୍ରାଳୟ କିଛି ଏଭଳି ଦେବ ଦଣ୍ଡ ।

101

କନକ ବ୍ୟୁରୋ : ଆଫଗାନିସ୍ତାନରେ କେବଳ ତାଲିବାନ ରାଜ ଫେରିନାହିଁ ବରଂ କ୍ରୁର ଏବଂ ଅତ୍ୟାଚାରୀ ଶାସନର ଆରମ୍ଭ ହୋଇଛି । ଆଉ ତାଲିବାନ ଶାସନ ଆରମ୍ଭ ହେବା ପରେ ଏଭଳି ଏକ ମନ୍ତ୍ରାଳୟକୁ ନେଇ ଚର୍ଚ୍ଚା ହେଉଛି ଯାହା ନିର୍ଦ୍ଦୟ ଆଇନ ଲାଗୁ କରିବା ପାଇଁ ଜଣାଶୁଣା । ଆଫଗାନିସ୍ତାନରେ ତାଲିବାନ ଉପରେ ଆମେରିକା ସେନାର ଆକ୍ରମଣ ପରେ ଏହି ମନ୍ତ୍ରାଳୟ ବନ୍ଦ କରାଯାଇଥିଲା । ଅଥାର୍ତ ଦୀର୍ଘବର୍ଷ ଧରି ଏହି ମନ୍ତ୍ରାଳୟରେ ତାଲା ପଡିଥିଲା । କିନ୍ତୁ ତାଲିବାନ ଶାସନ କ୍ଷମତାକୁ ଫେରିବା ପରେ ପୁଣି ଥରେ ଏହି ମନ୍ତ୍ରାଳୟ ଖୋଲିଛି । ଏହି ନୂଆ ମନ୍ତ୍ରାଳୟର ନାଁ ମିନିଷ୍ଟ୍ରୀ ଅଫ୍ ପ୍ରୋପାଗେସନ ଅଫ୍ ଭରଚ୍ୟୁ ଆଣ୍ଡ ପ୍ରିଭେନସନ ଅଫ୍ ଭାଇସ ରଖିଛି ତାଲିବାନ ସରକାର । ଆଉ ଏହି ମନ୍ତ୍ରାଳୟ ଜରିଆରେ ଆଫଗାନିସ୍ତାନରେ ସରିଆ ଆଇନ ଲାଗୁ କରାଯିବ ।

ଆଫଗାନିସ୍ତାନର କେନ୍ଦ୍ରୀୟ ଜୋନର ମୁଖ୍ୟ ମହମ୍ମଦ ୟୁସୁଫଙ୍କ କହିବା ଅନୁଯାୟୀ, ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଇସଲାମର ସେବା କରିବା । ଏପରିକି ଇସଲାମିକ ନିୟମ ଅନୁଯାୟୀ ଦୋଷୀଙ୍କୁ ଦଣ୍ଡ ମଧ୍ୟ ଦିଆଯିବ । ଯେପରିକି ହତ୍ୟାର ଦଣ୍ଡ ଜୀବନ ନେଇକି ଦିଆଯିବ, ଯିଏ ଜାଣିଶୁଣି ଅପରାଧ କରିଥିବେ, ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ । ସେହିଭଳି ଅଜାଣତରେ ଅପରାଧ କରିଥିଲେ ଏକ ନିର୍ଦ୍ଦିଷ୍ଟ ଅର୍ଥରାଶି ସହ ଅନ୍ୟ ଦଣ୍ଡ ଦିଆଯିବ । ସେହିଭଳି କେହି ଚୋରି କରୁଥିବାର ଧରାପଡିଲେ ହାତ କାଟି ଦିଆଯିବ । ବିବାହ ପରେ ଅବୈଧ ସମ୍ପର୍କ ରଖିଥିଲେ ପଥରମାଡ କରାଯିବ । ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ସମାନ ଦଣ୍ଡ ରହିବ ।

ଏହାଛଡା ୟୁସୁଫ କହିଛନ୍ତି, କୌଣସି ବ୍ୟକ୍ତିଙ୍କୁ ଦଣ୍ଡ ଦେବା ପୂର୍ବରୁ ୪ ଜଣ ସାକ୍ଷୀଙ୍କ ବୟାନ ଶୁଣାଯିବ । ଯଦି ସମସ୍ତ ସାକ୍ଷୀ ଗୋଟିଏ ପ୍ରକାର କଥା କହିଲେ ତେବେ ଦଣ୍ଡ ଦିଆଯିବ । କିନ୍ତୁ ସାକ୍ଷୀଙ୍କ ବୟାନ ଭିତରେ ତାଳମେଳ ନ ରହିଲେ କୌଣସି ଦଣ୍ଡ ଦିଆଯିବ ନାହିଁ । ତେଣୁ ସାକ୍ଷୀଙ୍କ ବୟାନ ଉପରେ ଦଣ୍ଡ ନିର୍ଭର କରିବ ।