ଆଜି ତାଲିବାନ ଗଢ଼ିବ ନୂଆ ସରକାର : ମୁଖିଆ ଅଖୁନ୍ଦଜାଦାଙ୍କ ହାତରେ ନିୟନ୍ତ୍ରଣ

ଅଧିନରେ ରହିବେ ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀ; ଆଫଗାନ ମାଟିକୁ ବ୍ୟବହାର କରିପାରନ୍ତି ଆତଙ୍କବାଦୀ, ଭାରତ ପାଇଁ ଚିନ୍ତାର ବିଷୟ

146

କନକ ବ୍ୟୁରୋ : ଆଜି ନୂଆ ସରକାର ଗଠନ କରିବ ତାଲିବାନ । ନୂଆ ସରକାର ଗଠନ ନେଇ ଆନୁଷ୍ଠାନିକ ଭାବେ ଘୋଷଣା ହେବ । ସର୍ବୋଚ୍ଚ ନେତା ମୁଲ୍ଲା ଅଖୁନ୍ଦଜାଦାଙ୍କ ହାତରେ ରହିବ ନିୟନ୍ତ୍ରଣ । ତାଙ୍କ ନିୟନ୍ତ୍ରଣରେ ସମସ୍ତ ସରକାରୀ ଓ ଧାର୍ମିକ କ୍ଷମତା ରହିବ । ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀ ତାଙ୍କ ଅଧିନରେ ରହିବେ । ଇରାନ୍ ମଡୋଲ୍ ଆଧାରରେ ତାଲିବାନର ନୂଆ ଶାସନ ବ୍ୟବସ୍ଥାର ରୂପରେଖ ପ୍ରସ୍ତୁତ କରାଯାଇଛି ।  ନୂଆ ସରକାରରେ ମହିଳାଙ୍କ ଭୂମିକା ମଧ୍ୟ ରହିବ । ତାଲିବାନ ପକ୍ଷରୁ ପ୍ରତ୍ୟେକ ପ୍ରଦେଶର ଗଭର୍ଣ୍ଣର, ପୋଲିସ ମୁଖ୍ୟ ଓ ଜିଲ୍ଲାର ପୋଲିସ କମାଣ୍ଡଙ୍କୁ ନିଯୁକ୍ତି ଦିଆସରିଛି । ସରକାର ଗଠନ ପରେ ଆଗକୁ ତାଲିବାନ ପାଇଁ ବଡ ଚ୍ୟାଲେଂଜ ରହିଛି । ଏବେ ଦେଶରେ ଆର୍ଥିକ ସ୍ଥିତି ସଂପୂର୍ଣ୍ଣ ଭୁଶୁଡି ପଡ଼ିଛି । ଆଫଗାନିସ୍ତାନରେ ଗଚ୍ଛିତ ଥିବା ଖାଦ୍ୟ ଚଳିତ ମାସରେ ଶେଷ ହୋଇଯାଇପାରେ । ନୂଆ ତାଲିବାନ ଶାସକଙ୍କ ପାଇଁ କ୍ଷୁଧା ସଂକଟ ଦୂର କରିବା ପ୍ରଥମ ଚ୍ୟାଲେଂଜ ହେବ । ଦେଶରେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବଢ଼ିବା ଆରମ୍ଭ କଲାଣି ।

ଖାଦ୍ୟ ଓ ଇନ୍ଧନର ମୂଲ୍ୟ ବୃଦ୍ଧି ସହ ଦେଶରେ ଏସବୁ ଉପଲବ୍ଧ ହେବା ନେଇ ମଧ୍ୟ ଆଶଙ୍କା ପ୍ରକାଶ ପାଇଛି । ଲମ୍ବା ଲମ୍ବା ଧାଡ଼ିରେ ଲୋକେ ଦୋକାନ ଆଗରେ ଘଂଟା ଘଂଟା ଧରି ଅପେକ୍ଷା କରୁଥିବାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଦେଶ ଚଳାଇବାକୁ ଆବଶ୍ୟକ ଅର୍ଥ ତାଲିବାନ କେମିତି ଯୋଗାଡ଼ କରିବ, ସେନେଇ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇପାରିନି । ଆଫଗାନିସ୍ତାନ ବ୍ୟାଙ୍କ ଓ ଅନ୍ୟ କେତେକ ଆର୍ଥିକ ସଂସ୍ଥାରେ ଅର୍ଥ ଉପରେ ଆମେରିକା ସରକାର କେତେକ କଟକଣା ଲଗାଇ ସାରିଛନ୍ତି । ଏହାସହ ଆଇଏମଏଫ ପରି ସଂସ୍ଥା ଆଫଗାନିସ୍ତାନକୁ ସହାୟତା କରିବା ପ୍ରସଙ୍ଗରେ ଏଯାଏଁ କିଛି କହୁନାହାନ୍ତି । ଆଫଗାନିସ୍ତାନରେ ଅଧିକାଂଶ ଲୋକଙ୍କ ଆର୍ଥିକ ଅବସ୍ଥା ଏତେ ସ୍ୱଚ୍ଛଳ ନୁହେଁ, ତେଣୁ ଆଗକୁ ଏହି ଅବସ୍ଥା ସୁଧୁରିବ ନା ଆହୁରି ଖରାପ ହେବ, ତାରି ଉପରେ ନଜର ରହିବ । ସେପଟେ ଆନ୍ତର୍ଜାତୀୟ ବିମାନ ବନ୍ଦର ୪୮ ଘଂଟା ମଧ୍ୟରେ କାର୍ଯ୍ୟକ୍ଷମ ହେବ । ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିବା ବିମାନ ବନ୍ଦରକୁ ମରାମତି ପାଇଁ ୨୫ରୁ ୩୦ ନିୟୁତ ଡଲାର ଖର୍ଚ୍ଚ ହେବ ବୋଲି ଜଣାପଡ଼ିଛି ।

ଆଫଗାନିସ୍ତାନରେ ନୂଆ ସରକାରର ମୁଖ୍ୟ ରହିବେ ସର୍ବୋଚ୍ଚ ନେତା ହେବ୍‌ତୁଲ୍ଲା ଅଖୁନ୍ଦଜାଦା । ତାଲିବାନ ପ୍ରତିଷ୍ଠାତା ମୁଲ୍ଲା ଓମାରଙ୍କ ପରି ଅଖୁନ୍ଦଜାଦାଙ୍କୁ ସର୍ବସାଧାରଣରେ ଦେଖିବାକୁ ମିଳିନାହିଁ। ତାଲିବାନ ଏହି ସର୍ବୋଚ୍ଚ ନେତାଙ୍କର କେବଳ ଗୋଟିଏ ଫଟୋ ଜାରି କରିଛି । ମୁଲା ଓମାରଙ୍କ ପରି ଅଖୁନ୍ଦଜାଦା ଅଧିକାଂଶ ସମୟ କାନ୍ଦାହାରରେ ରହିଛନ୍ତି । ଉଭୟ ମୁଲା ଓମାର ଏବଂ ମୁଲା ମନସୋର ଧାର୍ମିକ ପ୍ରସଙ୍ଗ ଉପରେ ହି ଅଖୁନ୍ଦଜାଦାଙ୍କ ସହ ଯୋଗାଯୋଗ କରନ୍ତି । ତାଲିବାନର ସମସ୍ତ ଶୀର୍ଷ କମାଣ୍ଡର ଏହା ଜାଣନ୍ତି । ଅଖୁନ୍ଦଜାଦା ଏକ ଶକ୍ତିଶାଳୀ ନୁରଜାଇ ଆଦିବାସୀ ବଂଶର । ୯୦ ଦଶକରେ ସେ ତାଲିବାନରେ ଯୋଗ ଦେଇଥିଲେ ଏବଂ ତାଲିବାନ ଆଫଗାନିସ୍ତାନର ଫରାହ ପ୍ରଦେଶ ଦଖଲ କରିବାପରେ ତାଙ୍କୁ ୧୯୯୫ରେ ଗୁରୁତ୍ବପୂର୍ଣ୍ଣ ସରକାରୀ ଦାୟିତ୍ବ ମିଳିଥିଲା । ୨୦୦୧ରେ ଆମେରିକା ତାଲିବାନକୁ କ୍ଷମତାରୁ ହଟାଇବାପରେ ଅଖୁନ୍ଦଜାଦାଙ୍କୁ ତାଲିବାନ ଗୋଷ୍ଠୀର ସର୍ବୋଚ୍ଚ ଅଦାଲତରେ ଉପମୁଖ୍ୟ ଦାୟିତ୍ବ ମିଳିଥିଲା । ୨୦୦୧ ପରେ ହେବ୍‌ତୁଲ୍ଲା ଅଖୁନ୍ଦଜାଦା ତାଲିବାନ ଧାର୍ମିକ ‌ନେତାମାନଙ୍କ ପରିଷଦର ମୁଖ୍ୟ ହେଲେ । ୨୦୧୭ ମଧ୍ୟଭାଗରେ ଅଖୁନ୍ଦଜାଦାଙ୍କ ୨୩ ବର୍ଷୀୟ ପୁଅ ଆତ୍ମଘାତୀ ବିସ୍ଫୋରଣ କରିବାପରେ ତାଙ୍କୁ ସଂଗଠନରେ ଅଧିକ ସମ୍ମାନ ମିଳିଲା ।